ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ଓ ଲକଡାଉନ ଯୋଗୁଁ ବିଭିନ୍ନ ଶିଳ୍ପସଂସ୍ଥା ନିଜ ନିଜର ବ୍ୟବସାୟିକ ଯୋଜନାକୁ ସ୍ଥଗିତ ରଖୁଛନ୍ତି । ଜେଏସଜଡବ୍ଲୁ ଷ୍ଟିଲ ପକ୍ଷରୁ ଓଡ଼ିଶାରେ ଥିବା ଜିଏମଆର କମଳାଙ୍ଗ ପ୍ଲାଣ୍ଟର ଅଧିଗ୍ରହଣକୁ ସ୍ଥଗିତ ରଖାଯାଇଛି । ଫଳରେ କ୍ଷତିରେ ଚାଲୁଥିବା ଜିଏମଆର ପ୍ଲାଣ୍ଟର ପୁନରୁଦ୍ଧାର ଯୋଜନା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।
ଢେଙ୍କାନାଳ ଜିଲ୍ଲାରେ ଥିବା ୧୦୫୦ ମେଗାଓ୍ୱାଟ କ୍ଷମତା ସଂପନ୍ନ ଜିଏମଆର କମଳାଙ୍ଗ ତାପଜ ବିଦ୍ୟୁତ ପ୍ରକଳ୍ପକୁ ୫୩୨୧ କୋଟି ଟଙ୍କା ବିନିମୟରେ ଅଧିଗ୍ରହଣ କରିବା ସଂପର୍କରେ ଗତ ଫେବ୍ରୁଆରି ମାସରେ ଜେଏସଡବ୍ଲୁ ଏନର୍ଜି ଘୋଷଣା କରିଥିଲା । ଏହି ଅଧିଗ୍ରହଣ ସଂପୂର୍ଣ ହୋଇଥିଲେ ଜିଏମଆର ନିଜର ଋଣ ହ୍ରାସ କରିପାରିଥାନ୍ତା ଓ ଜେଏସଡବ୍ଲୁ ମଧ୍ୟ ଓଡ଼ିଶାରେ ନିଜସ୍ଥିତିକୁ ସୁଦୃଢ କରିପାରିଥାନ୍ତା ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ଏହି ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ବୋଲି ଜେଏସଡବ୍ଲୁ ଏନର୍ଜି ସିଇଓ ପ୍ରଶାନ୍ତ ଜୈନ କହିଛନ୍ତି । କରୋନା ଭାଇରସ ଓ ଲକଡାଉନ ପରିସ୍ଥିତି ଯୋଗୁଁ ଏବେ ବଜାରରୁ ଅର୍ଥ ଉଠାଇବା ସମ୍ଭବ ନୁହେଁ । ଏଣୁ ଅଧିଗ୍ରହଣ ପାଇଁ ଅର୍ଥ ଯୋଗାଡ଼ କଷ୍ଟକର ହୋଇପଡ଼ିବ ।
କେବଳ ଜିଏମଆର-କମଳାଙ୍ଗ ନୁହେଁ, ଓଡ଼ିଶାରେ ଥିବା ଆଉ ଏକ ତାପଜ ବିଦ୍ୟୁତ ପ୍ରକଳ୍ପ ଇଣ୍ଡ ବାରାଥ୍ ଏନର୍ଜି (ଉତ୍କଳ)କୁ ଖରିଦ କରିବା ଲାଗି ଜେଏସଡବ୍ଲୁ ଏବେ କମ୍ପାନି ଲ ଟ୍ରିବୁନାଲର ମଂଜୁରୀ ଅପେକ୍ଷାରେ ରହିଛି ।