ଅବହେଳିତ ବାଲ୍ୟକାଳ, ସ୍ବଳ୍ପ ଶିକ୍ଷା, ବାଲ୍ୟବିବାହ ଓ ଶାଶୂଘର ଲୋକଙ୍କର ଅକଥନୀୟ ନିର୍ଯାତନା ପରେ ବିଚ୍ଛେଦ ଆଦି ଅନେକ ବାଧା ଅତିକ୍ରମ କରି ଉଦ୍ୟୋଗ ଜଗତରେ ଈର୍ଷଣୀୟ ସଫଳତା ପାଇଥିବା ଜଣେ ଶିଳ୍ପପତି ହେଉଛନ୍ତି କଳ୍ପନା ସରୋଜ। ୧୯୬୧ରେ ମହାରାଷ୍ଟ୍ରର ରୁପରଖେଡା ଗାଁରେ ଏକ ମରାଠୀ ବୌଦ୍ଧ ପରିବାରରେ ତାଙ୍କର ଜନ୍ମ। ବାପା ପୁଲିସ କନେଷ୍ଟବଳ ଥିଲେ। ତିନି ଭଉଣୀ ଏବଂ ଦୁଇ ଭାଇଙ୍କ ମଧ୍ୟରେ ସେ ଥିଲେ ସମସ୍ତଙ୍କଠୁ ବଡ଼। ବାର ବର୍ଷ ବୟସରେ ବହି ବସ୍ତାନି ଛାଡ଼ି ବାହା ହେବାକୁ ସେ ବାଧ୍ୟ ହୋଇଥିଲେ। ବାହାଘର ପରେ ମୁମ୍ବାଇର ବସ୍ତିରେ ଥିବା ଶାଶୂଘରେ ରହିଥିଲେ। ସେଠାରେ ଶାଶୂଘର ଲୋକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ଏଭଳି ଅସହ୍ୟ ହୋଇଥିଲା ଯେ ତାଙ୍କ ବାପା ଦିନେ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ। ଗାଁକୁ ଫେରିଲା ପରେ ପରିସ୍ଥିତି ଆହୁରି ଯନ୍ତ୍ରଣାଦାୟକ ହୋଇଗଲା। ଗାଁ ଲୋକଙ୍କ ଟାହିଟାପରା ସହିବାର ଧୈର୍ଯ୍ୟ ଆଉ ନ ଥିଲା କଳ୍ପନାଙ୍କ ପାଖରେ। ଦିନେ ଆତ୍ମହତ୍ୟା କରିଦେବାକୁ ସେ ନିଷ୍ପତ୍ତି ନେଲେ ଏବଂ ବିଷ ପିଇଦେଲେ। ତାଙ୍କ ଖୁଡ଼ୀ ତୁରନ୍ତ ଡାକ୍ତରଖାନା ନେବାରୁ ଚବିଶ ଘଣ୍ଟା ପରେ କଳ୍ପନାଙ୍କ ଚେତା ଫେରିଥିଲା।
ଏଭଳି ଦୁଃସ୍ଥିତିରେ ଦେବଦୂତ ହୋଇ ପହଞ୍ଚିଥିଲେ ମୁମ୍ବାଇରେ ରହୁଥିବା କଳ୍ପନାଙ୍କ ଜଣେ ସମ୍ପର୍କୀୟ ମାମୁ। ମାମୁଙ୍କ ସହିତ ୧୬ ବର୍ଷର କଳ୍ପନା ପୁଣିଥରେ ମୁମ୍ବାଇ ଗଲେ। ସେଠିକାର ରେଲ୍ୱେ କଲୋନିରେ ରହୁଥିବା ଗୋଟିଏ ଗୁଜୁରାଟୀ ପରିବାର କଳ୍ପନାଙ୍କୁ ସହଯୋଗର ହାତ ବଢ଼ାଇଥିଲେ।
makingpeacewithlife.comମୁମ୍ବାଇରେ କଳ୍ପନା ପ୍ରଥମେ ଗୋଟିଏ ପୋଷାକ ଫ୍ୟାକ୍ଟ୍ରିରେ କାମ କଲେ। ଦରମା ଥିଲା ମାସକୁ ମାତ୍ର ଷାଠିଏ ଟଙ୍କା। ତାପରେ ଅନୁସୂଚିତ ଜାତିର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଋଣ ପାଇ ଟେଲରିଂ ବ୍ୟବସାୟ ଆରମ୍ଭ କଲେ। ଏଥିରେ ସଫଳ ହେବାରୁ ଏକ ଫର୍ଣ୍ଣିଚର ଦୋକାନ ଖୋଲିଲେ। କ୍ଷୁଦ୍ର ବ୍ୟବସାୟର ସଫଳତା ତାଙ୍କୁ ବଡ଼ କାମ କରିବା ପାଇଁ ପ୍ରେରଣା ଦେଇଥିଲା। କଳ୍ପନା କେଏସ୍ ଫିଲ୍ମ ପ୍ରଡକ୍ସନ୍ ପ୍ରତିଷ୍ଠା ପୂର୍ବକ ଏକ ଫିଲ୍ମ ନିର୍ମାଣ କରିଥିଲେ। ତାହା ହିନ୍ଦୀ ସହିତ ଇଂରାଜୀ ଏବଂ ତେଲୁଗୁରେ ମଧ୍ୟ ନିର୍ମିତ ହୋଇଥିଲା। ନିଜ ଦକ୍ଷତା ବଳରେ ସେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ମଧ୍ୟ ପ୍ରବେଶ କରି ଖୁବ୍ ସଫଳ ହେଲେ। ୨୦୦୧ ମସିହାରେ କମାନି ଟ୍ୟୁବ୍ସ ନାମକ କନ୍ଷ୍ଟ୍ରକ୍ସନ୍ କମ୍ପାନିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ସେ ଥିଲେ ଏହି କମ୍ପାନିର ଅନ୍ୟତମ ନିର୍ଦ୍ଦେଶିକା। ସେ କମ୍ପାନିକୁ ସମ୍ପୂର୍ଣ୍ଣ ଭାବରେ ନିଜର କରିନେଇ ଏଭଳି ଭାବରେ ପୁଣିଥରେ ଗଢ଼ିଲେ ଯେ ତାହା ବୃହତ୍ ଲାଭଜନକ ସଂସ୍ଥାରେ ପରିଣତ ହୋଇଗଲା।
ଏବେ ୨୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତିର ମାଲିକାଣୀ ହେଉଛନ୍ତି କଳ୍ପନା। ୧୯୮୦ରେ ୨୨ ବର୍ଷ ବୟସରେ ସେ ସମୀର ସରୋଜଙ୍କୁ ଦ୍ବିତୀୟ ବିବାହ କରିଥିଲେ। ୧୯୮୯ରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ ତାଙ୍କର ଷ୍ଟୀଲ୍ କପ୍ବୋର୍ଡ କମ୍ପାନି କଳ୍ପନାଙ୍କ ହାତକୁ ଆସିଥିଲା। କଳ୍ପନାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ବୌଦ୍ଧ ଧର୍ମ ଏବଂ ଆମ୍ବେଦକରଙ୍କ ବିଚାର ଉପରେ ସେ ବିଶ୍ବାସ କରନ୍ତି। ଆଇଆଇଏମ୍, େବଙ୍ଗାଲୁରୁ ଏବଂ ଭାରତୀୟ ମହିଳା ବ୍ୟାଙ୍କର ନିର୍ଦ୍ଦେଶିକା ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୧୩ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଉଲ୍ଲେଖନୀୟ କଥା ହେଉଛି ଯେ ଅସହାୟା ଏବଂ ଦଳିତ ବର୍ଗର ମହିଳାମାନଙ୍କୁ ସାହାଯ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ କଳ୍ପନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/50d0367a-f64c-48e5-bb2c-369c375e8002.jpg)