ଜୁନ ମାସରେ ଜିଏସଟି ସଂଗ୍ରହ ୧.୪୫ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ଗତ  ଜୁନ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧୪୪,୬୧୬ କୋଟିରେ ପହଞ୍ଚିଛି । ଏହା ଜୁନ ୨୦୨୧ ତୁଳନାରେ ୫୬ ପ୍ରତିଶତ ଅଧିକ ହୋଇଥିବା ବେଳେ ମେ ୨୦୨୨ର ରେକର୍ଡ ୧୪୦,୮୮୫ କୋଟିର ଜିଏସଟି ରାଜସ୍ବଠାରୁ  ୩ ପ୍ରତିଶତ ଅଧିକ ।

ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୦,୮୮୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୩୦୬ କୋଟି, ରାଜ୍ୟ ଜିଏସଟି ଟ.୩୨,୪୦୬ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୫୮୮୭ କୋଟି ଟଙ୍କା ଓ ସେସ ୧୧୦୧୮ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

ଜୁନ ମାସରେ ଓଡ଼ିଶାରୁ ୩୯୬୫ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି, ଯାହାକି ଜୁନ ୨୦୨୧ରେ ସଂଗ୍ରହ କରାଯାଇଥିବା ୩୦୦୦ କୋଟି ଠାରୁ ୩୨ ପ୍ରତିଶତ ଅଧିକ ।

ସୂଚନାଯୋଗ୍ୟ ଯେ ଚଳିତ ମାସରେ ଦେଶରେ ଜିଏସଟି ଲାଗୁ ହେବାକୁ ୫ ବର୍ଷ ପୂରଣ ହୋଇଛି । ୨୦୧୭ ଜୁଲାଇ ୧ରେ ସାରା ଦେଶରେ ଜିଏସଟି ଲାଗୁ ହୋଇଥିଲା । ଗତ ଜୁନ ମାସ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଏସଟି କ୍ଷତିପୂରଣ ପ୍ରଦାନ କରିଥିଲେ । ତେବେ ଆଉ ୫ ବର୍ଷ ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟମାନେ ଦାବି କରୁଛନ୍ତି । ଏ ନେଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି ।

ସମ୍ବନ୍ଧିତ ଖବର