ନୂଆଦିଲ୍ଲୀ : ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଏହାର ଲୋକପ୍ରିୟ ବେବି ପାଉଡର ବିକ୍ରିକୁ ସାରା ବିଶ୍ବରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ବର୍ଷ ପୂର୍ବେ ଆମେରିକାରେ ଏହି ପାଉଡର୍ର ବିକ୍ରି ବନ୍ଦ ହୋଇଯାଇଛି। ଟକ୍ ଭିତ୍ତିକ ବେବି ପାଉଡର୍ ବଦଳରେ କଂପାନି କର୍ଣ୍ଣଷ୍ଟାର୍ଚ (ମକାରୁ ପ୍ରସ୍ତୁତ ଅଟା) ଭିତ୍ତିକ ବେବି ପାଉଡର ବିକ୍ରି କରିବ। କେତେକ ଦେଶରେ ଏହି ଧରଣର ପାଉଡର ବିକ୍ରି ଆରମ୍ଭ ହୋଇଯାଇଛି। ଜନ୍ସନ୍ର ବେବି ପାଉଡରକୁ ନେଇ ବିଶ୍ବର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହେବା ଓ ମିଥ୍ୟା ପ୍ରଚାର ହେବା ଯୋଗୁଁ ଆମେରିକା ଓ କାନାଡାରେ ତାହାର ଚାହିଦା କମିଯାଇଥିଲା। ସେଥିପାଇଁ କଂପାନି ସେହି ଦୁଇ ଦେଶରେ ତାହାର ବିକ୍ରି ବନ୍ଦ କରିଦେଇଛି। କଂପାନି ବିରୋଧରେ ଏହି ପାଉଡରକୁ ନେଇ ବିଭିନ୍ନ ସ୍ଥାନରେ ପ୍ରାୟ ୩୮,୦୦୦ ମାମଲା ରୁଜୁ ହୋଇଛି। ଅଧିକାଂଶ ମାମଲାରେ ଦାବି କରାଯାଇଛି ଯେ ଜନ୍ସନ୍ର ଟକ୍ ବେବି ପାଉଡର୍ ଯୋଗୁଁ କ୍ୟାନ୍ସର୍ ହେବାର ଆଶଙ୍କା ରହିଛି କାରଣ ସେଥିରେ କାର୍ସିନୋଜେନ୍ ଉପାଦାନ ରହିଛି। ସେହି ଅଭିଯୋଗକୁ କଂପାନି ଖଣ୍ଡନ କରୁଛି। ଦଶନ୍ଧି ଦଶନ୍ଧି ଧରି ଗବେଷଣା ଓ ବ୍ୟାପକ ପରୀକ୍ଷଣ ପରେ ବ୍ୟବହାର ପାଇଁ ପାଉଡର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଅନୁମୋଦନ ମିଳିଛି। ସେଥିରେ ଆଜବେଷ୍ଟସ୍ ଭଳି କୌଣସି ଉପାଦାନ ନାହିଁ।
୧୮୯୪ରୁ ଜନ୍ସନ୍ର ବେବି ପାଉଡର ବିକ୍ରି ହେଉଛି। ସେହି ପାଉଡର ଜରିଆରେ କଂପାନି ପ୍ରତିଟି ପରିବାରରେ ନିଜକୁ ପହଞ୍ଚାଇଥିଲା। କିନ୍ତୁ ୧୯୭୧ରୁ ୨୦୦୦ ମଧ୍ୟରେ ଏହି ପାଉଡର୍କୁ ବିଭିନ୍ନ ସମୟରେ ପରୀକ୍ଷଣ କରିବା ବେଳେ ସେଥିରେ ଆଜବେଷ୍ଟସ୍ ଉପାଦାନ ଥିବା ଧରାପଡ଼ିଥିଲା। ଏହି ପାଉଡରର ବିକ୍ରିକୁ ସାରା ବିଶ୍ବରେ ବନ୍ଦ କରିବା ଲାଗି କଂପାନିର ଅଂଶଧନକାରୀମାନେ ଏପ୍ରିଲରେ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ଉପରେ ସହମତି ହୋଇପାରିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/johnsons.jpg)