ଝାରସୁଗୁଡ଼ାରେ ଖିମ୍‌ଜୀ ଜୁଏଲର୍ସ

୯୫% ଗ୍ରାହକ ଷ୍ଟୋର୍‌ରେ ସୁନା ଗହଣା କିଣିବାକୁ ପସନ୍ଦ କରନ୍ତି

ଝାରସୁଗୁଡ଼ା ସହରରେ ଖିମ୍‌ଜୀ ଜୁଏଲର୍ସ ଏହାର ନୂଆ ଷ୍ଟୋର ଖୋଲୁଛି। ଏହି ପରିପ୍ରେକ୍ଷୀରେ ଖିମ୍‌ଜୀର ନିର୍ଦେଶକ ମିତେଶ ଖିମ୍‌ଜୀଙ୍କ ସହ ବ୍ୟବସାୟ ସମ୍ପ୍ରସାରଣ, ଅନ୍‌ଲାଇନ୍‌ରେ ଅଳଙ୍କାର କାରବାର, ଅଫର ଓ ସ୍କିମ୍ ଏବଂ ସୁନା ଦର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଯେଉଁ ଆଲୋଚନା ହୋଇଥିଲା ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ରାଜ୍ୟରେ ଖିମ୍‌ଜୀର ଉପସ୍ଥିତି କିଭଳି ରହିଛି ଓ ସମ୍ପ୍ରସାରଣ ପାଇଁ ଝାରସୁଗୁଡ଼ା ସହରକୁ କାହିଁକି ଚୟନ କରିଛନ୍ତି?
୮୫ ବର୍ଷର ଇତିହାସ ଥିବା ଖିମ୍‌ଜୀ ଏହାର ପ୍ରଥମ ଷ୍ଟୋର ୧୯୩୬ରେ ବାରିପଦାରେ ସ୍ଥାପନ କରିବା ପରେ ପରବର୍ତ୍ତୀ ସମୟରେ ଭୁବନେଶ୍ବରରେ ଦୁଇଟି, କଟକ, ବ୍ରହ୍ମପୁର ଓ ରାଉରକେଲାରେ ଷ୍ଟୋର୍‌ ସ୍ଥାପନ କରିଛି। ଷଷ୍ଠ ଷ୍ଟୋର ସ୍ଥାପନ କରିବା ଲାଗି ଆମେ ଝାରସୁଗୁଡ଼ା ସହରକୁ ଚୟନ କରିଛୁ। ଏହା ଏକ ବଡ଼ ଶିଳ୍ପ ହବ୍ ହୋଇଥିବା ବେଳେ ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଏଠାରେ ସ୍ଥାପନ କରାଯାଇଛି। ଆମେ ଆମ ବ୍ୟାବସାୟିକ ଦିଗ ଓ ଉତ୍ତମ ଗୁଣବତ୍ତାର ପ୍ରସାର କରିବା ପାଇଁ ଝାରସୁଗୁଡ଼ା ସହରକୁ ଚୟନ କରିଛୁ। କୋଭିଡ୍‌ ଯୋଗୁଁ ଦୁଇ ବର୍ଷ ଧରି ବ୍ୟବସାୟ ମନ୍ଥର ରହିଥିଲା। ଆଗାମୀ ଦିନର ବ୍ୟବସାୟକୁ ନେଇ ଆମେ ବେଶ ଆଶାବାଦୀ ରହିଛୁ।

ରାଜ୍ୟରେ ଷ୍ଟୋର୍‌ ସମ୍ପ୍ରସାରଣ କରିବା ଯୋଜନା ଅଛି କି?
କୋଭିଡ୍‌ ଯୋଗୁଁ ସଂପ୍ରସାରଣରେ ବାଧା ସୃଷ୍ଟି ହୋଇଛି। ଆଗାମୀ ବର୍ଷେ ଦୁଇବର୍ଷ ଭିତରେ ରାଜ୍ୟର ଅନ୍ୟାନ୍ୟ ସହର ଯଥା ବାଲେଶ୍ବର, ପୁରୀ ଭଳି ସହରକୁ ପ୍ରାଥମିକତା ଦେବାକୁ ଚିନ୍ତା କରିଛୁ।

ଉତ୍ସବ ଋତୁ ପାଇଁ କିଛି ସ୍ବତନ୍ତ୍ର ସ୍କିମ୍ ଓ ଅଫର ଘୋଷଣା କରିବାର ଯୋଜନା ଅଛି କି?
ଆଗକୁ ବିବାହ ଋତୁ ଥିବାରୁ ଖିମ୍‌ଜୀ ଗ୍ରାହକ ମାନଙ୍କ ଚାହିଦା ଓ ପସନ୍ଦକୁ ନେଇ ଅଳଙ୍କାର ପ୍ରସ୍ତୁତ କରିଛି। ସୁନାର ଗଢ଼ା ମୂଲ୍ୟ ଓ ହୀରା ମୂଲ୍ୟରେ ଫ୍ଲାଟ୍‌ ୨୦ ପ୍ରତିଶତ ରିହାତି ଦିଆଯାଇଛି। ରୁପା ଓ ଫେସନ୍‌ ଅଳଙ୍କାରରେ ମଧ୍ୟ ବହୁ ଆକର୍ଷଣୀୟ ଅଫର ରହିଛି। ଆଶା କରୁଛୁ ଗତ ଦୁଇବର୍ଷ ଅପେକ୍ଷା ଏବର୍ଷ ଭଲ ବ୍ୟବସାୟ ହେବ।

ଅନ୍‌ଲାଇନ୍ କିଣାକିଣିରେ ଖିମ୍‌ଜୀର ପ୍ରଦର୍ଶନ କିଭଳି ରହିଛି?
ମହାମାରୀ ସମୟରେ ଅନେକ ଲୋକ ଅନ୍‌ଲାଇନ୍‌ ବ୍ୟବସାୟ ପ୍ରତି ଆକର୍ଷିତ ହୋଇଛନ୍ତି। ତେବେ ଗହଣାରେ ଗ୍ରାହକମାନେ ଏତେଟା ଆଗ୍ରହ ପ୍ରକାଶ କରିନାହାନ୍ତି। ଯେହେତୁ ସୁନା ଅଳଙ୍କାର ଦାମ୍ ଅଧିକ ତେଣୁ କିଣିବା ବେଳେ ସେମାନେ ତାହାକୁ ସ୍ପର୍ଶ କରି ପରଖିବାକୁ ଚାହାନ୍ତି। ସୁନା ଅଳଙ୍କାରକୁ ଆଜିବି ୯୫ ପ୍ରତିଶତ ଗ୍ରାହକ ଷ୍ଟୋରକୁ ଆସି କିଣୁଛନ୍ତି। ଖିମ୍‌ଜୀ ମଧ୍ୟ ଅନ୍‌ଲାଇନ୍‌ କ୍ଷେତ୍ରରେ ପ୍ରବେଶ କରିଛି। ତେବେ ଅନ୍‌ଲାଇନ୍‌ ବ୍ୟବସାୟରେ ଅଳଙ୍କାର ଏତେଟା ଗ୍ରହଣୀୟ ହୋଇ ପାରିନାହିଁ।

ଖିମ୍‌ଜୀ ଜୁଏଲର୍ସ ରାଜ୍ୟ ବାହାରରେ ଷ୍ଟୋର୍‌ ଖୋଲିବାକୁ ଯୋଜନା ରଖିଛି କି?
ରାଜ୍ୟର ମୁଖ୍ୟ ସହରଗୁଡ଼ିକରେ ଖିମ୍‌ଜୀ ସୋ’ରୁମ୍‌ ଖୋଲି ସାରିବା ପରେ ରାଜ୍ୟ ବାହାରେ ସୋ’ରୁମ୍‌ ଖୋଲିବାର ଯୋଜନା ରଖିଛି। ଆସନ୍ତା ୨୦୨୨ ରେ ରାଜ୍ୟ ବାହାରେ ଖିମ୍‌ଜୀ ବ୍ୟବସାୟ ସଂପ୍ରସାରଣ କରିବ।

ସୁନାଦର ବୃଦ୍ଧି ଗ୍ରାହକଙ୍କୁ କେତେ ପ୍ରଭାବିତ କରୁଛି?
ସୁନା ଦର ବୃଦ୍ଧି ହେଲେ ନିଶ୍ଚିତ ଗ୍ରାହକଙ୍କୁ ଏହା ପ୍ରଭାବିତ କରୁଛି। ଆମେବି ଚାହୁଁ ସୁନା ଦାମ୍ ୫୦ ହଜାର ଟଙ୍କା ତଳେ ରହୁ। କିନ୍ତୁ ବିଶ୍ବବଜାର ଦ୍ବାରା ସୁନା ବଜାର ନିୟନ୍ତ୍ରଣ ହେଉଥିବାରୁ ଏହାର ଦର ବଢ଼ୁଛି। ଗତ କିଛି ଦିନ ତଳେ ୫୦ ହଜାର ଟଙ୍କା ତଳକୁ ଦର କମି ଥିବା ବେଳେ ଏହା ପୁଣି ବୃଦ୍ଧି ପାଇ ଏବେ ୪୯ ହଜାରକୁ ଆସି ପହଞ୍ଚି ଗଲାଣି।

ଖିମ୍‌ଜୀ ଫାଉଣ୍ଡେସନକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ?
ଖିମ୍‌ଜୀ ଫାଉଣ୍ଡେସନ୍‌ ଜରିଆରେ ଆମେ ଅନେକ ଜନହିତକର କାମ କରୁଛୁ। ସ୍ବାସ୍ଥ୍ୟ କ୍ଷେତ୍ରରେ ବିଶେଷ କରି ଫାଉଣ୍ଡେସନ୍‌ କାମ କରୁଛି। କୋଭିଡ ସମୟରେ ସରକାରଙ୍କ ସହିତ ଫାଉଣ୍ଡେସନ୍‌ ବିଭିନ୍ନ ସହଯୋଗ କରିଥିବା ବେଳେ ନିକଟରେ ପୁରୀ ମନ୍ଦିରକୁ ଆମ୍ବୁଲାନ୍ସ୍‌ ପ୍ରଦାନ କରାଯାଇଛି ଓ ମହିଳା ସଶକ୍ତୀକରଣ ପାଇଁ ମଧ୍ୟ ଆମେ ହାତ ବଢ଼ାଇଛୁ।

ସାକ୍ଷାତକାର: ପ୍ରଶାନ୍ତ ମିଶ୍ର

ସମ୍ବନ୍ଧିତ ଖବର