ଭୁବନେଶ୍ବର: ଅନୁଗୁଳରେ ୪୭ ହଜାର କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଇଥିବା ବୃହତ ଇସ୍ପାତ ପ୍ରକଳ୍ପର କଞ୍ଚାମାଲ ଆବଶ୍ୟକତାକୁ ନେଇ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍)ର ମୁଖ୍ୟ ନବୀନ ଜିନ୍ଦଲ ଚିନ୍ତିତ ହୋଇପଡ଼ିଛନ୍ତି। କାରଖାନା ଲାଗି କଞ୍ଚାମାଲ ଯୋଗାଣକୁ ନିଶ୍ଚିତ କରିବା ଲାଗି ସେ ଆଜି ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଓ ଶିଳ୍ପ ଏବଂ ଖଣି ସମେତ ଅନ୍ୟ କିଛି ବିଭାଗର ସଚିବମାନଙ୍କୁ ଲୋକ ସେବା ଭବନରେ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଶ୍ରୀ ଜିନ୍ଦଲ କହିଛନ୍ତି ଯେ, ଖଣି ନିଲାମ ବେଳେ କ୍ୟାପ୍ଟିଭ୍ ବ୍ୟବହାର ପାଇଁ ଖଣି ଆବଣ୍ଟନକୁ ପ୍ରାଥମିକତା ଦେବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ଆମେ ଏଠାରେ ବିଶାଳ କାରଖାନା ସ୍ଥାପନ କରିଛୁ ଯେଉଁଥିରେ ୩୦-୪୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି। ଏହି କାରଖାନା ଚାଲୁ ରଖିବା ଲାଗି କଞ୍ଚାମାଲ ନିହାତି ଆବଶ୍ୟକ। ନିଲାମ ବେଳେ ଆମ ଭଳି କଂପାନିର ଆବଶ୍ୟକତାକୁ ବିଚାରକୁ ନେବା ପାଇଁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। କିଛି ମାସ ଭିତରେ ଆନ୍ତର୍ଜାତିକ ବଜାରରେ ଇସ୍ପାତ ଦାମ୍ ୩୦% ହ୍ରାସ ପାଇବା ଏବଂ ଲୁହା ପଥର ମୂଲ୍ୟ ମଧ୍ୟ କମିଥିବା ଯୋଗୁ ଇସ୍ପାତ କଂପାନିଗୁଡ଼ିକ ଜଟିଳ ସମୟ ଦେଇ ଗତି କରୁଛନ୍ତି। ସେଭଳି ଏକ ସମୟରେ କଞ୍ଚାମାଲ ଅଭାବ ହେଲେ କଂପାନିଗୁଡ଼ିକର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯିବାର ଆଶଙ୍କା ରହିଛି। ସୁନ୍ଦରଗଡ଼ର ଟେନ୍ସାରେ ଜେଏସ୍ପିଏଲ୍ର ଏକ ଛୋଟ ଲୁହା ପଥର ଖଣି ରହିଛି ଯାହା କଂପାନିର ୧୦% ଆବଶ୍ୟକତା ପୂରଣ କରୁଛି। ବଳକା ୧ ନିୟୁତ ଟନ୍ ପାଖାପାଖି ଲୁହା ପଥରକୁ କଂପାନି ବାହାରୁ କିଣୁଛି। ଦୀର୍ଘମିଆଦୀ ଭିତ୍ତିରେ କଞ୍ଚାମାଲ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି କଂପାନି ଏକ କ୍ୟାପ୍ଟିଭ୍ ଲୁହା ପଥର ଖଣି ନିହାତି ଦରକାର କରୁଛି। ମାତ୍ର ନୂଆ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ଲାଗୁ ହେବା ପରେ ନିଲାମ ଜରିଆରେ ଖଣି ଆବଣ୍ଟନକୁ ବାଧ୍ୟତାମୂଳକ କରାଯାଇଥିବାରୁ କଂପାନି ପାଖରେ ନିଲାମକୁ ଅପେକ୍ଷା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।
ଜାଳେଣି ପାଇଁ କୋଇଲା ଉପରେ ନିର୍ଭର କରୁଥିବା ଜେଏସ୍ପିଏଲ୍କୁ ୨୦୦୩ରେ ଅନୁଗୁଳ ଜିଲ୍ଲାରେ ଥିବା ଏକ କୋଇଲା ଖଣି ଆବଣ୍ଟନ କରାଯାଇଥିଲା। କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପ ପାଇଁ ତାହା ଦିଆଯାଇଥିଲା। ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଦେଶରେ ସବୁ କୋଇଲା ଖଣିର ଆବଣ୍ଟନ ରଦ୍ଦ ହେବା ପରେ ଜେଏସ୍ପିଏଲ୍ ସେହି ଖଣିକୁ ହରାଇଛି। କୋଇଲା ଖଣି ପାଇଁ ମଧ୍ୟ କଂପାନି ନିଲାମକୁ ଅପେକ୍ଷା କରିଛି। ୨୦୨୦ରେ ଅନେକ ଖଣିର ଲିଜ୍ ଅବଧି ଶେଷ ହେଉଛି। ସେଗୁଡ଼ିକୁ ପୁଣି ଥରେ ନିଲାମ କରିବା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି।
ଏହି ଅବସରରେ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଉପରେ ସେ ମତ ରଖି କହିଛନ୍ତି ଯେ, ବେକାରୀ ସମସ୍ୟାକୁ ଦୂର କରିବାକୁ ହେଲେ ଦେଶକୁ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଭାରତରେ ଇସ୍ପାତ ଓ ବିଦ୍ୟୁତ ବ୍ୟବହାର ପରିମାଣ କମ୍ ରହିଛି। ଏହି ଦୁଇ କ୍ଷେତ୍ରରେ ଉନ୍ନତି ଆଣିବାରେ ଭାରତ ପାଖରେ ସୁଯୋଗ ରହିଛି। ପୁଞ୍ଜିନିବେଶ ପରିମାଣ ବଢ଼ିଲେ ଅଭିବୃଦ୍ଧି ହାର ବଢ଼ିପାରିବ ବୋଲି ସେ କହିଛନ୍ତି।