ସେପ୍ଟେମ୍ବର ୫ରୁ ମିଳିବ ଜିଓ ଗିଗା ଫାଇବର୍, ୭୦୦ ଟଙ୍କାରୁ ପ୍ଲାନ୍ ଆରମ୍ଭ

ବାର୍ଷିକ ପ୍ଲାନ୍‌ରେ ମାଗଣା ଟିଭି, ସେଟ୍‌ ଟପ୍ ବକ୍ସ, ୧୦୦ ଏମ୍‌ବିପିଏସ୍‌ ବେଗରେ ଇଣ୍ଟରନେଟ୍

ମୁମ୍ବାଇ: ଚଳିତ ବର୍ଷ ସେପ୍ଟେମ୍ବର ୫ରୁ ଦେଶରେ ଜିଓ ଗିଗା ଫାଇବର୍ ସେବା ଆରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି କହିଛନ୍ତି। କଂପାନିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ସୂଚନା ଦେଇ ସେ କହିଲେ, ଗିଗା ଫାଇବର୍‌ ପାଇଁ ସର୍ବନିମ୍ନ ପ୍ଲାନ୍‌ ଦାମ୍ ହେଉଛି ୭୦୦ ଟଙ୍କା। ଏହି ପ୍ଲାନ୍‌ରେ ଗ୍ରାହକମାନେ ଲ୍ୟାଣ୍ଡ୍‌ଲାଇନ୍‌ରୁ ଅସୀମିତ ମାଗଣା କଲ୍, ୧୦୦ ଏମ୍‌ବିପିଏସ୍‌ ବେଗରେ ବ୍ରଡ୍‌ବ୍ୟାଣ୍ଡ୍ ଇଣ୍ଟରନେଟ୍ ପାଇପାରିବେ। ଯେଉଁ ଗ୍ରାହକମାନେ ବାର୍ଷିକ ପ୍ଲାନ୍ ନେବେ ସେମାନଙ୍କୁ ଏଚ୍‌ଡି ଟିଭି ଓ ସେଟ୍ ଟପ୍ ବକ୍ସ ମାଗଣାରେ ପ୍ରଦାନ କରାଯିବ। ଆମେରିକା ଠାରୁ ଅଧିକ ବେଗରେ ଜିଓ ବ୍ରଡ୍‌ବ୍ୟାଣ୍ଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବ। ଗିଗା ଫାଇବର୍‌ରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତର ପ୍ଲାନ୍ ରହିଛି। ଜିଓ ଗିଗା ଫାଇବର୍‌ର ପ୍ରିମିୟମ୍ ଗ୍ରାହକମାନେ ନେଟ୍‌ପ୍ଲିକ୍ସ ଓ ହଟ୍‌ଷ୍ଟାର୍‌ ଭଳି ପ୍ରିମିୟମ୍ ସେବା ପାଇପାରିବେ। ଏହା ବ୍ୟତୀତ ଲ୍ୟାଣ୍ଡ୍‌ଲାଇନ୍‌ରେ ଅତି କମ୍ ଦାମ୍‌ରେ ମାଗଣା ଆନ୍ତର୍ଜାତିକ କଲ୍ ସୁବିଧା ମଧ୍ୟ ମିଳିବ। ଘର ଓ ସଂସ୍ଥା ପାଇଁ ଅଲଗା ଅଲଗା ପ୍ଲାନ୍ ରହିଛି। ଗ୍ରାହକମାନେ ନିଜ ଆବଶ୍ୟକତା ଅନୁସାରେ ପ୍ଲାନ୍ ଚୟନ କରିପାରିବେ। ବର୍ତ୍ତମାନ ସୁଦ୍ଧା ଜିଓ ଗିଗାଫାଇବର୍‌ ଲାଗି ୧୬୦୦ ସହରରେ ୧୫ ନିୟୁତ ଗ୍ରାହକ ପଞ୍ଜୀକରଣ କରିସାରିଛନ୍ତି।

ଆଜୀବନ ମାଗଣା ଭଏସ୍‌ କଲ ସୁବିଧା

ଜିଓ ଗିଗା ଫାଇବର୍‌ ବ୍ୟତୀତ କଂପାନି ପକ୍ଷରୁ ଜିଓ ଫାଷ୍ଟ୍‌ ଡେ ଫାଷ୍ଟ୍‌ ସୋ’ ୨୦୨୦ ଯୋଜନା ବିଷୟରେ ଘୋଷଣା କରାଯାଇଛି। ଏହି ପ୍ଲାନ୍‌ରେ ଗ୍ରାହକମାନେ ସିନେମା ହଲ୍‌ ନଯାଇ ଘରେ ବସି ନୂଆ ସିନେମାର ଫାଷ୍ଟ୍‌ ସୋ’କୁ ଦେଖିପାରିବେ। ସାଉଦି ଆରାମ୍‌କୋକୁ ୧୫ ବିଲିଅନ୍‌ ଡଲାରରେ ୨୦% ଅଂଶଧନ ବିକ୍ରି କରିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଜି ଘୋଷଣା କରିଛି। ଏହି ବୁଝାମଣା ଜରିଆରେ କଂପାନି ୨୦୨୦-୨୧ ସୁଦ୍ଧା ଏହାର ସବୁ ଋଣ ପରିଶୋଧ କରିବାକୁ ଚାହୁଛି। ଜିଓ ଓ ମାଇକ୍ରୋସଫ୍ଟ ମଧ୍ୟରେ ହୋଇଥିବା ବୁଝାମଣା ବିଷୟରେ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି। ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଏହାକୁ ନେଇ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧିତ ଖବର