କୋଲକାତା : ୧୦ ମିନିଟରେ ଘରକୁ ମଦ ପହଞ୍ଚାଉଛି ଏହି ଷ୍ଟାର୍ଟଅପ୍

କୋଲକାତା : ଏଣିକି ୧୦ ମିନିଟରେ ଘରେ ପହଞ୍ଚିବ ମଦ । ଏହି ସେବା ଯୋଗାଇବା ଆରମ୍ଭ କରିଛି ହାଇଦ୍ରାବାଦର ଏକ ଷ୍ଟାର୍ଟ-ଅପ ବୁଜି । ପ୍ରଥମେ ଏହି ସେବା କୋଲକାତାରେ ଆରମ୍ଭ ହୋଇଛି । ଧୀରେ ଧୀରେ ଏହା ଦେଶର ଅନ୍ୟ ସହରରେ ବି ସେବା ଆରମ୍ଭ କରିବାକୁ ଯୋଜନା କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶରେ ପୂର୍ବରୁ ହିଁ କେତେକ କମ୍ପାନି ମଦ ହୋମ ଡେଲିଭରୀ କରୁଛନ୍ତି । ମାତ୍ର ୧୦ ମିନିଟରେ ମଦ ହୋମ ଡେଲିଭରୀ କରୁଥିବା ଦେଶର ପ୍ରଥମ କମ୍ପାନିରେ ପରିଣତ ହୋଇଛି ବୁଜି ।

ଜୋମାଟୋ, ସ୍ବିଗି ପରି କମ୍ପାନି ଯେପରି ମୋବାଇଲ ଆପ ମାଧ୍ୟମରେ ଖାଦ୍ୟର ହୋମ ଡେଲିଭରି କରୁଛନ୍ତି, ବୁଜି ମଧ୍ୟ ଏକ ମୋବାଇଲ ଆପ ମାଧ୍ୟମରେ ମଦ ହୋମ ଡେଲିଭରି କରୁଛି । ଗ୍ରାହକମାନେ ଏହି ଆପ ବ୍ୟବହାର କରି ଅର୍ଡର ଦେବା ପରେ ନିକଟତମ ତେଲିଭରି ବୟ ନିକଟକୁ ନିର୍ଦ୍ଦେଶ ଯାଏ ଓ ଡେଲିଭରି ବୟ ନିକଟତମ ମଦ ଦୋକାନରୁ ଗ୍ରାହକଙ୍କ ପସନ୍ଦର ବ୍ରାଣ୍ଡର ମଦ କିଣି ଗ୍ରାହକଙ୍କୁ ଯୋଗାଇ ଦେଇଥାଏ । ଏସମସ୍ତ ପ୍ରକ୍ରିୟା ମାତ୍ର ୧୦ ମିନିଟରେ ସମ୍ପାଦିତ ହୋଇଥାଏ ।

ପଶ୍ଚିମବଙ୍ଗର ଅବକାରି ବିଭାଗ ପକ୍ଷରୁ ଏହି ସେବାକୁ ଅନୁମତି ଦିଆଯାଇଛି । ଅନ୍ୟ ରାଜ୍ୟଗୁଡ଼ିକର ଅବକାରି ବିଭାଗ ସହ ମଧ୍ୟ କମ୍ପାନି ଯୋଗାଯୋଗରେ ଅଛି ଓ ଅନୁମତି ମିଳିବା ପରେ ସେବା ଆରମ୍ଭ କରାଯିବ ।

ସମ୍ବନ୍ଧିତ ଖବର