ଜିଓ ଫୋନରେ ହ୍ଵାଟ୍ସଆପ୍‌ ଲୋଡ୍‌ କରିହେବ

ମୁମ୍ବାଇ : ଏଣିକି ଜିଓ ଫୋନରେ ହ୍ଵାଟ୍ସଆପ ଓ ଫେସବୁକ ବ୍ୟବହାର କରିବା ସମ୍ଭବ ହେବ । ପୂର୍ବରୁ ଏସବୁ ଫିଚର ଫୋନରେ ଏହି ସୁବିଧା ନଥିଲା । ଏହାର କାରଣ ହେଉଛି ଜିଓଫୋନକୁ ଚଳାଉଥିବା କାଇ ଅପରେଟିଂ ସିଷ୍ଟମ ଫେସବୁକ ଓ ହ୍ଵାଟ୍ସଆପକୁ ସପୋର୍ଟ କରୁନଥିଲା । କିନ୍ତୁ ଏବେ ହ୍ଵାଟ୍ସଆପ ପକ୍ଷରୁ ଏହି ଅପରେଟିଂ ସିଷ୍ଟମରେ ଚାଲିପାରୁଥିବା ଭଳି ଏକ ହ୍ଵାଟ୍ସଆପ ଭର୍ସନ ପ୍ରସ୍ତୁତ କରାଯାଇଛି ।

ଗତ ଫେବ୍ରୁଆରୀ ମାସରେ ଏହି ଲିନକ୍ସ ଭିତ୍ତିକ ଅପରେଟିଂ ସିଷ୍ଟମ ଲାଗି ଫେସବୁକ ଏକ କମ୍ପାଟିବଲ୍‌ ଆପ୍‌ ପ୍ରସ୍ତୁତ କରିଥିଲା । ଫଳରେ ଜିଓଫୋନ ସମେତ ଯେଉଁ ଫିଚରଫୋନଗୁଡ଼ିକ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ, ସେଗୁଡ଼ିକରେ ଫେସବୁକ ଇନଷ୍ଟଲ କରିବା ସମ୍ଭବ ହେଲା । ଏବେ ଫେସବୁକ ପକ୍ଷରୁ ନିଜର ଲୋକପ୍ରିୟ ମେସେଜିଂ ଆପ୍‌ ହ୍ଵାଟ୍ସଆପକୁ ମଧ୍ୟ କାଇ ଅପରେଟିଂ ସିଷ୍ଟମ ପାଇଁ ପ୍ରସ୍ତୁତ କରାଯାଉଛି ।
ଗତ ବର୍ଷ ଫେସବୁକ ପକ୍ଷରୁ ବ୍ଲାକବେରୀ ଓ ଓ୍ଵିଣ୍ଡୋଜ ଫୋନ-୮ ପାଇଁ ହ୍ଵାଟ୍ସଆପ ସପୋଟ ବନ୍ଦ କରିଦେଇଥିଲା । ଏହା ପରେ କାଇ ଅପରେଟିଂ ସିଷ୍ଟମକୁ ସପୋର୍ଟ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଜିଓଫୋନରେ ଫେସବୁକ ଓ ହ୍ଵାଟ୍ସଆପ ଆସିବା ପରେ ଏହି ଶସ୍ତା ଫୋନଟିର ଆକର୍ଷଣ ଆହୁରି ବଢିଯିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର