ଆଉ ଏକ ଧମାକା କରିବ ରିଲାଏନ୍ସ ଜିଓ : ବିନା ଇଣ୍ଟରନେଟରେ ଦେଖିହେବ ୨୦୦ ଚ୍ୟାନେଲ

ମୁମ୍ବାଇ : ଦେଶରେ ଟେଲିକମ ଜଗତରେ ଆଉ ଏକ ଧମାକା କରିବାକୁ ଯାଉଛି ରିଲାଏନ୍ସ ଜିଓ । ଏହାକୁ କୁହାଯାଉଛି ଜିଓହୋମ୍‌ଟିଭି । ଗତ ବର୍ଷ ଆଲୋଚନା ହେଉଥିଲା ଯେ ଜିଓ ପକ୍ଷରୁ ଏକ ଡିଟିଏଚ ସେବା ଆରମ୍ଭ କରାଯିବ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଜିଓ ଡିଟିଏଚ ସେବା ପ୍ରକଳ୍ପକୁ ସ୍ଥଗିତ ରଖିଛି, ତା ବଦଳରେ ଏହି ଜିଓହୋମ୍‌ଟିଭି ଆରମ୍ଭ କରାଯିବ । ଏବେ ଏହାର ପରୀକ୍ଷାମୂଳକ ପ୍ରୟୋଗ ଆରମ୍ଭ ହୋଇଛି ।

ଏହି ସେବା ମାଧ୍ୟମରେ ୪୦୦ ଟଙ୍କାରେ ୨୦୦ଟି ଏସଡି ଓ ଏଚଡି ଚ୍ୟାନେଲ ପ୍ରଦାନ କରାଯିବ । ଏନହାନସ୍‌ଡ ମଲଟିମିଡିଆ ବ୍ରଡକାଷ୍ଟ ମଲଟିକାଷ୍ଟ ସର୍ଭିସ ବା ଇ-ଏମବିଏମଏସ ଟେକନଲୋଜୀ ପ୍ରୟୋଗ କରି ଏହି ସେବା ଆରମ୍ଭ କରାଯିବ । ଏହି ଟେକନଲୋଜୀର ସୁବିଧା ହେଲା ଯେ ଦର୍ଶକମାନେ ଟିଭି ପ୍ରସାରଣ ଦେଖିବାକୁ ନିଜ ଡିଭାଇସ ( ସ୍ମାର୍ଟଫୋନ, ଲାପଟପ, ଟାବଲେଟ ବା ପିସି)ରେ ଇଣ୍ଟରନେଟ୍‌ ସଂଯୋଗ ଆବଶ୍ୟକ ନାହିଁ । ରିଲାଏନ୍ସ ଏହି ସେବା ଆରମ୍ଭ କଲେ, ଏହା ଏ ଧରଣର ପ୍ରଥମ ସେବା ହେବ, ଯେଉଁଥିରେ ଗ୍ରାହକମାନେ ବିନା ଇଣ୍ଟରନେଟ ସଂଯୋଗରେ ଟିଭି ଦେଖିପାରିବେ । ତେବେ ରିଲାଏନ୍ସ ଏବେ ଏହାର ପରୀକ୍ଷାମୂଳକ ପ୍ରୟୋଗ କରୁଛି, କେବେ ଏହି ସେବା ସର୍ବସାଧାରଣଙ୍କ ପାଇଁ ଆରମ୍ଭ ହେବ ସେ ସଂପର୍କରେ କମ୍ପାନି କିଛି ଘୋଷଣା କରିନାହିଁ ।

ସମ୍ବନ୍ଧିତ ଖବର