କେତେକଙ୍କ ପାଇଁ ଦୈନିକ ୩୦୦ ମିନିଟ୍‌ ମଧ୍ୟରେ କଲ୍‌ ସୀମିତ କରୁଛି ଜିଓ

ଭୋଲ୍‌ଟି ନେଟ୍‌ଓ୍ଵାର୍କରେ ଅନ୍‌ଲିମିଟେଡ୍‌ କଲ୍‌ ଫିଚର୍‌ର ଅପବ୍ୟବହାର କରୁଥିବା କେତେକ ବ୍ୟବହାରକାରୀଙ୍କ ଦୈନିକ କଲ୍‌ର ସମୟସୀମାକୁ ରିଲାଏନ୍‌ସ୍‌ ଜିଓ ୩୦୦ ମିନିଟ୍‌ରେ ସୀମିତ ରଖିଲା ପରି ମନେ ହେଉଛି। ଏହି ସୀମା ସବୁ ବ୍ୟବହାରକାରୀଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ; କେବଳ ଧରାପଡ଼ିଥିବା ନେଟ୍‌ଓ୍ଵାର୍କ ଅପବ୍ୟବହାରକାରୀଙ୍କ ନିମନ୍ତେ।

କେତେକ ବ୍ୟବହାରକାରୀଙ୍କ ନିମନ୍ତେ ଅସୀମିତ କଲ୍‌ର ସମୟସୀମା ୩୦୦ ମିନିଟ୍‌ରେ ସୀମିତ ରଖାଯାଉଥିବା କଥା ଜିଓ ପ୍ରାୟୋରିଟି ଟିମ୍‌ ଟେଲିକମ୍‌ଟକ୍‌କୁ ନିଶ୍ଚିତ କରି କହିଛି। କେତେକ ବ୍ୟବହାରକାରୀ ଜିଓ ଭଏସ୍‌ କଲ୍‌ ସୁଯୋଗର ଅପବ୍ୟବହାର କରୁଛନ୍ତି ବୋଲି କୁହାଯାଉଥିବା ଏହା ପଛର କାରଣ। ପ୍ରଚାର କଲ୍‌ ସମେତ ଏହି ଅପବ୍ୟବହାରକାରୀମାନେ ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ଅସୀମିତ କଲ୍‌ର ଉପଯୋଗ କରୁଛନ୍ତି। ଜିଓ ବ୍ୟବହାରକାରୀମାନେ ଏହି ଫିଚର୍‌ର ମାତ୍ରାଧିକ ବ୍ୟବହାର ନ କରନ୍ତୁ କିଂବା ଜିଓ କଲିଙ୍ଗ୍‌ ଫିଚର୍‌କୁ ଶୋଷଣ ନ କରନ୍ତୁ: ଏହି ଉଦ୍ଦେଶ୍ୟରେ କମ୍ପାନି ଭଏସ୍‌ କଲ୍‌କୁ ସୀମିତ କରିଛି। ଏଣିକି ଦୈନିକ ଭଏସ୍‌ କଲ୍‌ ଉପରେ କଟକଣା ଲାଗୁ କରାଯିବା ପରି ଜଣାପଡୁଛି। ଏଥିପାଇଁ ସାପ୍ତାହିକ ସୀମା ନ ଥିବା ପରି ମଧ୍ୟ ଜଣାପଡୁଛି।

ଏହି ନେଟ୍‌ଓ୍ଵାର୍କରେ ଜିଓ ପୂର୍ବରୁ ଫୋର୍‌ଜି ଡାଟା ଉପରେ ଯେମିତି କଟକଣା ଲାଗୁ କରିଥିଲା ଭଏସ୍‌ କଲ୍‌କୁ ସୀମିତ କରିବା ଠିକ୍‌ ସେମିତି ବୋଲି ଜଣାପଡୁଛି। ସେପ୍ଟେମ୍ବର ୨୦୧୬ରେ ଲଞ୍ଚ୍‌ ହେବା ସମୟରେ ଜିଓ ଗ୍ରାହକମାନଙ୍କୁ ମାଗଣା ଅସୀମିତ ଫୋର୍‌ଜି ଡାଟା ଅଫର୍‌ କରିଥିଲା। କିନ୍ତୁ, ଖୁବ୍‌ ଶୀଘ୍ର ଗ୍ରାହକମାନେ ଗିଗାବିଟ୍‌ସ୍‌ ପରେ ଗିଗାବିଟ୍‌ସ୍‌ ଡାଉନ୍‌ଲୋଡ୍‌ କରି ଅସୀମିତ ଡାଟା ଫିଚର୍‌ର ଅପବ୍ୟବହାର କରିଥିଲେ। ଫଳତଃ ଜିଓ ଗ୍ରାହକମାନଙ୍କ ପାଇଁ ଦୈନିକ ଫୋର୍‌ଜି ଡାଟା ବ୍ୟବହାରକୁ ୧ ଜିବିରେ ସୀମିତ କରିଥିଲା। ତଥାପି ଅସୀମିତ ଡାଟା ମିଳୁଥିଲେ ମଧ୍ୟ ଥରେ ଜଣେ ଗ୍ରାହକ ୧ ଜିବି ଡାଟା ବ୍ୟବହାର କରି ସାରିବା ପରେ ତାହାର ବେଗ ୧୦୦ କେବିପିଏସ୍‌କୁ ହ୍ରାସ ପାଉଛି।

ସେ ଯାହାହେଉ, ଡାଟା ସୀମିତ କରିବା ଏବଂ ୩୦୦ ମିନିଟ୍‌ ଭଏସ୍‌ କଲ୍‌ ସୀମିତ କରିବା ମଧ୍ୟରେ ବଡ଼ ତଫାତ ହେଉଛି ଯେ ପୂର୍ବର କଟକଣା ସମସ୍ତ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିଥିବାବେଳେ ସଦ୍ୟତମ କଟକଣା କେବଳ ନିର୍ବାଚିତ ବ୍ୟବହାରକାରୀଙ୍କ ପ୍ରତି ଲାଗୁ ହେଉଛି। ଜିଓରେ ଆପଣଙ୍କ କଲ୍‌ ସୀମିତ କରାଯିବ କି, ନାହିଁ ତାହା ଜାଣିବାକୁ ସମ୍ପ୍ରତି କୌଣସି ଗାଇଡ୍‌ଲାଇନ୍‌ ନାହିଁ। କେବଳ ଅପବ୍ୟବହାରକାରୀଙ୍କ କଲ୍‌ ସୀମିତ କରାଯିବ। ହେଲେ ଏହି ଅପବ୍ୟବହାର କ’ଣ ତାହା ସ୍ପଷ୍ଟ କରାଯାଇ ନାହିଁ। ପ୍ରଶ୍ନ ଉଠୁଛି କେଉଁ ବ୍ୟବହାରକାରୀମାନେ ଏହି ସୀମିତ ଭଏସ୍‌ କଲିଙ୍ଗ୍‌ ସୁବିଧାରେ ଆସୁଛନ୍ତି? ରିପୋର୍ଟରେ ଦର୍ଶାଯାଇଛି ଯେ ଯେଉଁମାନେ ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ଭଏସ୍‌ କଲ୍‌ କରୁଛନ୍ତି ସେମାନେ ଏହି ବର୍ଗରେ ଆସୁଛନ୍ତି। ଜଣେ ବ୍ୟବହାରକାରୀଙ୍କ ପାଇଁ ସର୍ବାଧିକ କେତେ ସମୟ ସୀମା କେତେ ତାହା ମଧ୍ୟ ରହସ୍ୟମୟ ହୋଇ ରହିଛି।

ଇତି ମଧ୍ୟରେ ଜିଓ ଜିଓଫାଇ ହଟ୍‌ସ୍ପଟ୍‌ ଡଙ୍ଗେଲ୍‌ର ଫେଷ୍ଟିଭ୍‌ ଅଫର୍‌ର ସମୟ ସୀମା ବଢ଼ାଇ ଦେଇଛି। ବାସ୍ତବ ମୂଲ୍ୟ ୧୯୯୯ ଟଙ୍କା ପରିବର୍ତ୍ତେ ଲୋକେ ଏହାକୁ ୯୯୯ ଟଙ୍କାରେ ଖରିଦ କରି ପାରିବେ।

ସମ୍ବନ୍ଧିତ ଖବର