ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ଅଭିନେତ୍ରୀ ଭାବେ ଉଭା ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲା। ସମ୍ପତ୍ତି ମାମଲାରେ ସେ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ୍ ଓ ପ୍ରିୟଙ୍କା  ଚୋପ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି। ଐଶ୍ବର୍ଯ୍ୟା ରାୟ, ଆଲିଆ, ପ୍ରିୟଙ୍କା ଓ ଦୀପିକାଙ୍କ ପାଖରେ ମିଳିତ ଭାବେ ଯେତିକି ସମ୍ପତ୍ତି ରହିଛି, ତା’ଠାରୁ ଅଧିକ ସମ୍ପତ୍ତି ଏକା ଜୁହିଙ୍କ ପାଖରେ ଅଛି। 

Advertisment

୨୦୨୪ ହୁରୁନ୍ ଧନୀ ତାଲିକା ଅନୁସାରେ ଜୁହିଙ୍କ ସମ୍ପତ୍ତି ପରିମାଣ ହେଉଛି ୪୬୦୦ କୋଟି ଟଙ୍କା। ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍ ସବୁଠୁ ଧନୀ ଅଭିନେତା ହୋଇଥିବା ବେଳେ ସେହି ତାଲିକାର ଦ୍ବିତୀୟ ସ୍ଥାନରେ ଜୁହିଙ୍କ ନାମ ରହିଛି। ନବେ ଦଶକର ଚର୍ଚ୍ଚିତ ଅଭିନେତ୍ରୀ ଜୁହିଙ୍କ ଜଣେ ଉଦ୍ୟୋଗୀ ମଧ୍ୟ। ରେଡ୍ ଚିଲିଜ୍ ଗ୍ରୁପ୍, ଆଇପିଏଲ୍‌ର ଟିମ୍ କୋଲ୍‌କାତା ନାଇଟ୍‌ ରାଇଡର୍ସରେ ତାଙ୍କ ଅଂଶଧନ ରହିଛି। ତାଙ୍କ ସ୍ବାମୀ ଜୟ ମେହେଟ୍ଟା ଜଣେ ବିଶିଷ୍ଟ ବ୍ୟବସାୟୀ। ତାଙ୍କ ରିଅଲ ଇଷ୍ଟେଟ ଓ ନିବେଶରେ ମଧ୍ୟ ଜୁହିଙ୍କ ଅଂଶ ରହିଛି।

ଜୁହିଙ୍କ ପାଖରେ ୩.୩ କୋଟି ଟଙ୍କାର ଆଷ୍ଟନ ମାର୍ଟିନ ରାପିଡେ, ୧.୮ କୋଟି ଟଙ୍କାର ବିଏମ୍‌ଡବ୍ଲୁ ୭ ସିରିଜ୍, ୧.୭ କୋଟି ଟଙ୍କାର ମର୍ସିଡିସ୍ ବେଞ୍ଜ ଏସ୍-କ୍ଲାସ୍‌, ୧.୨ କୋଟି ଟଙ୍କାର ଜାଗୁଆର ଏସ୍‌ଜେ ଓ ୧.୩୬ କୋଟି ଟଙ୍କାର ପୋର୍ସେ କାୟେନି ଭଳି ଦାମୀ କାର୍ ରହିଛି। ବଲିଉଡ୍‌ର ଅନ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଐଶ୍ବର୍ଯ୍ୟା ରାୟଙ୍କ ସମ୍ପତ୍ତି ୮୫୦ କୋଟି ଟଙ୍କା ହୋଇଥିବା ବେଳେ ପ୍ରିୟଙ୍କା ୬୫୦ କୋଟି ଟଙ୍କାର ମାଲିକାଣୀ। ସବୁଠୁ ଧନୀ ପାଞ୍ଚ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଭଟ୍ଟ ଓ ଦୀପିକାଙ୍କ ନାମ ମଧ୍ୟ ରହିଛି।