ପୁଣି ବିକ୍ରି ହେବ ଜିଓ ୪-ଜି ଫିଚର ଫୋନ! ପଞ୍ଜିକୃତ ଗ୍ରାହକଙ୍କୁ ମିଳିବ ଅଗ୍ରାଧିକାର

ମୁମ୍ବାଇ: ରିଲାଏନ୍ସ ଜିଓର ଶସ୍ତା ୪-ଜି ଫିଚର ଫୋନ ପାଇନଥିବା ଗ୍ରାହକଙ୍କ ଲାଗି ଖୁସି ଖବର । ପୁଣି ଥରେ ଏହି ଅଫର ଆରମ୍ଭ ହେବାର ସମ୍ଭାବନା ରହିଛି । ଗତ ଥର କମ୍ପାନି ପ୍ରାୟ ୬ ନିୟୁତ ଶସ୍ତା ୪-ଜି ଫିଚର ଫୋନ ବିକ୍ରି କରିଥିଲା । କିନ୍ତୁ ଏହି ଫୋନର ଚାହିଦା ଏତେ ପ୍ରବଳ ହୋଇଥିଲା ଯେ ଅନେକ ଗ୍ରାହକ ଏହି ଫୋନ ପାଇପାରି ନଥିଲେ । ଏଥର ସେମାନଙ୍କ ଆଶା ପୂରଣ ହେବାର ସମ୍ଭାବନା ରହିଛି ।

ଗତ ଥର ଅତି ଶୀଘ୍ର ଷ୍ଟକ ଶେଷ ହୋଇଯାଇଥିବାରୁ ଏଥର ପ୍ରାୟ ୧୦ ନିୟୁତ ଫୋନ ବିକ୍ରି କରିବାର ଟାର୍ଗେଟ୍‌ ରଖିଛି କମ୍ପାନି । ଷ୍ଟକ ଶେଷ ହେବାପରେ ମଧ୍ୟ ଯେଉଁ ଗ୍ରାହକମାନେ ପଞ୍ଜୀକରଣ କରିଥିଲେ କମ୍ପାନି ଏବେ ସେମାନଙ୍କ ଉପରେ ଅଗ୍ରାଧିକାର ଦେଉଛି । ଏସବୁ ଗ୍ରାହକମାନଙ୍କୁ କମ୍ପାନି ପକ୍ଷରୁ ଏକ ମେସେଜ୍‌ ପଠାଯାଉଛି, ଯେଉଁଥିରେ ଲେଖାରହିଛି, “ଜିଓଫୋନକୁ ନେଇ ଆଗ୍ରହ ଦେଖାଇଥିବାରୁ ଧନ୍ୟବାଦ । ଜିଓଫୋନ ପୁଣି ଉପଲବ୍ଧ ହେଲେ ଆମେ ଆପଣଙ୍କୁ ଆଗୁଆ ଜଣାଇବୁ-ଟିମ୍‌ ଜିଓ” । କିନ୍ତୁ ଆନୁଷ୍ଠାନିକ ଭାବେ ଜିଓ ପକ୍ଷରୁ ଏ ନେଇ ଘୋଷଣା କରାଯିବା ବାକି ଅଛି ।

91Mobiles

ଗତ ଅଗଷ୍ଟମାସରେ ଜିଓ ଆପାତତଃ ମାଗଣାରେ ୪-ଜି ଫିଚର ଫୋନ ବିକ୍ରି କରି ସାରା ଟେଲିକମ ଜଗତରେ ଚହଳ ସୃଷ୍ଟି କରିଥିଲା । ଅଗଷ୍ଟ ୨୪ରେ ଏହାର ପଂଜୀକରଣ ଆରମ୍ଭ ହୋଇ ଅଗଷ୍ଟ ୨୬ରେ ବନ୍ଦ ହୋଇଯାଇଥିଲା । ପୂର୍ବରୁ ପଂଜୀକରଣ କରିଥିବା ଗ୍ରାହକମାନେ ମାତ୍ର ୧୫୦୦ ଟଙ୍କା ଦେଇ ଏହି ଫୋନ ପାଇଥିଲେ । କମ୍ପାନି ତରଫରୁ ପରେ ଏହି ରାଶି ଫେରାଇ ଦିଆଯିବ ।

ଜିଓ ପରେ ଏୟାରଟେଲ୍‌ ଓ ଭୋଡାଫୋନ ମଧ୍ୟ ଶସ୍ତାରେ ୪-ଜି ଫୋନ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଫଳରେ ଟେଲିକମ ଜଗତରେ ୪-ଜି ହାଣ୍ଡସେଟ୍‌କୁ ନେଇ ଏକ ପ୍ରାଇସ୍‌ ଓ୍ଵାର ଆରମ୍ଭ ହୋଇଯାଇଛି । ଏବେ ଜିଓ ପକ୍ଷରୁ ପୁଣି ଥରେ ପୂର୍ବର ଅଫର ଆରମ୍ଭ ହେବାକୁ ଯାଉଥିବାରୁ ଏହି ଯୁଦ୍ଧ ଆହୁରି ତୀବ୍ର ହେବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର