ଖଣି ନିଲାମରେ ଭାଗନେବ ଜେଏସ୍‌ପିଏଲ୍‌: ମୁଖ୍ୟ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୁବନେଶ୍ବର: ରାଜ୍ୟରେ ଖଣି ଓ ଧାତବ ଶିଳ୍ପରେ ପୁଣି ଉଷ୍ମତା ବୃଦ୍ଧି ପାଇଛି। ଦୁଇ ଦିନରେ ଇସ୍ପାତ ଶିଳ୍ପର ଦୁଇ ଚର୍ଚ୍ଚିତ ଉଦ୍ୟୋଗୀ ଓଡ଼ିଶା ଗସ୍ତ କରିଛନ୍ତି। ଶନିବାର ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ୍‌ (ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଅନୁଗୁଳ କାରଖାନାର ସମ୍ପ୍ରସାରଣ ଲାଗି ଅନୁମୋଦନ ପ୍ରଦାନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଇସ୍ପାତ ଓ ଖଣି ସଚିବ ଦେଓରଂଜନ କୁମାର ସିଂହଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ‌ରାଜ୍ୟ ଭିତରେ ଥିବା କାରଖାନାଗୁଡ଼ିକର କଞ୍ଚାମାଲ ଆବଶ୍ୟକତା ପୂରଣ କରିବା ଲାଗି ରହିଥିବା ପ୍ରି-ଏମ୍ପ୍‌ସନ୍ ନୀତିକୁ ସେ ପ୍ରଶଂସା କରିଛନ୍ତି। ସ୍ବଚ୍ଛତାର ସହ ଲୁହାପଥର ଖଣିଗୁଡ଼ିକର ନିଲାମ ବେଶ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଜିନ୍ଦଲଙ୍କ ସହ କଂପାନିର ପରିଚାଳନା ନିର୍ଦ୍ଦେଶକ ଭି ଆର ଶର୍ମା, ନିର୍ଦ୍ଦେଶକ (ଅର୍ଥ) ଏନ କେ ମିଶ୍ର, ମନୀଷ ଖରବନ୍ଦା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏସପିଏଲର ଇଭିପି (କର୍ପୋରେଟ ଆଫେୟାର୍ସ) ବିଭୂ ପ୍ରସାଦ ମିଶ୍ର, ଭିପି ଆଶିଷ ପାଣ୍ଡେ ଏବଂ ପ୍ରେସିଡେଣ୍ଟ (ସିଏସଆର ଏବଂ ସଷ୍ଟେନେବିଲିଟି) ପ୍ରଶାନ୍ତ ହୋତା ମଧ୍ୟ ଉପସ୍ଥିତ ଥିଲେ।

୨୦୩୦ ସୁଦ୍ଧା ଜେଏସ୍‌ପିଏଲ୍‌ ଏହାର ଅନୁଗୁଳ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୬ ନିୟୁତ ଟନ୍‌ରୁ ବଢ଼ାଇ ୨୫.୨ ନିୟୁତ ଟନ୍‌ କରିବ। ଏହା ପରେ କଂପାନିର ଅନୁଗୁଳ କାରଖାନା ହେବ ବିଶ୍ବର ସର୍ବବୃହତ ଇସ୍ପାତ କାରଖାନା। ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ଜେଏସ୍‌ପିଏଲ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛି। ଶନିବାର ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶର୍ମା କହିଛନ୍ତି ଯେ ଓଡିଶାରେ ଲୁହାପଥର ଖଣିର ନିଲାମରେ ଜେଏସ୍‌ପିଏଲ୍‌ ଅଂଶଗ୍ରହଣ କରିବ। ନିଲାମର ଫଳାଫଳ ଯାହାବି ହେଉ, ଆମେ ନିଶ୍ଚିତ ଯେ ରାଜ୍ୟ ସରକାର ଓଡିଶାରେ ଥିବା ଶିଳ୍ପଗୁଡିକକୁ କଞ୍ଚାମାଲ ସୁରକ୍ଷା ଦେବେ। ରାଜ୍ୟର ପ୍ରି-ଏମ୍ପିସନ୍ ନୀତିରେ ରାଜ୍ୟ ମଧ୍ୟରେ ଖଣିଜ ସଂପଦର ମୂଲ୍ୟ ଯୋଗକୁ ସରକାର ପ୍ରୋତ୍ସାହିତ କରିବା ଜାରି ରଖିବେ ବୋଲି ସେ କହିଛନ୍ତି। ଜେଏସ୍‌ପିଏଲ୍‌ ରାଜ୍ୟରେ ୪୫ ହଜାର କୋଟି ଟଙ୍କା ନିବେଶ କରିଛି। ଅନୁଗୁଳ କାରଖାନା ବ୍ୟତୀତ କେନ୍ଦୁଝରର ବଡ଼ବିଲରେ ଏହାର ବାର୍ଷିକ ୯ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ପେଲେଟ୍‌ ପ୍ଲାଣ୍ଟ୍‌ ରହିଛି। ଆସନ୍ତା ୧୦ ବର୍ଷରେ ରାଜ୍ୟରେ କଂପାନି ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ବେସରକାରୀ କ୍ଷେତ୍ର ବର୍ଗରେ ଓଡିଶା ଏବଂ ଛତିଶଗଡର ସର୍ବାଧିକ ଜିଏସ୍‌ଟି ପ୍ରଦାନକାରୀ ହୋଇଥିବାରୁ ଜେଏସପିଏଲ୍‌କୁ ଭାରତ ସରକାର ନିକଟରେ ସମ୍ମାନିତ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ଏନ୍ ମିତ୍ତଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କେନ୍ଦ୍ରାପଡ଼ାର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ ଓ ରାଜ୍ୟରେ ଥିବା ତାଙ୍କ କଂପାନିର ଅନ୍ୟ ପ୍ରକଳ୍ପଗୁଡ଼ିକ ବିଷୟରେ ଆଲୋଚନା କରିବା ସହ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ସେ ପାରାଦୀପ ଓ କେନ୍ଦ୍ରାପଡ଼ା ମଧ୍ୟ ଗସ୍ତ କରିଥିଲେ। ଆର୍ସେଲର ମିତ୍ତଲର ସହଯୋଗୀ ସଂସ୍ଥା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍‌ଏନ୍‌ଏସ୍‌) କେନ୍ଦ୍ରାପଡ଼ାରେ ୫୦ ହଜାର କୋଟି ଟଙ୍କା ନିବେଶରେ ଏକ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ବାକ୍ଷର କରିଛି।

ସମ୍ବନ୍ଧିତ ଖବର