ଜେଏସ୍‌ପିଏଲ୍‌ର ବେସିକ୍‌ ଅକ୍ସିଜେନ୍‌ ଫର୍ଣ୍ଣାସ୍‌ କାମ ଶେଷ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ଵାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ଅନୁଗୁଳସ୍ଥିତ କାରଖାନାରେ ୨୫୦ ଟନ୍‌ କ୍ଷମତା ବିଶିଷ୍ଟ ବେସିକ୍‌ ଅକ୍ସିଜେନ୍‌ ଫର୍ଣ୍ଣାସ୍‌ (ବିଓଏଫ୍‌) କାର୍ଯ୍ୟ ଶେଷ ହୋଇଛି। ଏଥି ସହିତ କଂପାନି ବାର୍ଷିକ ୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏହାର ସମନ୍ଵିତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ଶେଷ କରିଛି। ବିଓଏଫ୍‌ କାର୍ଯ୍ୟକ୍ଷମ ହେବା ପରେ କଂପାନି ଏହାର ବ୍ଲାଷ୍ଟ ଫର୍ଣ୍ଣେସ୍‌ କ୍ଷମତାକୁ ପୂର୍ଣ୍ଣ ବିନିଯୋଗ କରିପାରିବ। ନିର୍ଦିଷ୍ଟ ସମୟ ସୀମା ଭିତରେ ବିଓଏଫ୍‌ କାମ ଶେଷ ହୋଇଥିବାରୁ କାରଖାନା ପରିସରରେ ଉପସ୍ଥିତ ରହି କଂପାନିର ଅଧ୍ୟକ୍ଷ ନବୀନ ଜିନ୍ଦଲ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଓଏଫ୍‌ରେ ୨୫୦ ଟନ୍‌ ଲାଡଲ୍‌ ରହିଛି ଯାହା ବାର୍ଷିକ ୩ ନିୟୁତ ଟନ୍‌ ଉଚ୍ଚ ମାନର ଇସ୍ପାତ ନିର୍ମାଣ କରିପାରିବ। ଡ୍ରାଏ ଗ୍ୟାସ୍‌ କ୍ଲିନିଙ୍ଗ ସିଷ୍ଟମ୍‌ ଥିବା ଏହା ଦେଶର ଏକମାତ୍ର କନଭର୍ଟର ସପ୍‌। ଏହା ପରିବେଶ ଉପଯୋଗୀ ମଧ୍ୟ। ବିଓଏଫ୍‌ କମ୍‌ ଶକ୍ତି ଆବଶ୍ୟକ କରେ ଏବଂ କନଭର୍ଟର ଗ୍ୟାସ୍‌ ଉତ୍ପାଦନ କରିଥାଏ। ଏହି ଗ୍ୟାସ୍‌କୁ କାରଖାନାରେ ଥିବା ବିଭିନ୍ନ ୟୁନିଟ୍‌ରେ ବ୍ୟବହାର କରାଯାଇପାରିବ। ଏସ୍‌ଏମ୍‌ଏସ୍‌ ଗ୍ରୁପ୍‌ ଏହି ବିଓଏଫ୍‌ର ଇଞ୍ଜିନିୟରିଂ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଯନ୍ତ୍ରାଂଶ ମଧ୍ୟ ଯୋଗାଇଛି। ୩୩ ହଜାର କୋଟି ଟଙ୍କା ବିନିଯୋଗରେ ଜେଏସ୍‌ପିଏଲ୍‌ ଅନୁଗୁଳଠାରେ ଓଡ଼ିଶାର ସର୍ବବୃହତ ଏବଂ ଅତ୍ୟାଧୁନିକ କାରଖାନା ନିର୍ମାଣ କରିଛି।

ସମ୍ବନ୍ଧିତ ଖବର