ଦିଲ୍ଲୀରେ ସର୍ବବୃହତ କିଡ୍‌ନି ଡାଏଲିସିସ୍‌ ହସ୍ପିଟାଲ୍, ସମ୍ପୂର୍ଣ୍ଣ ମାଗଣାରେ ହେବ ଚିକିତ୍ସା

କ୍ୟାସ୍‌ କାଉଣ୍ଟର ନାହିଁ, ରୋଗୀଙ୍କୁ ମାଗଣା‌ରେ ମିଳିବ ଖାଦ୍ୟ

ନୂଆଦିଲ୍ଲୀ: ରାଜଧାନୀ ସହର ଦିଲ୍ଲୀରେ ‌ଦେଶର ସବୁଠୁ ବଡ଼ କିଡ୍‌ନି ଡାଏଲିସିସ୍‌ ହସ୍ପିଟାଲ୍ ‌ଖୋଲାଯାଇଛି। ଦିଲ୍ଲୀ ଗୁରୁଦ୍ବାରା ପ୍ରବନ୍ଧକ କମିଟି ତରଫରୁ ଏହି ହସ୍ପିଟାଲ୍ ଖୋଲାଯାଇଛି। କମିଟିର ସୂଚନା ଅନୁଯାୟୀ, ଏହା ହେଉଛି ‌ଦେଶର ପ୍ରଥମ ହସ୍ପିଟାଲ୍ ଯେଉଁଥିରେ କ୍ୟାସ୍‌ କାଉଣ୍ଟର ନାହିଁ। ସବୁ ରୋଗୀଙ୍କୁ ଏଠାରେ ମାଗଣାରେ ଚିକିତ୍ସା କରାଯିବ। କମିଟିର ଅଧ୍ୟକ୍ଷ ମନଜିନ୍ଦର ସିଂହ ସିର୍‌ସା କହିଛନ୍ତି ଯେ ହସ୍ପିଟାଲ୍‌ରେ ମାଗଣା ଚିକିତ୍ସା ସୁବିଧା ସହ ରୋଗୀଙ୍କୁ ଖାଦ୍ୟ ମଧ୍ୟ ଦିଆଯିବ। ବାଙ୍ଗଲାସାହିବ ଗୁରୁଦ୍ବାରାରୁ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଆସିବ। କେବଳ ରୋଗୀ ନୁହନ୍ତି ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଖାଦ୍ୟ ଦିଆଯିବ। ବୈଷୟିକ ଦୃଷ୍ଟିକୋଣରୁ ଏହା ଦେଶର ସବୁଠୁ ଉନ୍ନତ କିଡ୍‌ନି ଡାଏଲିସିସ୍‌ ହସ୍ପିଟାଲ୍ ବୋଲି ସେ କହିଛନ୍ତି। ଏହି ହସ୍ପିଟାଲ୍‌ରେ ରୋଗୀଙ୍କ ପାଇଁ ପଞ୍ଜୀକରଣ କାଉଣ୍ଟର୍‌ ରହିବ କିନ୍ତୁ ବିଲିଂ କାଉଣ୍ଟର୍‌ ରହିବ ନାହିଁ। ହସ୍ପିଟାଲ୍‌ରେ ୫୦ଟି ଶଯ୍ୟା ଓ ୫୦ଟି ଇଲେକ୍ଟ୍ରିକ୍ ଚେୟାର ରହିଛି। ଶଯ୍ୟାରେ ଶୋଇ ରହିବା ବେଳେ ରୋଗୀଙ୍କୁ ଆରାମ ନଲାଗିଲେ ସେ ଏହି ଇଲେକ୍ଟ୍ରିକ୍ ଚେୟାରଗୁଡ଼ିକରେ ବସି ପାରିବେ। ହସ୍ପିଟାଲ୍‌ରେ ବ୍ୟବହାର କରାଯାଇଥିବା ମେସିନ୍ ଓ ଉପକରଣଗୁଡ଼ିକୁ ଜର୍ମାନିରୁ ମଗାଯାଇଛି।

ଏଠାରେ ପ୍ରତିଦିନ ୫୦୦ ରୋଗୀଙ୍କ ଡାଏଲିସିସ୍ କରାଯାଇପାରିବ। ଡାଏଲିସିସ୍‌ ପାଇଁ ୩-୪ ଘଣ୍ଟା ସମୟ ଲାଗିଥ‌ାଏ। ଦେଶର ବିଶିଷ୍ଟ ନେଫ୍ରୋଲୋଜିଷ୍ଟ୍‌ମାନଙ୍କୁ ହସ୍ପିଟାଲ୍‌ରେ ନିଯୁକ୍ତି ଦିଆଯାଇଛି। ସପ୍ତାହକ ଭିତରେ ଅନ୍‌ଲାଇନ୍ ପଞ୍ଜୀକରଣ ସୁବିଧା ଆରମ୍ଭ ହେବ ବୋଲି ଶ୍ରୀ ସିର୍‌ସା କହିଛନ୍ତି। ହସ୍ପିଟାଲ୍ ପରିଚାଳନା ବାବଦ ଖର୍ଚ୍ଚକୁ କଂପାନିଗୁଡ଼ିକର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ହାସଲ କରିବା ଲାଗି କମିଟି ଯୋଜନା ରଖିଛି। ଏହା ବ୍ୟତୀତ ଦାତବ୍ୟ କାର୍ଯ୍ୟ‌ରେ ସକ୍ରିୟ ଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର