ଜେ କେ ମହାନ୍ତି ହେଲେ ଫିକି ପର୍ଯ୍ୟଟନ କମିଟି ସହ-ଅଧ୍ୟକ୍ଷ

ଭୁବ‌େନଶ୍ବର: ଶିଳ୍ପ ସଂସ୍ଥାଗୁଡ଼ିକୁ ନେଇ ଗଠିତ ଅନୁଷ୍ଠାନ ‘ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି’(ଫିକି)ର ପର୍ଯ୍ୟଟନ ସଂକ୍ରାନ୍ତ କମିଟିର ସହ-ଅଧ୍ୟକ୍ଷ ଭାବେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି ମନେ‌ାନୀତ ହୋଇଛନ୍ତି। ୨୦୧୯ ମସିହା ପାଇଁ ଫିକିର ଏପରି ସମ୍ମାନଜନକ ପଦବି ପାଇବାରେ ଶ୍ରୀ ମହାନ୍ତି ପ୍ରଥମ ଓଡ଼ିଆ। ଏହି କମିଟିର ଅଧ୍ୟକ୍ଷ ଭାବେ ଲଳିତ ସୁରି ହସ୍ପିଟାଲିଟି ଗ୍ରୁପ୍‌ର ସିଏମ୍‌ଡି ଜ୍ୟୋତ୍ସ୍ନା‌ ସୁରୀଙ୍କୁ ମନୋନୀତ କରାଯାଇଛି। ଶ୍ରୀ ମହାନ୍ତିଙ୍କ ସହ ଦୀପକ ଦେବ ଓ ଧ୍ରୁବ ଶ୍ରୀଙ୍ଗି ମଧ୍ୟ ସହ-ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଫିକିର ସଭାପତି ସନ୍ଦିପ ସୋମାନି ଏ ନେଇ ଶ୍ରୀ ମହାନ୍ତିଙ୍କୁ ଏକ ପତ୍ର ଲେଖି ଅବଗତ କରାଇଛନ୍ତି। ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଶ୍ରୀ ମହାନ୍ତିଙ୍କ ସଂପୃକ୍ତି ଓ ଅଭିଜ୍ଞତା ନିଶ୍ଚିତ ଭାବେ ଫିକିର ସଦସ୍ୟମାନଙ୍କ ଆଶା ପୂରଣ କରିପାରିବ ବୋଲି ଶ୍ରୀ ସୋମାନି ଆଶାପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଭିନ୍ନ କ୍ଷେତ୍ର ପାଇଁ ଫିକିର ସ୍ବତନ୍ତ୍ର କମିଟି ରହିଛି। ଏହି କମିଟି ସଂପୃକ୍ତ କ୍ଷେତ୍ରର ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ନେଇ ସରକାର ଓ ଉଦ୍ୟୋଗୀମାନଙ୍କୁ ଅବଗତ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବା ସହ ଏହାର ବିକାଶ ପାଇଁ ମଧ୍ୟ ମାର୍ଗଦର୍ଶନ ଦିଏ।

ସମ୍ବନ୍ଧିତ ଖବର