ଇରୋଜ୍ ସହ ସହବନ୍ଧନ କଲା ଜିଓ: ମାଗଣାରେ ଭିଡିଓ କଣ୍ଟେଣ୍ଟ ପ୍ରଦାନ କରିବ

ନୂଆଦିଲ୍ଲୀ:ଡିଜିଟାଲ କଣ୍ଟେଣ୍ଟକୁ ନେଇ ଦେଶର ଦୁଇ ପ୍ରମୁଖ ଟେଲିକମ ଅପରେଟର ଏୟାରଟେଲ ଓ ରିଲାଏନ୍ସ ଜିଓ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହେବାକୁ ଲାଗିଛି । ଏୟାରଟେଲ୍‌ ପକ୍ଷରୁ ଆମାଜନ ପ୍ରାଇମ ସହ ସହବନ୍ଧନ କରାଯିବା ପରେ ତାକୁ ଟକ୍କର ଦେବା ପାଇଁ ରିଲାଏନ୍ସ ଜିଓ ଏକ ପଦକ୍ଷେପ ନେଇଛି । କମ୍ପାନି ପକ୍ଷରୁ ଭାରତର ପ୍ରମୁଖ କଣ୍ଟେଣ୍ଟ କମ୍ପାନି ଇରୋଜ୍‌ ଇଣ୍ଟରନାସନାଲ ସହ ସହବନ୍ଧନ କରାଯାଇଛି । ଏହି ସହବନ୍ଧନ ଫଳରେ ଜିଓରେ ଇରୋଜ୍‌ର ଡିଜିଟାଲ କଣ୍ଟେଣ୍ଟ ଉପଲବ୍ଧ ହେବ । ଏସବୁ କଣ୍ଟେଣ୍ଟ ମଧ୍ୟରେ ରହିଛି ସଂପୂର୍ଣ୍ଣ ଚଳଚ୍ଚିତ୍ର, ମ୍ୟୁଜିକ ଭିଡିଓ, ବିଭିନ୍ନ ଥିମ ଉପରେ ପ୍ରସ୍ତୁତ ଭିଡିଓ, ଫିଲ୍ମ ଗୁଡିକରେ ବିଭିନ୍ନ ଭାଷାରେ ସବଟାଇଟଲ, ଆଞ୍ଚଳିକ ଭାଷା ଫିଲଟର ଆଦି ଅନ୍ୟତମ ।

ଏୟାରଟେଲ ପକ୍ଷରୁ ଗତ ସପ୍ତାହରେ ଡିଜିଟାଲ କଣ୍ଟେଣ୍ଟ କମ୍ପାନି ଆମାଜନ ପ୍ରାଇମ ସହ ସହବନ୍ଧନ ବିଷରେ ଘୋଷଣା କରାଯାଇଥିଲା । ଏହା ମାଧ୍ୟମରେ ଏୟାରଟେଲ ପୋଷ୍ଟପେଡ୍ ଗ୍ରାହକ ଓ ଭି-ଫାଇବର ବ୍ରଡବ୍ୟାଣ୍ଡ ଗ୍ରାହକମାନଙ୍କୁ ମାଗଣାରେ ବର୍ଷକ ପାଇଁ ଭିଡିଓ ଷ୍ଟ୍ରିମିଂ ଆପ୍ ଆମାଜନ ପ୍ରାଇମ ମେମ୍ବରସିପ ମିଳିପାରିବ । ତେବେ ୪୯୯ ଟଙ୍କିଆ ପ୍ଲାନ ପକାଇଥିବା ପୋଷ୍ଟପେଡ ଗ୍ରାହକଙ୍କୁ ଏହି ମାଗଣା ଅଫର ମିଳିବ । ଏୟାରଟେଲ ଟିଭି ଆପ ମାଧ୍ୟମରେ ଏହି ସେବାକୁ ଆକ୍ଟିଭେଟ୍ କରିହେବ ।

କେବଳ ଏୟାରଟେଲ ବା ଜିଓ ନୁହଁନ୍ତି, ଅନ୍ୟ ଟେଲିକମ ଅପରେଟର ଆଇଡିଆ, ଭୋଡ଼ାଫୋନ ମଧ୍ୟ ଡିଜିଟାଲ କଣ୍ଟେଣ୍ଟ ପ୍ରଦାନ ପାଇଁ ବିଭିନ୍ନ ସଂସ୍ଥାମାନଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି । ଟେଲିକମ ବଜାରରେ କ୍ରମଶଃ ପ୍ରତିଯୋଗିତା ତୀବ୍ର ହେଉଥିବାବେଳେ ଟେଲିକମ କମ୍ପାନିମାନେ ଡିଜିଟାଲ କଣ୍ଟେଣ୍ଟ ମାଧ୍ୟମରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ସମ୍ବନ୍ଧିତ ଖବର