ଭୁବନେଶ୍ବର: ରାଜ୍ୟରେ ୨୦୧୦ ପରଠାରୁ ଏକୀକୃତ ନିର୍ଗମନ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ୯୭୫ଟି ବୃହତ୍ ଶିଳ୍ପକୁ ଅନୁମୋଦନ ଦିଆଯାଇଛି। ସେହି ପ୍ରକଳ୍ପଗୁଡ଼ିକରେ ୨୧,୮୯,୮୫୩.୨୦ କୋଟି ଟଙ୍କା  ପୁଞ୍ଜିନିବେଶର ପ୍ରସ୍ତାବ ରହିଛି। ସେଥିରୁ ବର୍ତ୍ତମାନ ସୁଦ୍ଧା‌ ୧୨୫ଟି ବୃହତ୍‌ ଶିଳ୍ପ ପ୍ରକଳ୍ପ ରାଜ୍ୟରେ ସ୍ଥାପନ ହୋଇ ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ନେଇ ବିଧାନସଭାରେ ସରକାର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପଗୁଡ଼ିକରେ ୧,୯୩,୦୬୪.୪୨ କୋଟି ଟଙ୍କା ନିବେଶ ହୋଇଛି। ତାହାର ପ୍ରଭାବରେ ୧,୦୧,୫୩୪ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି।

Advertisment

ଗତ ୧୫ ବର୍ଷ ମଧ୍ୟରେ ରାଜ୍ୟରେ ମଞ୍ଜୁର ହୋଇଥିବା ସର୍ବାଧିକ ୨୨୦ଟି ପ୍ରକଳ୍ପ ଖୋର୍ଦ୍ଧାକୁ ମିଳିଛି। ଏହା ପଛକୁ ଯାଜପୁରକୁ ୯୯ଟି, ସୁନ୍ଦରଗଡ଼କୁ ୮୧ଟି ଓ କଟକକୁ ୬୦ଟି ପ୍ରକଳ୍ପ ମିଳିଛି। ଏକେନ୍ଦୁଝରକୁ ୫୭, ଗଞ୍ଜାମକୁ ୫୬, ଜଗତସିଂହପୁରକୁ ୫୨, ସମ୍ବଲପୁରକୁ ୪୩ ଅନୁଗୁଳକୁ ୩୭, ଝାରସୁଗୁଡ଼ାକୁ ୩୫ ଓ ପୁରୀକୁ ୨୪ଟି ବୃହତ୍‌ ଶିଳ୍ପ ପ୍ରକଳ୍ପ ମିଳିଛି। ହି ସମୟରେ ନୂଆପଡ଼ା ଭାଗରେ ମାତ୍ର ଗୋଟିଏ ବଡ଼ ପ୍ରକଳ୍ପ ପଡ଼ିଛି। ନୟାଗଡ଼, କନ୍ଧମାଳ ଓ ଗଜପତିକୁ ଦୁଇଟି ‌ଲେଖାଏଁ ପ୍ରକଳ୍ପ ମିଳିଥିବା ବେଳେ ଦେବଗଡ଼କୁ ତିନିଟି ପ୍ରକଳ୍ପ ମିଳିଛି। ଅନ୍ୟ ଏକ ସୂଚନା ଅନୁସାରେ ୨୦୨୪ ଜୁନ୍‌ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ୪୪ଟି ବୃହତ୍‌ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ସେଥିରୁ ୮ଟି ପ୍ରକଳ୍ପ ଖୋର୍ଦ୍ଧାରେ ସ୍ଥାପନ ହେବ। ସେଥିରେ ୧୯,୮୭୪.୭୭ କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୨୨,୪୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଖୋର୍ଦ୍ଧାରେ ସିଲେକ୍ଟ୍ରିକ୍ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ, କେନିସ୍ ସର୍କିଟ୍‌ସ, ହେଟେରୋଜେନିଅସ୍ ଇଣ୍ଟିଗ୍ରେସନ୍ ପ୍ୟାକେଜିଂ ସଲ୍ୟୁସନ୍ସ, ଜୁପିଟର୍‌ ରିନୁଏବଲ୍‌ସ, ଜୁପିଟର୍‌ ଟାଟ୍ରାଭାଗୋଙ୍କା ରେଲ୍‌ହ୍ବିଲ୍‌ ଫ୍ୟାକ୍ଟ୍ରି, ଜାକ୍‌ସନ୍ ଇଞ୍ଜିନିୟର୍ସ, ଏମ୍‌ଏଏସ୍‌ ଇଣ୍ଡିଆ କ୍ଲୋଥିଂ ଓ ସୋମା ଗ୍ରିନ୍ ଏନର୍ଜି ଟେକ୍ନୋଲୋଜିସ୍‌ ପକ୍ଷରୁ ଖୋର୍ଦ୍ଧାରେ ପ୍ରକଳ୍ପ ସ୍ଥାପନ କରାଯାଉଛି।