ଲାଗିଲା କଳଙ୍କ

କ‌ାର୍ଲୋସ୍‌ ଘୋସନ: ଅଟୋମୋବାଇଲ୍ ଜଗତର ସବୁଠୁ ବିସ୍ମୟକର ଖବର ଜାପାନରୁ ଆସିଥିଲା। କଂପାନି ଅର୍ଥ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଥିବା‌ ଅଭିଯୋଗରେ ଏକ ବଡ଼ ‌ଅଟୋମୋବାଇଲ୍ କଂପାନିର ସିଇଓ କାର୍ଲୋସ୍‌ ଘୋସନ୍‌ଙ୍କୁ ଜାପାନରେ ଗିରଫ କରାଯାଇଥିଲା।

ବିନ୍ନି ବଂଶଲ: ଫ୍ଲିପ୍‌କାର୍ଟର ସହ ପ୍ରତିଷ୍ଠାତା ବିନ୍ନି ବଂଶଲଙ୍କୁ ଗତ ନଭେମ୍ବରରେ ଇସ୍ତଫ‌ା ଦେବାକୁ ପଡ଼ିଥିଲା। ତାଙ୍କ ବିରୋଧରେ ଏକ ବଡ଼ ଧରଣର ଅଭିଯୋଗ ଆସିଥିଲା। ତଦନ୍ତରେ ସେହି ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଫ୍ଲିପ୍‌କାର୍ଟକୁ ଆମେରିକୀୟ କଂପାନି ୱାଲ୍‌ମାର୍ଟ ଅଧିଗ୍ରହଣ କରିବାର କିଛି ମାସ ପରେ ଏହି ଘଟଣା ଘଟିଥିଲା।

ରମେଶ ଟାଇଁୱାଲା: ସାମ୍‌ସୋନାଇଟ୍‌ର ବିଶ୍ବ ସ୍ତର ସିଇଓ ରମେଶ ଟାଇଁୱାଲାଙ୍କ ବିରୋଧରେ ଶିକ୍ଷାଗତ ଯୋଗ୍ୟତାର ହେରଫେର କରିଥିବା ଅଭିଯୋଗ ଆସିଥିଲା। କେବେ ବି ପିଏଚ୍‌ଡି କରିନଥିବା ଟାଇଁୱାଲା ନିଜର ଶିକ୍ଷାଗତ ଯୋଗ୍ୟତାରେ ପିଏଚ୍‌ଡି ଯୋଡ଼ିବା ପରେ ଫସିଯାଇଥିଲେ।

ରାଣା କପୁର: ୟେସ୍‌ ବ୍ୟାଙ୍କର ସିଇଓ ରାଣା କପୁରଙ୍କ କାର୍ଯ୍ୟକାଳକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୯ ଜାନୁଆରି ୩୧ ପର୍ଯ୍ୟନ୍ତ ସୀମିତ କରିଦେଇଥିଲା। ଏହା ପରେ ବ୍ୟାଙ୍କରେ ନୂତନ ସିଇଓ ନିଯୁକ୍ତ କରିବାକୁ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛନ୍ତି। କିନ୍ତୁ ଏହା ପଛର କାରଣ କ’ଣ ତାହା ରିଜର୍ଭ ବ୍ୟାଙ୍କ ପ୍ରକାଶ କରିନାହିଁ। କୁହାଯାଉଛି ଯେ ଏନ୍‌ପିଏର ଭୁଲ ତଥ୍ୟ ଦେଇଥିବାରୁ କପୁରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମାଲ୍‌ବିନ୍ଦର ଓ ଶିବିନ୍ଦର: ଫୋର୍ଟିସ୍‌ ହେଲ୍‌ଥକେୟାର ଓ ରାନ୍‌ବାକ୍ସିର ପ୍ରତିଷ୍ଠାତା ତଥା ଦୁଇ ଭାଇ ମାଲ୍‌ବିନ୍ଦର ସିଂହ ଓ ଶିବିନ୍ଦର ସିଂହଙ୍କ ମଧ୍ୟରେ ଲଢ଼େଇ ଚରମ ସୀମାରେ ପହଞ୍ଚିଛି। ଅନ୍ୟ ଏକ କଂପାନିର ବୋର୍ଡ ବୈଠକରେ ଦୁଇ ଭାଇ ମାରପିଟ ମଧ୍ୟ ହୋଇଥିଲେ। ନିଜର ବ୍ୟବସାୟ ସାମ୍ରାଜ୍ୟ ସଙ୍କଟ ମଧ୍ୟକୁ ଆସିବା ପରେ ଦୁଇ ଭାଇଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଉଭୟ ମାଲବିନ୍ଦର ଓ ଶିବିନ୍ଦରଙ୍କ ବିରୋଧରେ ରେଲିଗେୟାର୍‌ର ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର