ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍ କର୍ମସ (ଆଇସିସି ) ଆୟୋଜିତ ନିଯୁକ୍ତି ମେଳା ୨୦୨୪ ଗ୍ରାଣ୍ଡ ଲୁମ୍ବିନି କନଭେନସନ୍ରେ ଉତ୍ସାହ ଓ ଉଦ୍ଦୀପନା ସହ ଆରମ୍ଭ ହୋଇଛି। ଆଇସିସି ଦକ୍ଷତା ଓ ଶିକ୍ଷା କମିଟି ଆବାହିକା ସିକତା ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ମେଳାକୁ ରାଜ୍ୟପାଳ ରଘୁବର ଦାସ ଉଦ୍ଘାଟନ କରି କହିଛନ୍ତି, ଏହି ରୋଜଗାର ମେଳା ଚାକିରି ଖୋଜୁଥିବା ଯୁବକ ଯୁବତୀମାନଙ୍କୁ ସଶକ୍ତ କରିଛି। ଏହା ରାଷ୍ଟ୍ରୀୟ ବିକାଶ ନିମନ୍ତେ ସାର୍ଥକ ଅବସର ପ୍ରଦାନ କରୁଛି। ରୋଜଗାର ମେଳା ସହ ହସ୍ତତନ୍ତ ହସ୍ତଶିଳ୍ପ ଉପରେ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉ। ଏହାଦ୍ବାରା ଅନେକ ଚାକିରି ସୃଷ୍ଟି ହୋଇପାରିବ। ଏହାସହ ରାଜ୍ୟପାଳ ଆଇସିସିକୁ ଧନ୍ୟବାଦ ଜଣାଇବା ସହ ଚାକିରି ପାଇବାକୁ ଥିବା ଆଶାୟୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଆଇସିସି ଓଡିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଜେବି ପାଣିଙ୍କ ଅଧ୍ୟକ୍ଷତାରେ ଉପାଧ୍ୟକ୍ଷ ରାଜୀବ ଏସ୍ ସାହୁ, ଆଇସିସି ଦକ୍ଷତା ଶିକ୍ଷା କମିଟି ଉପଦେଷ୍ଟା ବଦ୍ରି ଏନ୍ ପଟ୍ଟନାୟକ, ଏସ୍ଏନ୍ଏମ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି ଓ ଆଇସିସି ଆଞ୍ଚଳିକ ନିର୍ଦ୍ଦେଶକ ଜେପି ପାଲ ଉପସ୍ଥିତ ଥିଲେ। ଉଦ୍ଘାଟନର ପ୍ରଥମ ଦିନରେ ଖୁବ୍ ଭିଡ଼ ଦେଖା ଯାଇଥିଲା। ୧ ହଜାରରୁ ଊର୍ଦ୍ଧ୍ୱ ଆବେଦନକାରୀ ସେଥିରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିରେ ତିନିଟି ଗୁରୁତ୍ବପୂର୍ଣ୍ଣ ବୈଷୟିକ ଅଧିବେଶନ ଥିଲା, ଯାହା ପ୍ରାର୍ଥୀମାନଙ୍କର ନିଯୁକ୍ତିଯୋଗ୍ୟତା ଦକ୍ଷତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲା। ପ୍ରଥମ ଅଧିବେଶନ "ନିଯୁକ୍ତି ସାକ୍ଷାତକାରର ପରିଚୟ" ନିଯୁକ୍ତି ପ୍ରାର୍ଥୀମାନଙ୍କୁ ନିଜର ବ୍ୟକ୍ତିତ୍ୱ ପ୍ରଦର୍ଶନ ଦିଗରେ ମୂଲ୍ୟବାନ ପରାମର୍ଶ ଏବଂ ପଦ୍ଧତି ଶିକ୍ଷା ଦେଇଥିଲା। ଦ୍ବିତୀୟ ଅଧିବେଶନର ପ୍ରସଙ୍ଗ ଥିଲା ‘ରେଜୁମେ ଏବଂ ଆବରଣପତ୍ରର ସୁଦୃଢୀକରଣ’, ଯାହା ପ୍ରାର୍ଥୀମାନଙ୍କୁ ଆକର୍ଷଣୀୟ ରେଜୁମେ ଓ ଆବରଣପତ୍ର (କଭର୍ ଲେଟର୍)ତିଆରି କରିବା ଦିଗରେ କୌଶଳ ପ୍ରଦାନ କରିଥିଲା। ଅନ୍ତିମ ଅଧିବେଶନ ‘ଟେକ୍ନିକାଲ୍ ସାକ୍ଷାତକାର ପ୍ରସ୍ତୁତି’ରେ ପ୍ରାର୍ଥୀମାନଙ୍କୁ ବୈଷୟିକ ସାକ୍ଷାତକାର ପାଇଁ ପ୍ରସ୍ତୁତି ଓ ସଫଳ ହେବାର ଦିଗ ପ୍ରଦାନ କରିଥିଲା। ଏହି ଅଧିବେଶନଗୁଡ଼ିକ ଉତ୍କଳ ବିଶ୍ବବିଦ୍ୟାଳୟ, ଏକ୍ସଆଇଏମ୍ ବିଶ୍ବବିଦ୍ୟାଳୟ ଓ ଇନ୍ଫୋସିସ୍ର ବିଶିଷ୍ଟ ଅଧ୍ୟାପକମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଆଇସିସି ନିଯୁକ୍ତି ମେଳା ୨୦୨୪ ଦୁଇଦିନ ଚାଲୁ ରହିବ।