ସାନଭାଇ ଅନୀଲଙ୍କ ଟେଲିକମ ବ୍ୟବସାୟକୁ କିଣିବେ ମୁକେଶ ଅମ୍ବାନି

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦ୍ୱାରା ପରିଚାଳିତ ଟେଲିକମ କମ୍ପାନି ଜିଓ ତାଙ୍କ ସାନ ଭାଇ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ କମ୍ୟୁନିକେସନ୍ସର ଟେଲିକମ ଆସେଟ୍‌ ( ସଂପତ୍ତି) କିଣିବ । ଏ ନେଇ ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ରିଲାଏନ୍ସ କମ୍ୟୁନିକେସନ୍ସ ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲିଆସୁଥିଲା ଓ ଏହାର ଋଣଦାତାମାନେ ଋଣଆଦାୟ ପାଇଁ କମ୍ପାନିର ବିଭିିନ୍ନ ସଂପତ୍ତି ବିକ୍ରି କରିବାକୁ ନିଲାମ ଡାକିଥିଲେ । ଏଥିରେ ରିଲାଏନ୍ସ ଜିଓ ବିଜୟୀ ହେବା ସହ ରିଲାଏନ୍ସ କମ୍ୟୁନିକେସନ୍ସର ଟାଓ୍ଵାର ଓ ଅପଟିକ ଫାଇବର ନେଟଓ୍ଵାର୍କ, ସ୍ପେକଟ୍ରମ ଓ ମିଡିଆ ଆଦିକୁ ଖରିଦ କରିବ । ଏହି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେଲେ ରିଲାଏନ୍ସ ଜିଓ ଏକ ବଡ଼ କମ୍ପାନିରେ ପରିଣତ ହେବ ଓ ବିଭିନ୍ନ ପ୍ରକାରର ସେବା ଯୋଗାଇବାରେ ସକ୍ଷମ ହେବ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଡିଲ୍‌ ସମ୍ପୂର୍ଣ୍ଣ ହେବ । ଏସବିଆଇ କ୍ୟାପ୍ସ ଏହି ଡିଲ୍‌ର ପରିଚାଳନା କରୁଛି ।

ଏହି ଡିଲ୍‌ରୁ ମିଳିବାକୁ ଥିବା ଅର୍ଥକୁ ରିଲାଏନ୍ସ କମ୍ୟୁନିକେସନ୍ସ ନିଜର ଋଣଦାତା ବ୍ୟାଙ୍କ ମାନଙ୍କୁ ସୁଝିବ । ଅନ୍ୟପକ୍ଷରେ ରିଲାଏନ୍ସ ଜିଓ ଆର୍‌କମ୍‌ର ବକେୟା ସ୍ପେକ୍ଟ୍ରମ କିସ୍ତିକୁ ସରକାରଙ୍କୁ ସୁଝିବ ।

ରିଲାଏନ୍ସ କମ୍ୟୁନିକେସନ୍ସ ପୂର୍ବରୁ ହିଁ ନିଜର ଡିଟିଏଚ ବ୍ୟବସାୟକୁ ପ୍ୟାଣ୍ଟେଲ ଟେକନଲୋଜୀ ଓ ଭିକମ ମିଡିଆକୁ ବିକ୍ରି କରିସାରିଛି ।

ସମ୍ବନ୍ଧିତ ଖବର