ଜୁଲାଇରେ ଦେଶର ଜିଏସଟି ସଂଗ୍ରହ ୧୪% ହ୍ରାସ, ଓଡ଼ିଶାରେ ୭୯୪ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ୱ ୮୭୪୨୨ କୋଟି ଟଙ୍କାକୁ ହ୍ରାସ ପାଇଛି ।  ଏହା ଜୁଲାଇ ୨୦୧୯ ତୁଳନାରେ ୧୪ ପ୍ରତିଶତ କମ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଜୁନ ୨୦୨୦  ତୁଳନାରେ ୪ ପ୍ରତିଶତ କମ ।  ଜୁଲାଇ ମାସରେ ଓଡ଼ିଶାରେ ୭୯୪ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି ଯାହାକି ଜୁଲାଇ ୨୦୧୯ ତୁଳନାରେ ୧୩ ପ୍ରତିଶତ ଅଧିକ ।

ଜୁଲାଇ ମାସରେ ସଂଗ୍ରହ ହୋଇଥିବା ୮୭୪୨୨ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୧୬୧୪୭ କୋଟି, ରାଜ୍ୟ ଜିଏସଟି ଟ.୨୧୪୧୮ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୪୨,୫୯୨ କୋଟି ଟଙ୍କା ଓ ସେସ ୭୨୬୫ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ଲକଡାଉନ ଯୋଗୁଁ ଗତ ଏପ୍ରିଲ ଓ ମେ ମାସ ପାଇଁ ଜିଏସଟି ତଥ୍ୟ ପ୍ରକାଶ କରାଯାଇନଥିଲା । ଏହି ତଥ୍ୟକୁ ସାମଗ୍ରିକଭାବେ ଜୁନ ମାସରେ ପ୍ରକାଶ କରାଯାଇଥିଲା ।

ଏପ୍ରିଲ ମାସରେ ଦେଶରେ ଲକଡାଉନ ଚାଲିଥିବାରୁ ସରକାରଙ୍କ ଜିଏସଟି ରାଜସ୍ୱ ହ୍ରାସ ପାଇ ୩୨୧୭୨ କୋଟିରେ ପହଞ୍ଚିଥିଲା । ସେହିପରି ମେ ମାସରେ ଏହା ୬୨,୧୫୧ କୋଟିକୁ ବୃଦ୍ଧି ପାଇଥିଲା । ଗତ ଜୁନ ମାସରେ ସରକାର ୯୦,୯୧୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରିଥିଲେ ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଫେବ୍ରୁଆରି, ମାର୍ଚ୍ଚ ଓ ଏପ୍ରିଲ ମାସ ପାଇଁ ଜିଏସଟି ରିଟର୍ଣ୍ଣ  ସମୟସୀମାକୁ  ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଥିଲେ । ଏଥିଯୋଗୁଁ ଜୁନର ଜିଏସଟି ସଂଗ୍ରହ ଜୁଲାଇ ତୁଳନାରେ ଅଧିକ ରହିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର