ମୁମ୍ବାଇ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ର ନୂଆ କମ୍ପାନି ‘ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍’ ସେୟାର୍ ବଜାରରେ କମାଲ କରିିଛି। କମ୍ପାନି ଚଳିତ ଆର୍ଥିକ ବର୍ଷର ଦ୍ବିିତୀୟ ତ୍ରୈମାସିକରେ ଘୋଷଣା କରିଛି ଯେ କମ୍ପାନି ୧୦୧ ପ୍ରତିଶତ ଲାଭ କରି ଏବେ ୬୬୮ କୋଟି ଟଙ୍କାରେ ପହଞ୍ଚି ପାରିଛି।
ରିଲାଏନ୍ସ ଇଣ୍ଡଷ୍ଟ୍ରିର ସବ୍ସିଡିୟରି ‘ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍’ ଘୋଷଣା କରିଛି ଯେ ଗତବର୍ଷ ଅପେକ୍ଷା କମ୍ପାନି ଦୁଇଗୁଣ ଲାଭ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିରୁ ଅଲଗା ହୋଇ ନୂଆ କମ୍ପାନି ବନିବା ପୂର୍ବରୁ ଗତବର୍ଷ ଆର୍ଥିକ ବର୍ଷର ଦ୍ବିିତୀୟ ତ୍ରୈମାସିକରେ କମ୍ପାନି ୩୭୧ କୋଟି ଟଙ୍କା ଲାଭ କରିଥିବା ବେଳେ ଏବର୍ଷ ଯଥେଷ୍ଟ ଅଧିକ କରିଛି। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ କମ୍ପାନି ପ୍ରାୟ ୧୦୦ ପ୍ରତିଶତରୁ ଅଧିକ ଲାଭ କରିଛି।
ଈଶା ଅମ୍ବାନୀଙ୍କ ନେତୃତ୍ବାଧୀନ ‘ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍’ ଖୁବ୍ ଶୀଘ୍ର ‘ଜୀବନ’, ‘ସ୍ବାସ୍ଥ୍ୟ’ ଓ ସାଧାରଣ ବର୍ଗର ବୀମା ବ୍ୟବସାୟ ଆରମ୍ଭ କରିବ। ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ ତା’ର ଆର୍ଥିକ ସେବା ବ୍ୟବସାୟ ‘ଜିଓ ଫାଇନାନ୍ସିଆଲ୍ ସର୍ଭିସ୍’କୁ ପୃଥକ୍ କରିଥିବା କଥା ଗତବର୍ଷ ଘୋଷଣା କରିଥିଲା। ଏହାର ନିର୍ଦ୍ଦେଶିକା ଭାବେ ଅତୀତରେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କୁ ନିଯୁକ୍ତ କରାଯାଇଥିଲା।
ବାର୍ଷିକ ସାଧାରଣ ସଭାରେ ମୁକେଶ ଅମ୍ବାନୀ କହିଥିଲେ ଯେ, ପ୍ରାରମ୍ଭରୁ ବିଶ୍ବର ସବୁଠୁ ବଡ଼ ପୁଞ୍ଜିଥିବା ଆର୍ଥିକ ସେବା ପ୍ଲାଟ୍ଫର୍ମ କରିବା ପାଇଁ ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ ‘ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍’କୁ ୧,୨୦,୦୦୦ କୋଟି ଟଙ୍କା ପୁଞ୍ଜି ଯୋଗାଇ ଦେଇଛି।