କୋଲକାତା: ଭାରତରେ ଜାପାନର ଘରୋଇ ‌ଇଲେକଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ସାନସୁଇର ଟିଭି ଓ ଅନ୍ୟାନ୍ୟ ଇଲେକ‌ଟ୍ରୋନିକ୍ସ ସାମଗ୍ରୀ ଗୁଡ଼ିକୁ ଆଗାମୀ ଦିନରେ କାର୍ବନ ମୋବାଇଲ୍ସ ବିକ୍ରି କରିବ। ସାନସୁଇର ଉତ୍ପାଦ ବିକ୍ରି କରିବା ପାଇଁ କାର୍ବନ ମୋବାଇଲ୍ସ ଲାଇସେନ୍ସ ହାସଲ କରିଛି। କାବର୍ନ ମୋବାଇଲ୍ସର ହୋଲଡିଂ କମ୍ପାନି ଜୈନ ଇଣ୍ଡିଆ ସାନସୁଇର ଉତ୍ପାଦ ଗୁଡ଼ିକୁ ଭାରତରେ ୫ ବର୍ଷ ପର୍ଯ୍ୟନ୍ତ ବିକ୍ରି କରିବା ନି‌ମନ୍ତେ ଲାଇସେନ୍ସ ପାଇଛି। ଫଳରେ ସାନସୁଇ ବ୍ରାଣ୍ଡ୍‌ର ଏଲଇଡି ଟିଭି, ହୋମ୍ ଅଡିଓ, ରେଫ୍ରିଜରେଟର, ୱାସିଂ ମେସିନ୍, ସ୍ପ୍ଲିଟ୍ ଏୟାର କଣ୍ଡିସନର ସ୍ମଲ କିଚେନ ଆପ୍ଲାଏନସେସ୍ ଗୁଡ଼ିକ ଆସନ୍ତା ଜୁଲାଇରୁ ଭାରତରେ ପୁଣି ଉପଲବ୍ଧ ହେବ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଭିଡିଓକନ୍ ପାଖରେ ସାନସୁଇ ବ୍ରାଣ୍ଡ୍‌ର ଲାଇସେନ୍ସ ୧୭ ବର୍ଷ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏହି ଲାଇସେନ୍ସ ଅବଧି ୨୦୧୮ ଦୀପାବଳି ପରେ ଶେଷ ହୋଇଥିଲା। ଏହପରେ ହଂକଂରେ ତାଲିକାଭୁକ୍ତ ନିମ୍ବଲ ହୋଲଡିଂସ କମ୍ପାନି ଭିଡିଓକନରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ପାଇଁ ଲାଇସେନ୍ସ ନବୀକରଣ କରିବାକୁ ରାଜି ହୋଇ ନଥିଲା। ତେବେ ଜୈନ ଗ୍ରୁପ୍ ଏବଂ ନିମ୍ବଲ୍ ହୋଲଡିଂସ ପକ୍ଷରୁ ଏ ସମ୍ପର୍କିତ ସମ୍ବାଦ ନେଇ କୌଣସି ମତାମତ ମିଳିପାରି ନାହିଁ। କାର୍ବନ ମୋବାଇଲ୍ସ ଭାରତରେ ଉପରେ ଅନଲାଇନ୍ (ଫ୍ଲିପକାର୍ଟ) ଏବଂ ଅଫଲାଇନରେ ସାନସୁଇ ଉତ୍ପାଦ ବିକ୍ରି କରିବ।