ସୁନାବେଶ ପାଇଁ ଜଗନ୍ନାଥଙ୍କ ଅଳଙ୍କାରର ମରାମତି କରିବ ଖିମ୍‌ଜୀ ଜୁଏଲର୍ସ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଖିମ୍‌ଜୀ ଜୁଏଲର୍ସକୁ ପ୍ରଦାନ କରିଛି। ପୂର୍ବରୁ ଖିମ୍‌ଜୀ ଜୁଏଲର୍ସ ମହାପ୍ରଭୁଙ୍କ ରତ୍ନ ଚିତା ଏବଂ ଅନ୍ୟାନ୍ୟ ଅଳଙ୍କାରର ମରାମତି କାର୍ଯ୍ୟ ଗତ ନବକଳେବର ସମୟରେ କରିଥିଲା। ଖିମ୍‌ଜୀ ଜୁଏଲର୍ସର ଏହି କାର୍ଯ୍ୟକୁ ମନ୍ଦିର ପ୍ରଶାସନ ମଧ୍ୟ ବେଶ୍‌ ପ୍ରଶଂସା କରିଥିଲା। ପୂର୍ବରୁ ପ୍ରଦାନ କରାଯାଇଥିବା କାର୍ଯ୍ୟକୁ ଦୃଷ୍ଟିରେ ରଖି ପୁନର୍ବାର ଖିମ୍‌ଜୀ ଜୁଏଲର୍ସକୁ ମହାପ୍ରଭୁଙ୍କ ଅଳଙ୍କାର ଯଥା ଶ୍ରୀପୟର, ଶ୍ରୀମୁଖପଦ୍ମ ଏବଂ ଅନ୍ୟାନ୍ୟ ଅଳଙ୍କାରର ମରାମତି କାର୍ଯ୍ୟ ପ୍ରଦାନ କରାଯାଇଛି। ଏସବୁ ଅଳଙ୍କାରକୁ ଚଳିତବର୍ଷ ସୁନାବେଶରେ ମହାପ୍ରଭୁଙ୍କୁ ଲାଗି କରାଯିବ। ଗତ ନବକଳେବର ସମୟର ମରାମତି ଭଳି ଖିମ୍‌ଜୀ ଜୁଏଲର୍ସ ଚଳିତ ଥର ମଧ୍ୟ ଏଥିପାଇଁ କୌଣସି ପାଉଣା ନେବ ନାହିଁ। ଚଳିତଥର ମହାପ୍ରଭୁଙ୍କ ଅଳଙ୍କାରର ମରାମତି କରିବା ଲାଗି ଖିମ୍‌ଜୀ ଜୁଏଲର୍ସ ୪ ଜଣ ଅଭିଜ୍ଞ କାରିଗରଙ୍କୁ ପୁରୀ ପଠାଇ ସାରିଛି ବୋଲି ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର