ଜୁଲାଇ ଜିଏସ୍‌ଟି: ରାଜ୍ୟର ବଢ଼ିଲା, କେନ୍ଦ୍ରର କମିଲା

ଓଡ଼ିଶାର ୭୯୪.୦୨ କୋଟି, ଭାରତର ୮୭,୪୨୨ କୋଟି

ଭୁବନେଶ୍ବର: କରୋନା ମହାମାରୀ ଓ ଲକ୍‌ଡାଉନ୍ ସତ୍ତ୍ବେ ଜୁଲାଇରେ ଓଡ଼ିଶାର ଜିଏସ୍‌ଟି ଆଦାୟ ରାଶି ୭୯୪.୦୨ କୋଟି ଟଙ୍କା ରହିଛି। ଗତବର୍ଷର ଜୁଲାଇରେ ଓଡ଼ିଶାର ଜିଏସ୍‌ଟି ଆଦାୟ ରାଶି ୭୦୨.୪୪ କୋଟି ଟଙ୍କା ଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ଜିଏସ୍‌ଟି ଆଦାୟରେ ୧୩.୦୪ ପ୍ରତିଶତ ବୃଦ୍ଧି ଘଟିଛି। କେବଳ ସେତିକି ନୁହେଁ, ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ଜିଏସ୍‌ଟି ଆଦାୟରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଗତବର୍ଷର ଏପ୍ରିଲ, ମେ’ ଓ ଜୁନ୍ ତୁଳନାରେ ଚଳିତବର୍ଷର ଏପ୍ରିଲ, ମେ’ ଓ ଜୁନ୍‌ରେ ଜିଏସ୍‌ଟି ଆଦାୟ ଯଥାକ୍ରମେ -୬୧.୧୫ ପ୍ରତିଶତ, -୨୫.୨୨ ପ୍ରତିଶତ ଓ -୫.୮୩ ପ୍ରତିଶତ ରହିଛି।

୨୦୨୦ ଜୁଲାଇରେ ଅଣ ଜିଏସଟି ସାମଗ୍ରୀ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦରୁ ଟିକସ ସଂଗ୍ରହରେ ଉତ୍ସାହଜନକ ଧାରା ପରିଲକ୍ଷିତ ହୋଇଛି। ଏହି ସାମଗ୍ରୀରେ ଟିକସ ସଂଗ୍ରହ ଜୁଲାଇରେ ୫୨୧.୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ଜୁଲାଇରେ ଏହି ରାଶି ୫୦୯.୦୩ କୋଟି ଟଙ୍କା ରହିଥିଲା। ଫଳରେ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦର ଟିକସ ଆଦାୟରେ ୨.୫ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ କୋଭିଡ-୧୯ କାରଣରୁ ଅର୍ଥନୀତିରେ ଦେଖାଦେଇଥିବା ପ୍ରତିକୂଳ ଅବସ୍ଥା ପରିପ୍ରେକ୍ଷୀରେ, ବିଶେଷକରି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥନୀତିର ଜଟିଳ ମାନ୍ଦାବସ୍ଥା କାରଣରୁ ଜୁଲାଇ ମାସ ଶେଷ ସୁଦ୍ଧା ମୋଟ ଜିଏସ୍‌ଟି (ରାଜ୍ୟ ଜିଏସ୍‌ଟି, ସମନ୍ବିତ ଜିଏସ୍‌ଟି, କେନ୍ଦ୍ରୀୟ ଜିଏସ୍‌ଟି ଓ ସେସ୍) ବାବଦରେ ୭୫୪୦ କୋଟି ଟଙ୍କା ସଂଗ୍ରହ ହୋଇଛି। ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୨୮ ପ୍ରତିଶତ କମ୍‌। ୨୦୨୦ ଏପ୍ରିଲ୍‌ରୁ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟର ପୌନଃପୁନିକ ଏସ୍‌ଜିଏସ୍‌ଟି ସଂଗ୍ରହ ୨୩୫୪ କୋଟି ଟଙ୍କା ହେବା ସହିତ ଏଥିରେ ୨୨ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ରାଜ୍ୟ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ସୁଶୀଲ କୁମାର ଲୋହାନୀ ନିକଟରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଆଗାମୀ ଦିନରେ ଟିକସ ଆଦାୟ ଧାରାକୁ ବଜାୟ ରଖିବା ପାଇଁ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ବିଶେଷକରି ପ୍ରାକ୍ ଜିଏସ୍‌ଟି କାଳର ବିଭିନ୍ନ ଆଇନ ଅଧୀନ ବକେୟା ରାଜସ୍ବ ସଂଗ୍ରହ ଉପରେ ଗୁରୁତ୍ବାରୋପ କରିବା ସହ ଜିଏସ୍‌ଟି ଆଇନ ଅଧୀନ ଟିକସଦାତାମାନେ ଯେପରି ନିର୍ଧାରିତ ସମୟସୀମା ମଧ୍ୟରେ ସେମାନଙ୍କ ରିଟର୍ଣ୍ଣ ଦାଖଲ କରିବା ସହ ଟିକସ ପଇଠ କରନ୍ତି ସେଥିପ୍ରତି ଦୃଷ୍ଟିଦେବାକୁ ସେ ନିର୍ଦ୍ଦେଶ‌ ଦେଇଛନ୍ତି। ଆଗରୁ ଦାଖଲ ହୋଇଥିବା ରିଟର୍ଣ୍ଣଗୁଡ଼ିକର ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ଟିକସ ଫାଙ୍କି ଘଟଣାଗୁଡ଼ିକୁ ଚିହ୍ନଟ କରି ଟିକସ ଆଦାୟ ଉପରେ ଗୁରୁତ୍ବାରୋପ କରାଯାଇଛି। ରାଜସ୍ବ ଫାଙ୍କିର ଗଳାବାଟ ଗୁଡ଼ିକୁ ବନ୍ଦ କରିବାକୁ ମଧ୍ୟ ଶ୍ରୀ ଲୋହାନୀ ପରାମର୍ଶ ଦେଇଛନ୍ତି। ଏଥିସହିତ ସମୟ ମଧ୍ୟରେ ଅପିଲ୍ ଓ ରିଭିଜନ୍ ମାମଲା ଗୁଡ଼ିକର ବିଚାର କରି ସେଗୁଡ଼ିକର ଫଇସଲା କରି ଟିକସ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସୁଗମ କରିବାକୁ ସେ ଟିକସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: କରୋନା ମହାମାରୀ ଓ ଲକଡାଉନ୍ ପ୍ରଭାବରେ ଜୁଲାଇ ମାସରେ ଦେଶର ଜିଏସଟି ଆଦାୟ ରାଶି ୮୭୪୨୨ କୋଟି ଟଙ୍କାକୁ ହ୍ରାସ ପାଇଛି। ଚଳିତବର୍ଷ ଜୁନ୍ ମାସରେ କେନ୍ଦ୍ର ସରକାର ମୋଟ ୯୦୯୧୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଥିବାବେଳେ ଗତବର୍ଷ ଜୁଲାଇରେ ୧ ଲକ୍ଷ ୨ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଥିଲେ। ସରକାର ଚଳିତବର୍ଷ ଜୁଲାଇରେ‌ ଆଦାୟ କରିଥିବା ୮୭,୪୨୨ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ବ ମଧ୍ୟରୁ ସିଜିଏସ୍‌ଟି ବାବଦରେ ୧୬,୧୪୭ କୋଟି, ଏସ୍‌ଜିଏସ୍‌ଟି ବାବଦରେ ୨୧୪୧୮ କୋଟି, ଆଇଜିଏସ୍‌ଟି ବାବଦରେ ୪୨୫୯୨ କୋଟି (ଆମଦାନି ହୋଇଥିବା ସାମଗ୍ରୀ ଉପରୁ ୨୦,୩୨୪ କୋଟି ସମେତ) ଏବଂ ସେସ୍ ବାବଦରେ ୭୨୬୫ କୋଟି (ଆମଦାନି ‌ହୋଇଥିବା ସାମଗ୍ରୀ ଉପରୁ ୮୦୭ କୋଟି ସମେତ) ଟଙ୍କା ଆଦାୟ ହୋଇଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ଜୁନ୍ ତୁଳନାରେ ଜୁଲାଇରେ ଜିଏସଟି ଆଦାୟ ରାଶି ୩.୮ ପ୍ରତିଶତ ହ୍ରାସ ପାଇଥିବାବେଳେ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ୧୪.୩ ପ୍ରତିଶତ ହ୍ରାସ ଘଟିଛି। ତେବେ କରୋନା ମହାମାରୀ ପାଇଁ ସରକାର ଟିକସଦାତାମାନଙ୍କୁ ଫେବ୍ରୁଆରି, ମାର୍ଚ୍ଚ ଓ ଏପ୍ରିଲ ମାସ ପାଇଁ ରିହାତି ପ୍ରଦାନ କରିଥିଲେ। ସେଥିଯୋଗୁଁ ଅନେକ ଟିକସଦାତା ଜୁନରେ ସେମାନଙ୍କ ଟିକସ ଦାଖଲ କରିଥିଲେ। ସେହିଭଳି ୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା ବ୍ୟବସାୟୀମାନଙ୍କୁ ସରକାର ଆସନ୍ତା ସେପ୍ଟମ୍ବର ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ କରିବା ସୁବିଧା ପ୍ରଦାନ କରିଛନ୍ତି। ଗତବର୍ଷ ଜୁଲାଇ ତୁଳନାରେ ୮୬% ଜିଏସଟି ଚଳିତବର୍ଷ ଜୁଲାଇରେ ଆଦାୟ ହୋଇଛି।

ସମ୍ବନ୍ଧିତ ଖବର