ନଗଦ ରାଶିର ଚାହିଦା କମିଲା, ଲୋକେ ଏଟିଏମ୍‌ରୁ କମ୍ ଟଙ୍କା ଉଠାଉଛନ୍ତି

ଘରେ ମଧ୍ୟ କମ୍ ଟଙ୍କା ରଖୁଛନ୍ତି, କ୍ରେଡିଟ୍ କାର୍ଡରେ କାରବାର ବଢ଼ିଛି

ନୂଆଦିଲ୍ଲୀ: କରୋନା ସଙ୍କଟ ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା ହେବା ପରେ ଦେଶରେ ହଠାତ୍‌ ନଗଦ ରାଶିର ଚାହିଦା ବଢ଼ିଥିଲା। ଲୋକମାନେ ବିପୁଳ ପରିମାଣର ଟଙ୍କା ଉଠାଇ ନିଜ ପାଖରେ ରଖିଥିଲେ। ଡିଜିଟାଲ୍ ପେମେଣ୍ଟ୍ ସୁବିଧା ଦେଉଥିବା ପ୍ରାୟ ସବୁ ବ୍ୟବସ୍ଥା ବନ୍ଦ ରହିଥିବାରୁ ନଗଦ ଟଙ୍କାର ବ୍ୟବହାର ବହୁତ ବଢ଼ିଯାଇଥିଲା। ମାତ୍ର ଅନ୍‌ଲକ୍‌ର ପ୍ରଥମ ପର୍ଯ୍ୟାୟ ପରେ ଏହି ସ୍ଥିତିରେ ସୁଧାର ଘଟିଛି। ଲୋକମାନେ ଏବେ ବ୍ୟାଙ୍କ ଓ ଡିଜିଟାଲ୍ ମାଧ୍ୟମରେ ଅଧିକ କାରବାର କରୁଥିବା ଦେଖିବାକୁ ମିଳୁଛି। ଏଟିଏମ୍‌ରୁ ଟଙ୍କା ଉଠାଣ ମଧ୍ୟ ହ୍ରାସ ପାଇଛି। ଲୋକମାନେ ନିଜ ପାଖରେ ମଧ୍ୟ ଅଧିକ ନଗଦ ଟଙ୍କା ରଖୁନାହାନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି।

ଗତ ମେ’ ୮ରେ ଶେଷ ‌ହୋଇଥିବା ସପ୍ତାହରେ ଏଟିଏମ୍‌ରୁ ଟଙ୍କା ଉଠାଣରେ ୨ ପ୍ରତିଶତ ଭଳି ବୃଦ୍ଧି ରହିଥିଲା। ମେ’ ୨୨ ସୁଦ୍ଧା ସେହି ହାର ୧.୬ ପ୍ରତିଶତ ଓ ଜୁନ୍ ୫ ସୁଦ୍ଧା ୧.୩ ପ୍ରତିଶତକୁ ହ୍ରାସ ପାଇଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ଗତ ମାର୍ଚ୍ଚ ଶେଷ ସପ୍ତାହରୁ ମେ’ ୮ ଭିତରେ ନଗଦ ରାଶିର ଚାହିଦା ବହୁତ ବଢ଼ିଥିଲା। ଫଳରେ ରିଜର୍ଭ ବ୍ୟାଙ୍କ ବଜାରକୁ ୧.୨ ଲକ୍ଷ କୋଟି ଟଙ୍କାର ନଗଦ ରାଶି ଛାଡ଼ିଥିଲା। ଏବେ ନଗଦ ଚାହିଦା ହ୍ରାସ ପାଇବାରେ ଲାଗିଛି। ତେଣୁ ଶେଷ ପାଞ୍ଚ ସପ୍ତାହ ଭିତରେ ରିଜର୍ଭ ବ୍ୟାଙ୍କ ବଜାରକୁ ୮୯,୦୦୦ କୋଟି ଟଙ୍କା ଛାଡ଼ିଛି। ଏବେ ଦେଶରେ ବିମୁଦ୍ରୀକରଣ ପୂର୍ବ ସମୟ ଠାରୁ ଅଧିକ ମାତ୍ରାର ନଗଦ ଟଙ୍କା ଲୋକମାନଙ୍କ ପାଖରେ ରହିଛି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେବା ପରେ ଲୋକମାନଙ୍କ ପାଖରେ ଥିବା ନଗଦ ରାଶି ବ୍ୟାଙ୍କକୁ ଫେରିଯିବ ବୋଲି ଆଶା କରାଯାଉଛି। ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା ହେବା ପୂର୍ବରୁ ବଜାରରେ ଥିବା ନଗଦ ରାଶି ପରିମାଣ ଜିଡିପିର ୧୨ ପ୍ରତିଶତ ଥିଲା। ଏବେ ଏହି ହାର ତା’ଠାରୁ ଅଧିକ ଅର୍ଥାତ ୧୨.୯୮ ପ୍ରତିଶତ ରହିଛି। କେନ୍ଦ୍ର ସରକାର ଜନ ଧନ ଖାତାର ମହିଳା ଗ୍ରାହକଙ୍କ ପାଖକୁ ପଠାଇଥିବା ଟଙ୍କା ଉଠାଇବା ଲାଗି ମେ’ ମାସରେ ନଗଦ ଟଙ୍କାର ଚାହିଦା ବଢ଼ିଥିଲା ବୋଲି ମଧ୍ୟ କୁହାଯାଉଛି। ଏହି ସ୍କିମ୍ ଜରିଆରେ ମହିଳା ଗ୍ରାହକଙ୍କ ନିକଟକୁ ଜନ ଧନ ଖାତା ଜରିଆରେ ୫୦-୬୦,୦୦୦ କୋଟି ଟଙ୍କା ପଠାଯାଇଥିବା ଅନୁମାନ କରାଯାଉଛି। ଜୁନ୍ ମାସରେ କିନ୍ତୁ ନଗଦ ଟଙ୍କା ଉଠାଣ ଯଥେଷ୍ଟ ହ୍ରାସ ପାଇଛି। ଲୋକମାନେ ନଗଦ ଟଙ୍କା ବଦଳରେ ଡିଜିଟାଲ୍ କାରବାର ପ୍ରତି ଅଧିକ ଧ୍ୟାନ ଦେବା ଆରମ୍ଭ କଲେଣି। କ୍ରେଡିଟ୍ କାର୍ଡରେ କାରବାର ଲକ୍‌ଡାଉନ୍ ପୂର୍ବ ସମୟ ସ୍ଥିତି ପର୍ଯ୍ୟନ୍ତ ଫେରିଗଲାଣି। ଏପ୍ରିଲ୍‌ରେ ଏହି ପ୍ରକାର କାରବାର ୭୦-୮୦ ପ୍ରତିଶତ ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର