ମୁମ୍ବାଇ: ଘରୋଇ ଆଇଡିଏଫ୍ସି ବ୍ୟାଙ୍କ ଓ ଅଣ ବ୍ୟାଙ୍କିଂ ସେବା ପ୍ରଦାନକାରୀ କମ୍ପାନି କ୍ୟାପିଟାଲ ଫାଷ୍ଟ୍ ମଧ୍ୟରେ ମିଶ୍ରଣ ହେବ। ଏହି ଦୁଇ ସଂସ୍ଥା ମିଶ୍ରଣ ଦ୍ୱାରା ଯେଉଁ ନୂଆ ସଂସ୍ଥା ଗଠନ ହେବ ତାହା ମୋଟ ୮୮ ହଜାର କୋଟି ଟଙ୍କା ପରିଚାଳନା କରିବ। ଦୁଇ ସଂସ୍ଥାର ମିଶ୍ରଣ ଦ୍ୱାରା ନୂଆ ସଂସ୍ଥାର ଶାଖା ସଂଖ୍ୟା ୧୯୪ ଏବଂ ଗ୍ରାହକ ସଂଖ୍ୟା ୫୦ ଲକ୍ଷରୁ ଅଧିକ ରହିବ। ଏହି ଦୁଇ ସଂସ୍ଥାର ମିଶ୍ରଣକୁ ଉଭୟ ଆଇଡିଏଫ୍ସି ବ୍ୟାଙ୍କ ଓ କ୍ୟାପିଟାଲ ଫାଷ୍ଟ୍ର ନିର୍ଦେଶକ ବୋର୍ଡ ଆଜି ମଞ୍ଜୁରି ଦେଇଛି। ୨୦୧୮ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ତେବେ ଏହି ମିଶ୍ରଣକୁ ରିଜର୍ଭ ବ୍ୟାଙ୍କ ଏବଂ ସେବି ଭଳି ନିୟାମକ ସଂସ୍ଥାର ମଞ୍ଜୁରି ମିଳିବା ଆବଶ୍ୟକ। ଆଜିର ମିଶ୍ରଣ ଘୋଷଣା ପରେ ଆଇଡିଏଫ୍ସି ବ୍ୟାଙ୍କର ସିଏଫ୍ଓ ବିପିନ ଗେମାନି ଇସ୍ତଫା ଦେଇଛନ୍ତି। ମିଶ୍ରଣ ପାଇଁ ହୋଇଥିବା ରାଜିନାମା ଅନୁଯାୟୀ, ଉଭୟ କମ୍ପାନି ମଧ୍ୟରେ ସେୟାର ଅଦଳବଦଳ ଅନୁପାତ ୧୩୯:୧୦ ରହିବ। ଅର୍ଥାତ ଆଇଡିଏଫ୍ସିର ୧୩୯ଟି ସେୟାର କ୍ୟାପିଟାଲ ଫାଷ୍ଟ୍ର ୧୦ଟି ସେୟାର ସହିତ ସମାନ ହେବ। ନୂଆ କମ୍ପାନିର ଏମ୍ଡି ତଥା ସିଇଓ ଭି. ବୈଦ୍ୟନାଥନ ହେବେ। ଶ୍ରୀ ବୈଦ୍ୟନାଥନ୍ ଏବେ କ୍ୟାପିଟାଲ ଫାଷ୍ଟ୍ର ସିଏମ୍ଡି ରହିଛନ୍ତି।
ଦୁଇ ସଂସ୍ଥାର ବୋର୍ଡ ଦେଲା ମଞ୍ଜୁରି
ସେୟାର ଅଦଳବଦଳ ଅନୁପାତ ୧୩୯:୧୦
ଶାଖା ସଂଖ୍ୟା ୧୯୪, ଗ୍ରାହକ ସଂଖ୍ୟା ୫୦ ଲକ୍ଷ ରହିବ
ଅନ୍ୟପକ୍ଷରେ ଆଇଡିଏଫ୍ସି ବ୍ୟାଙ୍କର ପ୍ରତିଷ୍ଠାତା ଏମ୍ଡି ଓ ସିଇଓ ଥିବା ରାଜୀବ ଲାଲ ଆଇଡିଏଫ୍ସି ବ୍ୟାଙ୍କର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ସମ୍ଭାଳିବେ। ଦୁଇ କମ୍ପାନିର ମିଶ୍ରଣ ପ୍ରକ୍ରିୟା ତାଙ୍କ ତତ୍ତ୍ୱାବଧାନରେ ହେବ। ଲାଲ୍ଙ୍କ ସ୍ଥାନରେ ବୋର୍ଡରେ ମଙ୍ଗଡ ରହିବେ। ବୀଣା ଆଇଡିଏଫ୍ସି ବ୍ୟାଙ୍କ ନିଜକୁ କେବଳ ଏକ ଭିତ୍ତିଭୂମି କ୍ଷେତ୍ରର ଋଣ ପ୍ରଦାନକାରୀ ସଂସ୍ଥା ପରିବର୍ତେ ସାର୍ବଜନୀନ ବ୍ୟାଙ୍କ ହେବାକୁ ଲକ୍ଷ୍ୟ ରଖିଛି। ସେହିଭଳି କ୍ୟାପିଟାଲ ଫାଷ୍ଟର ମଧ୍ୟ ସାର୍ବଜନୀନ ବ୍ୟାଙ୍କ ହେବାର ଲକ୍ଷ୍ୟ ରହିଛି। ଏଥିପାଇଁ ଉଭୟ ସଂସ୍ଥା ମଧ୍ୟରେ ମିଶ୍ରଣ ଯୋଜନା କରାଯାଇଛି। କ୍ୟାପିଟାଲ ଫାଷ୍ଟ୍ ସହିତ ମିଶ୍ରଣ ପୂର୍ବରୁ ଆଇଡିଏଫ୍ସି ବ୍ୟାଙ୍କ ଶ୍ରୀରାମ କ୍ୟାପିଟାଲ ସହିତ ମିଶ୍ରଣ ଉଦ୍ୟମ କରିଥିଲା। କିନ୍ତୁ ସେଥିରେ ବିଫଳ ହେବାରୁ ଆଇଡିଏଫ୍ସି ବ୍ୟାଙ୍କ ଏହି ପଦକ୍ଷେପ ନେଇଛି।