ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌କୁ ଦିଆଯାଇଥିବା ଋଣ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌କୁ ଗ୍ରହଣ କରି ସ୍ବତନ୍ତ୍ର ସିବିଆଇ କୋର୍ଟ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର, ତାଙ୍କ ପତି ଦୀପକ କୋଚର ଓ ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କୁ ସମନ୍‌ ଜାରି କରି ଆସନ୍ତା ମାସରେ ହାଜର ହେବାକୁ କହିଛନ୍ତି। ସିବିଆଇ ଏହାର ଚାର୍ଜସିଟ୍‌ରେ କୋର୍ଟଙ୍କୁ ଜଣାଇଛି ଯେ ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ହେବେ ବୋଲି ନିଶ୍ଚିତ ହୋଇଯିବା ପରେ ୨୦୦୮ରେ ୮ ଜଣ ବ୍ୟକ୍ତି ମିଶି ଭିଡିଓକନ୍‌କୁ ଋଣ ମଞ୍ଜୁର କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ୨୦୦୧ରେ ଚନ୍ଦା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ ନିଯୁକ୍ତ ହେବା ପରେ ୨୦୦୯ ମେ’ ୧ରୁ ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ୨୦୦୮ ଡିସେମ୍ବର ୧୯ରେ ସେ ସିଇଓ ହେବେ ବୋଲି ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା।

Advertisment

ସେହି ମାସଠାରୁ ଅଭିଯୁକ୍ତମାନେ ମିଶି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭିଡିଓକନ୍‌କୁ ଋଣ ଦେବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ଚନ୍ଦା ସିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୯ରୁ ୨୦୧୧ ଭିତରେ ଭିଡିଓକନ୍‌ର ବିଭିନ୍ନ କଂପାନିକୁ ବ୍ୟାଙ୍କ ୧୮୭୫ କୋଟି ଟଙ୍କାର ଋଣ ଦେଇଥିଲା। ଋଣ ମଞ୍ଜୁର କରିବା ଲାଗି ୬୪ କୋଟି ଟଙ୍କାର କିକ୍‌ବ୍ୟାକ୍ କାରବାର ହୋଇଥିଲା। ସେହି ଟଙ୍କାକୁ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚରଙ୍କ କଂପାନି ନ୍ୟୁପାୱାରରେ ଭିଡିଓକନ୍‌ର ଧୁତ୍‌ ନିବେଶ କରିଥିଲେ। ସିବିଆଇ ଏହାର ଚାର୍ଜସିଟ୍‌ରେ ଦକ୍ଷିଣ ‌ମୁମ୍ବାଇର ଏକ ଫ୍ଲାଟ୍‌ ବିଷୟରେ ଆଲୋଚନା କରିଛି। ସେହି ଫ୍ଲାଟ୍‌ର ସମ୍ପର୍କ ଭିଡିଓକନ୍‌ ଗ୍ରୁପ୍ ସହ ଥିବା ବେଳେ ତାହାକୁ କୋଚର ଦମ୍ପତି ୨୦୧୬ରେ ମାତ୍ର ୧୧ ଲକ୍ଷ ଟଙ୍କାରେ କିଣିଥିଲେ, କିନ୍ତୁ ତାହାର ବଜାର ମୂଲ୍ୟ ୧୮ କୋଟି ଟଙ୍କାରୁ ଅଧିକ ଥିଲା। ଏହି ମାମଲ‌ାରେ ସିବିଆଇ ପକ୍ଷରୁ ୨୦୨୨ ଡିସେମ୍ବରରେ କୋଚ୍ଚର ଦମ୍ପତିଙ୍କୁ ଓ ପରେ ଧୁତ୍‌ଙ୍କୁ ଗିରଫ କରାଯାଇଥିଲା। ତିନି ଅଭିଯୁକ୍ତ ଜାମିନରେ ବାହାରକୁ ଆସିଛନ୍ତି।