ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତର ଶ୍ଳୋକ, ଥ୍ରୀ ଇଡିଅଟସ୍ ଚଳଚ୍ଚିତ୍ରର ଚରିତ୍ର

ନୂଆଦିଲ୍ଲୀ : ଅର୍ଥନୈତିକ ସର୍ଭେ ରିପୋର୍ଟରେ ମୁଖ୍ୟ ଅର୍ଥନ‌ୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ ମହାଭାରତ ଶ୍ଳୋକ ଠାରୁ ଆରମ୍ଭ କରି କାଳିଦାସ, ମହାତ୍ମା ଗାନ୍ଧୀ ଓ ରବିନ୍ଦ୍ର ନାଥ ଟାଗୋରଙ୍କ ଭଳି ବିଖ୍ୟାତ କବିଙ୍କ ବାଣୀ ଓ ପଙ୍‌କ୍ତିକୁ ଉଦ୍ଧାର କରି ବ୍ୟବହାର କରିଛନ୍ତି। ମହାଭାରତର ଅଧ୍ୟୟ ୧୩ର ଶ୍ଳୋକ ୫୯୮କୁ ସେ ବ୍ୟବହାର କରିଛନ୍ତି। ଶ୍ଳୋକଟି ହେଉଛି ‘ଆପଦି ପ୍ରାଣରକ୍ଷା ଧର୍ମସ୍ୟ ପ୍ରଥମ‌ାଙ୍‌କୁରଃ’। ଅର୍ଥାତ ସଙ୍କଟରେ ପଡ଼ିଥିବା ଜୀବନ ବଞ୍ଚାଇବାରୁ ହିଁ ଧର୍ମର ମୂଳ ତତ୍ତ୍ବ। କରୋନା ମହାମାରୀ ସମୟରେ ଜୀବନ ଜୀବିକା ରକ୍ଷା କରିବା ଲାଗି ନିଆଯାଇଥିବା କଠୋର ଲକ୍‌ଡାଉନ୍ କଟକଣାକୁ ଯଥାର୍ଥ ସାବ୍ୟସ୍ତ କରିବା ଲାଗି ମହାଭାରତର ଏହି ଶ୍ଳୋକକୁ ସର୍ଭେରେ ବ୍ୟବହାର କରାଯାଇଛି। ସର୍ଭେର ଅଧ୍ୟାୟ ୨୦ରେ ଉପନିଷଦର ଏକ ‌ବାଣୀକୁ ବ୍ୟବହାର କରାଯାଇଛି।

ବିଶିଷ୍ଟ ସାହିତ୍ୟିକ ଆର କେ ନାରାୟଣନ୍‌ଙ୍କ ପ୍ରସିଦ୍ଧ ମାଲଗୁଡ଼ି ଡେଜ୍‌ ପୁସ୍ତକର ଚରିତ୍ର ଏବଂ ଅମିର ଖାନ୍‌ଙ୍କ ଅଭିନୀତ ଥ୍ରୀ ଇଡିଅଟ୍‌ସ ସଂପର୍କରେ ମଧ୍ୟ ସର୍ଭେରେ ଉଲ୍ଲେଖ କରାଯାଇଛି। ଚତୁର୍ଥ ଅଧ୍ୟାୟର ବିଷୟବସ୍ତୁ ରହିଛି ଅସମାନତା ଏବଂ ଅଭିବୃଦ୍ଧି: ସଂଘର୍ଷ ନା ସମନ୍ବୟ? ଏଥିରେ କୁହାଯାଇଛି ଯେ, ଅର୍ଥନୈତିକ ଅଭିବୃଦ୍ଧିର ଏକ ବଡ଼ ପ୍ରଭାବ ଅସମାନତା ବଦଳରେ ଦାରିଦ୍ର୍ୟ ଦୂରୀକରଣ ଉପରେ ରହିଛି। ତେଣୁ ଭାରତୀୟମାନଙ୍କୁ ଦାରିଦ୍ର୍ୟ ସୀମା ରେଖା ଉପରକୁ ନେବା ପାଇଁ ହେଲେ ଅଭିବୃଦ୍ଧି ଉପରେ ପ୍ରାଧାନ୍ୟ ଦେବାକୁ କୁହାଯାଇଛି। ସର୍ଭେର ପଞ୍ଚମ ଅଧ୍ୟାୟରୁ ନବମ ଅଧ୍ୟାୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ଉପରେ ଆଲୋଚନା କରିଛନ୍ତି। ୫ ଅଧ୍ୟାୟରେ ସେ ସ୍ବାସ୍ଥ୍ୟସେବା ଶେଷରେ କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି କହିଛନ୍ତି। ସେହିଭଳି ନବମ ଅଧ୍ୟାୟରେ ସେ ‘ଜୟ ହୋ: ଆୟୁଷ୍ମାନ ଭାରତ୍‌’ସ ଜନ ଆରୋଗ୍ୟ ଯୋଜନା (ଜୟ) ଆଣ୍ଡ୍ ହେଲ୍‌ଥ କେୟାର’ ରଖିଛନ୍ତି। ସେ ଏଠାରେ ହିନ୍ଦୀ ସିନେତା ଥ୍ରୀ ଇଡିଅଟ୍‌ର ଉଦାହରଣ ଦେଇଛନ୍ତି। ସିନେମାରେ ଜଣେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତିର ମା’ ତାଙ୍କ ଦରମାର ଅଧିକାଂଶ ରାଶି କିଭଳି ସ୍ବାମୀଙ୍କ ଚିକିତ୍ସାରେ ବ୍ୟୟ ହେଉଛି ତାହା ଉଲ୍ଲେଖ କରିଛନ୍ତି। ଏହି ଖର୍ଚ୍ଚ ଯୋଗୁ ତାଙ୍କ ନିକଟରେ ପରିବାରର ଅନ୍ୟ ଖର୍ଚ୍ଚ କରିବାକୁ ଟଙ୍କା ବଞ୍ଚୁନାହିଁ ବୋଲି କହିଛନ୍ତି। ଭାରତୀୟମାନେ ଚିକିତ୍ସା ପାଇଁ କରୁଥିବା ବ୍ୟୟର ପ୍ରତିଫଳନ ଏହି ଚରିତ୍ରରେ ଦର୍ଶାଯାଇଛି। ବିଶେଷକରି କରୋନା ମହାମାରୀ ସମୟରେ ଏହି ଉଦାହରଣ ପ୍ରାସଙ୍ଗିକ ବୋଲି ସୁବ୍ରମଣ୍ୟମ୍ କହିବା ସହିତ ଶେଷରେ ସ୍ବାସ୍ଥ୍ୟସେବା ହିଁ କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଉଲ୍ଲେଖ କରିଛନ୍ତି। ସେହିପରି, କାଳିଦାସଙ୍କ ରଘୁବଂଶମ୍‌ର ଅଧ୍ୟାୟ ୧ର ଶ୍ଳୋକ ୧୮, ଗ୍ରିକ୍ ଦାର୍ଶନିକ ଆରିଷ୍ଟୋଟଲ୍‌, ଜାତିର ପିତା ମହାତ୍ମା ଗାନ୍ଧୀ, ଆମେରିକାର ମାର୍ଟିନ୍ ଲୁଥର୍‌ କିଙ୍ଗ୍‌ ଜୁନିଅର, ରୁଡ୍‌ୟାର୍ଡ କିପ୍‌ଲିଙ୍ଗ୍‌ଙ୍କ ଜଙ୍ଗଲ୍‌ ବୁକ୍‌ ଓ ତାମିଲ କବି ଥିରୁଭେଲ୍ଲାରଙ୍କ ବାଣୀକୁ ସର୍ଭେ ରିପୋର୍ଟରେ ବ୍ୟବହାର କରାଯାଇଛି।

ଲକ୍ଷେରୁ ଅଧିକ ଜୀବନ ବଞ୍ଚିଗଲା
କରୋନା ମହାମାରୀକୁ ରୋକିବା ପାଇଁ ସରକାର ଲକଡାଉନ୍ ସମେତ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଯୋଗୁ କରୋନା ସଂକ୍ରମଣ ସଂଖ୍ୟା ୩୭ ଲକ୍ଷ ହ୍ରାସ ପାଇବା ସହିତ ୧ ଲକ୍ଷରୁ ଅଧିକ ଜୀବନକୁ ରକ୍ଷା କରାଯାଇ ପାରିଛି। ୨୦୨୦-୨୧ ଅର୍ଥନୈତିକ ସର୍ଭେରେ ଏହା ଦର୍ଶାଯାଇଛି। କରୋନା ପରିସ୍ଥିତିକୁ ବୁଝି ହେଉ ନଥିବାରୁ ଭାରତ ଭଳି ଜନବହୁଳ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ କୋଟି ଏବଂ ମୃତ୍ୟୁସଂଖ୍ୟା ବହୁ ଅଧିକ ହୋଇଯିବ ବୋଲି ଅନୁମାନ କରାଯାଉଥିଲା। ଲକଡାଉନ୍ କାର୍ଯ୍ୟକାରୀ କରିବା ଦ୍ବାରା ୫-ଟି ବା ଟେଷ୍ଟ, ଟ୍ରାକ୍, ଟ୍ରେସ, ଟ୍ରିଟ୍ ଏବଂ ଟେକ୍ନୋଲୋଜିର ବିକାଶ କରାଯାଇ ପାରିଥିଲା ବୋଲି ସର୍ଭେରେ କୁହାଯାଇଛି।

ସମ୍ବନ୍ଧିତ ଖବର