ମାର୍ଚ୍ଚରେ ଆସିବ ନିଯୁକ୍ତି ରିପୋର୍ଟ!

ନୂଆଦିଲ୍ଲୀ: ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ପକ୍ଷରୁ ପ୍ରସ୍ତୁତ ନିଯୁକ୍ତି ସଂକ୍ରାନ୍ତ ବିବାଦୀୟ ରିପୋର୍ଟ ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ। ଏ ସଂକ୍ରାନ୍ତ ରିପୋର୍ଟକୁ ବିଶେଷଜ୍ଞମାନେ ଅନୁଧ୍ୟାନ କରିବା ପରେ ଏହାକୁ ପ୍ରକାଶ କରାଯିବ ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଦେଶରେ ବେକାରି ହାର ଗତ ୪୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ବୋଲି ଗତମାସରେ ଏକ ରିପୋର୍ଟ ପଦାକୁ ଆସିଥିଲା। ସରକାର କିନ୍ତୁ ଏହି ରିପୋର୍ଟକୁ ଗ୍ରହଣ କରି ନଥିଲେ। ନିତି ଆୟୋଗ ପକ୍ଷରୁ ସଫେଇ ଦିଆଯାଇଥିଲା ଏହା ଚୂଡ଼ାନ୍ତ ନୁହେଁ, ବରଂ ଏକ ଚିଠା ରିପୋର୍ଟ। ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ, ସରକାର ମାର୍ଚ୍ଚରେ ନିଯୁକ୍ତିର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିବେ। ତେଣୁ ମାର୍ଚ୍ଚରେ ଏହି ରିପୋର୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ତେବେ କେଉଁ ତାରିଖରେ ପ୍ରକାଶ ପାଇବ ସେ ନେଇ ‌ଅଧିକାରୀ ଜଣକ କିଛି କହିନାହାନ୍ତି। ପୂର୍ବରୁ ଏକ ବିଶେଷଜ୍ଞ କମିଟି ଉକ୍ତ ରିପୋର୍ଟକୁ ଅନୁଧ୍ୟାନ କରିଥିଲେ। କିନ୍ତୁ ରିପୋର୍ଟ ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତି ବା ମେଥଡୋଲୋଜିକୁ ପୁନର୍ବାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଯଥାସାଧ୍ୟ ଚେଷ୍ଟା ଚଳାଇଛୁ। ମାସ ଶେଷ ସୁଦ୍ଧା ରିପୋର୍ଟ ପ୍ରକାଶ ପାଇବା ସମ୍ଭାବନା ରହିଛି। ତେବେ କେ‌ଉଁ ତାରିଖରେ ଏହା ପ୍ରକାଶ ପାଇବ ତାହା କହିବା କଷ୍ଟକର ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର