ଭୁବନେଶ୍ବର: ଦେଶର ଅଗ୍ରଣୀ ମୋବିଲିଟି ସମାଧାନ ପ୍ରଦାନକାରୀ ସଂସ୍ଥା ଜୁପିଟର୍ ୱାଗନ୍‌ସ ଲିମିଟେଡ୍‌ ଏହାର ସହାୟକ ସଂସ୍ଥା ‘ଜୁପିଟର ଟାଟ୍ରାଭାଗୋଙ୍ଗା ରେଲ୍‌ହ୍ବିଲ୍‌ ଫ୍ୟାକ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍‌ ଜରିଆରେ ଓଡ଼ିଶାରେ ୨୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏହି ନିବେଶ ଜରିଆରେ କମ୍ପାନି ଏହାର ଖୋର୍ଦ୍ଧା କାରଖାନାରେ ଫୋର୍ଜଡ୍‌ ହ୍ବିଲ୍‌ସେଟ୍‌ର ବାର୍ଷିକ ଉତ୍ପାଦନ କ୍ଷମତାକୁ ୨୦,୦୦୦ ୟୁନିଟ୍‌ରୁ ବଢ଼ାଇ ୧,୦୦,୦୦୦ ୟୁନିଟ୍‌ କରିବ। 

Advertisment

କମ୍ପାନି ଓଡ଼ିଶାରେ ନୂଆ କରି ଏହି କାରଖାନା ସ୍ଥାପନ କରିଛି ଯାହା ୨୦୨୭ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏଠାରେ ଉତ୍ପାଦିତ ହେଉଥିବା ହ୍ବିଲ୍‌ସେଟ୍‌କୁ କମ୍ପାନି ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବ। କମ୍ପାନି ୫୦ ପ୍ରତିଶତ ଉତ୍ପାଦକୁ ଏହାର ସହଯୋଗୀ ସଂସ୍ଥା ଟାଟ୍ରାଭାଗୋଙ୍ଗା ଏ ଏସ୍ ଓ ଅନ୍ୟ ୟୁରୋପୀୟ କମ୍ପାନିକୁ ଯୋଗାଇବ। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ କମ୍ପାନି ଏହି ଉତ୍ପାଦନ କାରଖାନା ସ୍ଥାପନ କରିଥିବା ବେଳେ ମାନୁଫାକ୍‌ଚରିଂ ଦକ୍ଷତା ବଢ଼ାଉଛି। ଏ ସମ୍ପର୍କରେ ଜୁପିଟର ୱାଗନ୍‌ର ପରିଚାଳନା ନିର୍ଦ୍ଦେଶକ ବିବେକ ଲୋହିଆ କହିଛନ୍ତି ଯେ ଆମ ସହାୟକ କମ୍ପାନି ଜୁପିଟର ଟାଟ୍ରାଭାଗୋଙ୍ଗା ରେଲ୍‌ହ୍ବିଲ୍ ଫ୍ୟାକ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ର ସମ୍ପ୍ରସାରଣ ବିଷୟରେ ଘୋଷଣା କରି ଆମେ ବେଶ୍‌ ଆନନ୍ଦିତ।

ଅତ୍ୟାଧୁନିକ ମାନୁଫାକଚରିଂ ପ୍ରଯୁକ୍ତିକୁ ନେଇ ସ୍ଥାପନ ହେଉଥିବା ଏହି ନୂତନ କାରଖାନାରେ ପୁଞ୍ଜିନିବେଶ ଆମର ଅଭିବୃଦ୍ଧି ଓ ଦକ୍ଷତା ବଢ଼ାଇବ। ଭାରତରେ ରେଳ ଭିତ୍ତିଭୂମି ମାନୁଫାକ୍‌ଚରିଂ ଶିଳ୍ପରେ ଦୃଢ଼ ହେବା ଲାଗି କମ୍ପାନିର ବଳିଷ୍ଠ ପଦକ୍ଷେପ ଗ୍ରହଣ ଜାରି ରହିବ। ଆମେ ବିଶ୍ବ ବଜାରକୁ ବିଶ୍ବସ୍ତରର ଉତ୍ପାଦ ଯୋଗାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ନିବେଶ ନବସୃଜନ ଓ ଉତ୍କର୍ଷ ପ୍ରତି ଆମର ରହିଥିବା ଲକ୍ଷ୍ୟକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।  ଏହି ପ୍ରକଳ୍ପ ଲାଗି ଜୁପିଟର ୱାଗନ୍ ପକ୍ଷରୁ ଜର୍ମାନୀର ଅଗ୍ରଣୀ ଇଞ୍ଜିନିୟରିଂ କମ୍ପାନି ସୁଲର ପପ୍ରସେନ୍ ଜିଏମ୍‌ବିଏଚ୍‌କୁ ଫୋର୍ଜଡ୍‌ ହ୍ବିଲ୍ ଓ ଆକ୍ସେଲ୍ ଲାଇନ୍‌ର ଯୋଗାଣ ଓ ଗଠନ ପାଇଁ କାର୍ଯ୍ୟବରାଦ ପ୍ରଦାନ କରିଛି। ଏହି ପ୍ରକଳ୍ପ ଜରିଆରେ କମ୍ପାନି ନିଜ ୱାଗନ୍ ମାନୁଫାକଚରିଂ ବ୍ୟବସାୟରେ ଦକ୍ଷତା ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଏହି ସମନ୍ବିତ ଫୋର୍ଜଡ୍‌ ଲାଇନ୍ କମ୍ପାନିକୁ ୱାଗନ୍ ଉତ୍ପାଦନ ଲାଗି ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଯୋଗାଇବ।