ଭୁବନେଶ୍ବର: ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ପକ୍ଷରୁ ଖଣି କ୍ଷେତ୍ରରେ ମହିଳାମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କଂପାନିର କେନ୍ଦୁଝରରେ ଥିବା ଯଜାଙ୍ଗ ଖଣିରେ ୯ ଜଣ ମହିଳା ହେମ୍‌ ଅପରେଟରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩୨ ଜଣଙ୍କୁ ତାଲିମ ଦିଆଯାଉଛି। ଡମ୍ପର, ଡୋଜର, ‌ସଭେଲ୍‌ ଏବଂ ଡ୍ରିଲ୍‌ ମେସିନ୍ ଚଳାଇବାରେ ଏହି ମହିଳାମାନଙ୍କୁ ସହାୟକ ଅପରେଟର ଭାବେ ନିଯୁକ୍ତ କରାଯାଉଛି। କଂପାନି ପକ୍ଷରୁ କୁହାଯାଇଛି ଯେ ୯୦ ଜଣ ଅପରେଟର ତାଲିମ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦% ହେଉଛନ୍ତି ମହିଳା। ତାଲିମ ପରେ ସେମାନଙ୍କୁ ସିମୁଲେଟର ଚଲାଇବାକୁ ଅନୁମତି ଦିଆଯିବ। ଏପର୍ଯ୍ୟନ୍ତ ଜେଏସ୍‌ଡବ୍ଲୁ ଇସ୍ପାତ ଖଣି, ଓଡ଼ିଶା ଶାଖାରେ ୪୭ ଜଣ ମହିଳା କର୍ମଚାରୀ ଅଛନ୍ତି। ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରୁ ଅଧିକରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦିଆଯିବ ବୋଲି କଂପାନି ପକ୍ଷରୁ କୁହାଯାଇଛି।