‘କିଓର୍‌ବେ’ ୫୦ଟି ଇକ୍ଲିନିକ୍ ଖୋଲିବ

ଭୁବନେଶ୍ବର: ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବାକୁ ନେଇ ରହିଥିବା ସମସ୍ୟାର ସମାଧାନ କରିବା ଲାଗି ‘କିଓରବେ’ ନାମକ ଏକ ସଂସ୍ଥା ଆଗେଇ ଆସିଛି। ଏହା ଆସନ୍ତା ୬ ମାସରେ ରାଜ୍ୟରେ ୫୦ଟି ଇକ୍ଲିନିକ୍ ଖୋଲିବ। ବାମନାଳ, କୁମଢ଼େଇ, ଜାହାଙ୍ଗିରାବାଦ, ଗୋପ, ରାଜଘାଟ, ସାହେଜପାଲ ଭଳି ସ୍ଥାନରେ ଏହି କ୍ଲିନିକ୍‌ଗୁଡ଼ିକୁ ଖୋଲାଯିବ। ଏହି କ୍ଲିନିକ୍‌ଗୁଡ଼ିକରେ ପହଞ୍ଚି ଗ୍ରାମାଞ୍ଚଳର ରୋଗୀମାନେ ସ୍ବାସ୍ଥ୍ୟ ସେବା ପାଇପାରିବେ। ଅତି ସୁଲଭ ମୂଲ୍ୟରେ ଏହା ଲୋକମାନଙ୍କୁ ଟେଲିମେଡିସିନ୍ ପରାମର୍ଶ ପ୍ରଦାନ କରିବ। କିଓରବେର କେନ୍ଦ୍ରରେ ରୋଗୀମାନେ ମୌଳିକ ସ୍ବାସ୍ଥ୍ୟ ଯାଞ୍ଚର ସୁବିଧା ପାଇବେ। ଶୀଘ୍ର ନିଦାନ ଲାଗି ଲାଇଭ୍‌ ପରାମର୍ଶ, ଉନ୍ନତ ପ୍ରଯୁକ୍ତି ଜରିଆରେ ନିଦାନ ଓ ତ୍ବରିତ ମୋବାଇଲ୍‌ ପରାମର୍ଶ ଭଳି ସେବା ଏହା ପ୍ରଦାନ କରିବ।

ପ୍ରତିଟି କେନ୍ଦ୍ରରେ ପ୍ରଶିକ୍ଷିତ ଓ ମାନ୍ୟତାପ୍ରାପ୍ତ ଷ୍ଟାଫ୍ ରହିବେ ବୋଲି କିଓରବେର ପ୍ରତିଷ୍ଠାତା ପ୍ରିୟଦର୍ଶୀ ମହାପାତ୍ର କହିଛନ୍ତି। ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ କଂପାନି ପକ୍ଷରୁ ବିଶିଷ୍ଟ ଡାକ୍ତର ଓ ହସ୍ପିଟାଲ୍‌ଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଦୁର୍ମଗ ଅଞ୍ଚଳରେ ପ୍ରାଥମିକ ଚିକିତ୍ସା ସେବାକୁ ନେଇ ରହିଥିବା ଅନ୍ତର ଦୂର କରିବାକୁ ଆମେ ଚାହୁଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କ୍ୟୁର୍‌ବେ ପକ୍ଷରୁ ଓମ୍‌ନି ଚ୍ୟାନେଲ୍‌ ସେବା ପ୍ରଦାନ କରାଯିବ। ଅର୍ଥାତ ଉଭୟ ଡିଜିଟାଲ୍ ଓ ପ୍ରତ୍ୟକ୍ଷ ଭାବେ ରୋଗୀମାନେ ଏହାର ସେବା ପାଇପାରିବେ। ଇକ୍ଲିନିକ୍‌ଗୁଡ଼ିକରେ ଚିକିତ୍ସା ସୁବିଧା ମିଳିବ। ଏହା ବ୍ୟତୀତ କଂପାନିର ଡିଜିଟାଲ୍ ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଥିବା ଫାର୍ମାସିଗୁଡ଼ିକରୁ ରୋଗୀମାନେ ଔଷଧ ବରାଦ କରିପାରିବେ। ପରୀକ୍ଷା ପାଇଁ ରୋଗୀଙ୍କ ଘରୁ ନମୁନା ସଂଗ୍ରହ ସୁବିଧା ପ୍ରଦାନ କରାଯିବ। ଏହି ଅବସରରେ କିଓରବେର ସହ ପ୍ରତିଷ୍ଠାତା ଶୋଭନ ମହାପାତ୍ର ଓ ଉପଦେଷ୍ଟା ଡକ୍ଟର ବିରେନ୍ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର