ଆମାଜନ୍‌ରୁ ୩୪ ହଜାର ଟଙ୍କାର ଜିନିଷ ବରାଦ କଲେ ୫ ବର୍ଷୀୟା ବାଳିକା, ଘରକୁ ଜିନିଷ ଆସିବା ପରେ ଚମକି ଗଲେ ମାଆ!

ନୂଆଦିଲ୍ଲୀ: ଆପଣ କୌଣସି ପ୍ରକାରର ଜିନିଷ ବରାଦ କରି ନ ଥିବେ ମାତ୍ର କୌଣସି ଅନ୍‌ଲାଇନ୍‌ ସପିଂ କମ୍ପାନିର ବିକ୍ରେତା ଆସି ଆପଣଙ୍କୁ ପାର୍ସଲ ଦେବା ସହ ଯଦି ମୋଟା ଅଙ୍କର ଅର୍ଥ  ଦାବି କରନ୍ତି ତେବେ ଆପଣ ବିବ୍ରତ ହୋଇଯିବେ ନିଶ୍ଚୟ। ସେହିପରି ଏକ ଘଟଣା ନିକଟରେ ଘଟିଯାଇଛି। ଏପରି ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସୋଫି ଷ୍ଟୋନ୍‌।

ଆମେରିକାରେ ରହୁଥିବା ସୋଫି ଘରେ ଥିବା ଅବସ୍ଥାରେ ତାଙ୍କ ଘରକୁ ଆମାଜନ୍‌ର ଏକ ପାର୍ସଲ ଆସିଥିଲା। ପାର୍ସଲ ଆଣିଥିବା ପିଲା ଜଣକ ତାଙ୍କୁ ପାର୍ସଲଟିକୁ ଧରାଇ ଭାରତୀୟ ମୁଦ୍ରାରେ ୩୪ ହଜାର ଟଙ୍କା ମାଗିଥିଲେ। ଚମକି ପଡ଼ିଥିଲେ ସୋଫି। ସେ କେବେ ଆଉ କ’ଣ ବରାଦ କଲେ ଭାବି ଅତ୍ୟନ୍ତ ଦ୍ୱନ୍ଦ୍ୱରେ ପଡ଼ିଗଲେ। ମହିଳା ଜଣକ ନିଜ ସ୍ୱାମୀ ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କୁ ପଚରାଉଚରା କଲେ। ମାତ୍ର ଉତ୍ତର ଆସିଲା ନାଁ। ଆମାଜନ୍‌ରୁ କେହି ବି ହେଲେ କିଛି ବରାଦ କରିନଥିଲେ। ସୋଫି ତା’ପରେ ନିଜ ଆମାଜୋନ୍‌ ଆକାଉଣ୍ଟ୍‌ ଦେଖିଲେ। ଦେଖିବାରୁ ଜାଣିବାକୁ ପାଇଲେ ଯେ ବାସ୍ତବରେ ତାଙ୍କ ଆକାଉଣ୍ଟ୍‌ରୁ ୩୪ ହଜାର ଟଙ୍କାର ଜିନିଷ ବରାଦ ହୋଇଛି। ଶେଷରେ ଜାଣିବାକୁ ମିଳିଲା ଯେ ଆମଜନ୍‌ରୁ ଏକ ହୀରା ହାର ଏବଂ ଏକ କଣ୍ଢେଇ  ବରାଦ କରିଥିଲେ ସୋଫିଙ୍କ ୫ ବର୍ଷୀୟ କନ୍ୟା ଏଲି।

ଉଲ୍ଲେଖଯୋଗ୍ୟ, ସୋଫିଙ୍କ ଆକାଉଣ୍ଟ୍‌ର ପାସ୍‌ଓ୍ଵାର୍ଡ ତାଙ୍କ ସ୍ୱାମୀଙ୍କ ବ୍ୟତୀତ ବଡ଼ ଝିଅ ବାଲା ଜାଣିଥିଲେ। ଏଲି ତାଙ୍କ ବଡ଼ ଭଉଣୀଠାରୁ ପାସ୍‌ଓ୍ଵାର୍ଡ ମାଗି ନେଇ ଖେଳୁଥିବା ସମୟରେ ଭୁଲ୍‌ବଶତଃ ବରାଦ କରିଥିବା ଜାଣିବାକୁ ମିଳିଛି। ସୋଫି ଇତି ମଧ୍ୟରେ ପାସଓ୍ଵାର୍ଡ ବଦଳାଇ ସାରିଲେଣି।

ସମ୍ବନ୍ଧିତ ଖବର