କେନ୍ଦୁଗାଡ଼ିରେ ରାଜ୍ୟର ପ୍ରଥମ ରବର ବ୍ୟାଣ୍ଡ୍‌ ଉଦ୍ୟୋଗ

ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅଧୀନ କେନ୍ଦୁଗାଡି ରବର କ୍ଷୀର ଉତ୍ପାଦନ ତଥା ପ୍ରକ୍ରିୟାକରଣ କେନ୍ଦ୍ରର ରବର ଚାଷୀଙ୍କ ଦୀର୍ଘଦିନର ଅଭିଳାଷ ପୂରଣ ହୋଇଛି। ଚାଷୀମାନଙ୍କର ଦୂରଦୃଷ୍ଟି ଏବଂ ଇଚ୍ଛାଶକ୍ତି ଯୋଗୁଁ ନୂତନ କରି କେନ୍ଦ୍ର ପରିସରରେ ରବର ବ୍ୟାଣ୍ତ ଉଦ୍ୟୋଗ ଆରମ୍ଭ କରିଛି ସମିତି। ଏହା ହେଉଛି ରାଜ୍ୟର ପ୍ରଥମ ରବର ବ୍ୟାଣ୍ତ ଉଦ୍ୟୋଗ। ଏହି ଉଦ୍ୟୋଗ ଆଗାମୀ ଦିନରେ ଅଞ୍ଚଳର ଶହଶହ ରବର ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ରବର ବୋର୍ଡ ଅଧିକାରୀ ଶକ୍ତିନାଥ ଶତପଥୀ କହିଛନ୍ତି।

ସୂଚନା ଅନୁସାରେ, ଏହି ଉଦ୍ୟୋଗ ପାଇଁ କେନ୍ଦ୍ର ସରକାରଙ୍କର ରବର ବୋର୍ଡ ପକ୍ଷରୁ କେନ୍ଦୁଗାଡି ସମିତିର ଚାଷୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। କେନ୍ଦ୍ରର ସଭାପତି ଦେବେନ୍ଦ୍ର ସିଂଙ୍କ ପରିଚାଳନାରେ ଏବଂ ରବର ବୋର୍ଡ ଅଧିକାରୀ ଶ୍ରୀ ଶତପଥୀ ଓ ଗୁଣବତ୍ତା ନିୟନ୍ତ୍ରଣ ଅଧିକାରୀ ଏମ୍ଏନ୍ ବିଜୁଙ୍କ ତତ୍ବାବଧାନରେ ପ୍ରଶିକ୍ଷକ ଭାବେ ଜେମ୍ସ ଆବ୍ରାହମ ସମିତିର କର୍ମକତ୍ତାଙ୍କୁ ରବର ବ୍ୟାଣ୍ଡ୍‌ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦେଉଛନ୍ତି। ୧୦ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପିତ ଉକ୍ତ ପ୍ରକଳ୍ପରେ ଦୈନିକ ଦୁଇଶହ ଲିଟର ରବର କ୍ଷୀରରୁ ଭଳିକିଭଳି ରଙ୍ଗ ଏବଂ ଭିନ୍ନ ଆକାରର ୭୫ କିଲୋ ଓଜନର ବ୍ୟାଣ୍ତ୍‌ ପ୍ରସ୍ତୁତ ହୋଇପାରୁଛି। ଏହି ଉତ୍ପାଦକୁ ଜିଲ୍ଲା ଓରମାସ୍‌ର ରବର ବିଭାଗ ସିଧାସଳଖ ସମିତି ନିକଟରୁ କ୍ରୟ କରିବା ନେଇ ଚୁକ୍ତିନାମା କରିଥିବା ଓରମାସ ରବର ମାକେର୍ଟିଙ୍ଗ୍ ମ୍ୟାନେଜର ସୁରେଶ କୁମାର ନାୟକ ସୂଚନା ଦେଇଛନ୍ତି। ଏହି ନୂତନ ପ୍ରକଳ୍ପ ଆରମ୍ଭ ହେବାପରେ କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ କପ୍ତିପଦା ଉପଖଣ୍ତ ଆଇଟିଡିଏ କାର୍ଯ୍ୟ କରିବ ବୋଲି ପ୍ରକଳ୍ପ ପ୍ରଶାସନ ଦେବଦତ୍ତ ପଣ୍ତା କହିଛନ୍ତି।

୧୯୯୯-୨୦୦୦ ଆର୍ଥିକ ବର୍ଷରେ କେନ୍ଦୁଗାଡି ଗ୍ରାମର ୯୪ ଜଣ ଆଦିବାସୀ ହିତାଧିକାରୀଙ୍କ ୪୦ ହେକ୍ଟର ଅନାବାଦି ଜମିରେ ରବର ବୋର୍ଡ ଏବଂ ଉପଖଣ୍ତ ଆଇଟିଡିଏର ମିଳିତ ଉଦ୍ୟମରେ ୧୮ ହଜାର ରବର ଚାରାରୋପଣ କରାଯାଇଥିଲା। ୨୦୧୦-୧୧ରେ ପ୍ରଥମ କରି ପ୍ରାୟ ୭ ହଜାର ଗଛରୁ ୧୨ ଟନ୍ ରବର ସଂଗ୍ରହ କରାଯାଇଥିଲା। ୨୦୧୯–୨୦ରେ ୭୧.୮୨ ଲକ୍ଷ ଟଙ୍କାର ୬୦.୦୮ ଟନ୍ ରବର ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର