ଜେଏସ୍‌ଡବ୍ଲୁ ଇସ୍ପାତ ପ୍ରକଳ୍ପ ମଞ୍ଜୁର: ଖୋର୍ଦ୍ଧାରେ ହେବ ବର୍ଜର ପେଣ୍ଟ୍‌ସ କାରଖାନା

ଭୁବନେଶ୍ବର: ଜଗତସିଂହପୁରର ଜଟାଧାରରେ ଜେଏସ୍‌ଡବ୍ଲୁ ଗ୍ରୁପ୍ ସ୍ଥାପନ କରିବାକୁ ଥିବା ଜେଏସ୍‌ଡବ୍ଲୁ ଉତ୍କଳ ଇସ୍ପାତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧,୦୧,୮୦୪.୪୩ କୋଟି ଟଙ୍କାର ୯ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପ ମଞ୍ଜୁର କରାଯାଇଛି। ସେଥିରେ ଜେଏସ୍‌ଡବ୍ଲୁ ଉତ୍କଳର ନାମ ରହିଛି। ଏଚ୍‌ଏଲ୍‌ସିଏ ମଞ୍ଜୁର କରିଥିବା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୮,୫୬୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜେଏସ୍‌ଡବ୍ଲୁ ଉତ୍କଳ ରାଜ୍ୟରେ ୭୫,୦୦୦ କୋଟି ଟଙ୍କା ନିବେଶ କରି ପ୍ରଥମେ ୧୨ ନିୟୁତ ଟନ୍ ଉତ୍ପାଦନ କ୍ଷମତାର ଏକ ଇସ୍ପାତ କାରଖାନା ସ୍ଥାପନ କରିବ ଓ ପରବର୍ତ୍ତୀ ସମୟରେ ତାହାକୁ ୨୪ ନିୟୁତ ଟନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବ।

ଆଜି ଜିନ୍ଦଲ ଫେରସ ଲିମିଟେଡ୍‌, ଏମ୍ଏସ୍‌ପି ମେଟାଲିକ୍ସ, ଆଭାଡା ଇଲେକ୍ଟ୍ରୋ, ବର୍ଜର ପେଣ୍ଟ୍‌ସ, ଏଲ୍‌ଆଣ୍ଡ୍‌ଟି ଏନର୍ଜି ଗ୍ରିନ୍ ଟେକ୍, ଭାରତୀୟ ତୈଳ ନିଗମ, ପେଟ୍ରୋନେଟ୍ ଏଲ୍‌ଏନ୍‌ଜି ଓ ତୋଷାଳି ସିମେଣ୍ଟ୍‌ର ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସ୍ଥାପନ କରାଯିବ। ଜିନ୍ଦଲ ଫେରସ ଲିମିଟେଡ୍‌ ୩,୪୪୯ କୋଟି ଟଙ୍କା ନିବେଶ କରି ଯାଜପୁରର କଳିଙ୍ଗନଗରରେ ଏକ କାର୍ବନ ଷ୍ଟିଲ୍‌ ପ୍ଲାଣ୍ଟ୍‌ ସ୍ଥାପନ କରିବ। ସେହିପରି ଏମ୍ଏସ୍‌ପି ମେଟାଲିକ୍ସ ଲିମିଟେଡ୍‌ ୧୫୦୦ କୋଟି ଟଙ୍କା ନିବେଶରେ ଝାରସୁଗୁଡ଼ା ମାରକୁଟାରେ ଏହାର ପ୍ରକଳ୍ପର ସମ୍ପ୍ରସାରଣ କରିବ। ଆଭାଡା ଇଲେକ୍ଟ୍ରୋ ୧୧,୩୦୦ କୋଟି ଟଙ୍କା ନିବେଶ କରି ଖୋର୍ଦ୍ଧାର ହଳଦିଆପଡ଼ାରେ ଏକ ଇନ୍‌ଗଟ୍, ୱାଫର, ସୋଲାର ସେଲ୍‌ ଓ ମଡ୍ୟୁଲ ଉତ୍ପାଦନ କାରଖାନା ବସାଇବ।

ଖୋର୍ଦ୍ଧାର କାଳିବେଟିରେ ବର୍ଜର ପେଣ୍ଟ୍‌ସ ୧୪୫୮ କୋଟି ଟଙ୍କା ନିବେଶ କରି ଏକ କାରଖାନା ବସାଇବ। ପାରାଦୀପରେ ଏଲ୍‌ଆଣ୍ଡ୍‌ଟି ଏନର୍ଜି ଗ୍ରିନ୍ ଟେକ୍ ୧୦୩୦ କୋଟି ଟଙ୍କା ନିବେଶରେ ଏକ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ଭାରତୀୟ ତୈଳ ନିଗମ ଭଦ୍ରକର ଭଣ୍ଡାରୀପୋଖରିରେ ୪୩୭୭ କୋଟି ଟଙ୍କା ନିବେଶ କରି ଏକ ପଲିଷ୍ଟର ଉତ୍ପାଦନ କାରଖାନା ବସାଇବ। ଗଞ୍ଜାମର‌ ଗୋପାଳପୁରରେ ଏକ ଏଲ୍‌ଏନ୍‌ଜି ଟର୍ମିନାଲ୍ ସ୍ଥାପନ କରିବା ଲାଗି ପେଟ୍ରୋନେଟ୍ ଏଲ୍‌ଏନ୍‌ଜି ୨୩୦୬ କୋଟି ନିବେଶ କରିବ। କୋରାପୁଟରରେ ତୋଷାଳି ସିମେଣ୍ଟ୍‌ସ ଏହାର କାରଖାନା କ୍ଷମତାର ସମ୍ପ୍ରସାରଣ କରିବ।

ସମ୍ବନ୍ଧିତ ଖବର