ଜେଏସ୍‌ଡବ୍ଲୁ ମାଗୁଛି ଅଧିକ ଜମି, ସରକାର ପ୍ରସ୍ତାବର ଅନୁଧ୍ୟାନ କରୁଛନ୍ତି

ଭୁବନେଶ୍ବର: ପୋସ୍କୋ ଲାଗି ଅଧିଗ୍ରହଣ କରାଯାଇଥିବା ଜମିରେ ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଥିବା ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଳୁ ଷ୍ଟିଲ୍ ରାଜ୍ୟ ସରକାରଙ୍କୁ ଅଧିକ ଜମି ମାଗିଥିବା ଜଣାପଡ଼ିଛି। ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। କଂପାନିର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ସେ କହିଛନ୍ତି, ପୋସ୍କୋର ଜମି ଜେଏସ୍‌ଡବ୍ଳୁକୁ ହସ୍ତାନ୍ତର କରିବା ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଯେଉଁ ଅନୁରୋଧ କରାଯାଇଥିଲା ତାହା ଗ୍ରହଣୀୟ ହୋଇଛି। ଜେଏସଡବ୍ଲୁକୁ ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି ମିଳିଛି। ଜମି ହସ୍ତାନ୍ତର ଉପରେ ପୋସ୍କୋର କୌଣସି ଆପତ୍ତି ନାହିଁ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି। ପୋସ୍କୋ ଏହାର ପ୍ରସ୍ତାବିତ ପ୍ରକଳ୍ପ ଲାଗି ଅନ୍ୟ ଯେଉଁ ସବୁ ମଞ୍ଜୁରି ହାସଲ କରିଥିଲା ତାହାକୁ ଜେଏସଡବ୍ଲୁ ନାମକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏ ସମ୍ପର୍କିତ ଫାଇଲ୍‌ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି। ପୋସ୍କୋ ଲାଗି ୧୨୫୩ ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୧୦୭୩ ଏକର ଜମି ଜେଏସ୍‌ଡବ୍ଲୁକୁ ପ୍ରଦାନ କରାଯିବ। ବଳକା ୧୬୯ ହେକ୍ଟର ଜମିକୁ ଜଙ୍ଗଲ ବିଭାଗକୁ ଫେରାଇ ଦିଆଯିବ ବୋଲି କୁହାଯାଉଥିଲା। ଜେଏସ୍‌ଡବ୍ଲୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜୁଜଙ୍ଗ ବ୍ଲକ୍‌ର ୬ଟି ଗ୍ରାମ ପାଖାପାଖି ୪୦୦ ଲୋକ ପ୍ରଭାବିତ ହେବେ।

ଉଲ୍ଲେଖଯୋଗ୍ୟ, ଜେଏସ୍‌ଡବ୍ଲୁ ତରଫରୁ ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍ ନାମରେ ୫୦ ହଜାର କୋଟି ଟଙ୍କା ବିନିଯୋଗରେ ପୋସ୍କୋ ଜମିରେ ବାର୍ଷିକ ୧୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି। କଂପାନିର ପ୍ରସ୍ତାବକୁ ଆଧାର କରି ଏହା ନାମରେ ପୋସ୍କୋର ଜମି ଏବଂ ଜଗତସିଂହପୁରରେ ହେବାକୁ ଥିବା ପ୍ରସ୍ତାବିତ ବନ୍ଦର ବାବଦ ଜମିକୁ ମଧ୍ୟ ଜେଏସ୍‌ଡବ୍ଲୁକୁ ସ୍ଥାନାନ୍ତର କରାଯାଉଛି। ଓଡ଼ିଶାରେ ଆଗାମୀ ଦିନରେ ଯେଉଁ ଲୁହା ପଥର ଖଣିଗୁଡ଼ିକ ନିଲାମ ହେବ ସେହି ପ୍ରକ୍ରିୟାରେ ମଧ୍ୟ ଜେଏସ୍‌ଡବ୍ଲୁ ଭାଗ ନେବାକୁ ଚାହୁଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଇନ୍‌ସଲ୍‌ଭେନ୍ସିର ସାମ୍ନା କରୁଥିବା ଏକ ସଂସ୍ଥାକୁ ମଧ୍ୟ ଜେଏସ୍‌ଡବ୍ଳୁ କିଣିବା ଲାଗି ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର