ଆମେରିକା ପହଞ୍ଚିଲା କୋରାପୁଟର କଫି

ଭୁବନେଶ୍ବର: କୋରାପୁଟ ଅଞ୍ଚଳର କଫି ଯୁକ୍ତରାଷ୍ଟ୍ର ଆମେରିକାରେ ପହଞ୍ଚିଛି। କଳିଙ୍ଗ ଦେଶୀଆଗ୍ରୋ ଫାଉଣ୍ଡେସନ (କେଡିଏଫ୍) ପକ୍ଷରୁ ଏହା ଘୋଷଣା କରାଯାଇଛି। କୋରାପୁଟର ଲକ୍ଷ୍ମୀପୁର ବ୍ଲକ୍‌ରେ ମଧୁ ଆଗ୍ରୋ ପ୍ଲାଣ୍ଟେସନ ଦ୍ବାରା ଉତ୍ପାଦନ କରାଯାଇଥିବା ଏହି ସ୍ପେସିଆଲିଟି କଫିକୁ ମହୁରେ ପ୍ରକ୍ରିୟାକରଣ କରାଯାଇଛି। ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ବର୍‌କ୍ଲେର ସ୍ବତନ୍ତ୍ର କଫି ରୋଷ୍ଟର କାବେରୀ କଫି ୱାର୍କସ୍‌ ପକ୍ଷରୁ ତାହା ପ୍ରଦାନ କରାଯାଇଛି। ଏପ୍ରିଲ୍ ୨୫ରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହେବା ପୂର୍ବରୁ କାବେରୀ କଫି ୱାର୍କସ୍‌ ପକ୍ଷରୁ ଚିକାଗୋରେ ଅନୁଷ୍ଠିତ ସ୍ପେସିଆଲିଟି କଫି ଏକ୍ସପୋ ୨୦୨୪ରେ ତାହାକୁ ପ୍ରଦର୍ଶନ କରାଯାଇଥିଲା।

ମାଆ ଓ ଝିଅ ଟି ନିର୍ମଳା ରେଡ୍ଡି ଓ ରାଜେଶ୍ବରୀ ରେଡ୍ଡିଙ୍କ ଅଧୀନରେ ମଧୁ ଆଗ୍ରୋ ପ୍ଲ‌ାଣ୍ଟେସନ ପରିଚାଳିତ ହେଉଛି। ସେଠାରେ କାମ କରୁଥିବା ସମ‌ସ୍ତେ ମହିଳା। ରାଜେଶ୍ବରୀ କହିଛନ୍ତି ଯେ ସ୍ପେସିଆଲିଟି ମାଇକ୍ରୋଲଟ୍‌ ଉତ୍ପାଦନ କରିବା ସହଜ କାର୍ଯ୍ୟ ନୁହେଁ। ଏଥି ପାଇଁ ସ୍ବତନ୍ତ୍ର ଯୋଜନା, ବଛା ବଛା କଫି, ପ୍ରକ୍ରିୟାକରଣ, ନିୟନ୍ତ୍ରିତ ପରିବେଶରେ ବହୁ ଦିନ ପର୍ଯ୍ୟନ୍ତ ତାହାକୁ ଶୁଖାଇବା ଏବଂ ତା’ପରେ ପାକେଜିଂ ଏବଂ ସୁହାଇବା ଭଳି ପରିବେଶରେ ସଂରକ୍ଷଣ କରିବା ଜରୁରୀ। ସଠିକ୍ ଗ୍ରାହକ ନମିଳିଲେ ସେହି କଫି ବେକାର ଯିବ। ସେହି ସମୟରେ କେଡିଏଫ୍ ପହଞ୍ଚିଥିଲା ବୋଲି ରାଜେଶ୍ବରୀ କହିଛନ୍ତି।
କେଡିଏଫ୍‌ର ସହ ପ୍ରତିଷ୍ଠାତା ପ୍ରୀତି ପଲ୍ଲବୀ ପଟ୍ଟନାୟକ କହିଛନ୍ତି ଯେ ଏହା କେବଳ ନମୁନା ପଠଶିବାର ଏକ ସରଳ ପ୍ରକ୍ରିୟା ନଥିଲା। କାବେରୀ କଫି ମାମଲାରେ ଆମେ ମହିଳାଙ୍କ ଦ୍ବାରା ଉତ୍ପାଦିତ କଫି ଆଣିବାରେ ସକ୍ଷମ ହେବା ପରେ ମହିଳାଙ୍କ ଦ୍ବାରା ପରିଚାଳିତ କେଡିଏଫ୍‌ରେ ତାହାର ପ୍ରକ୍ରିୟାକରଣ କରାଯାଇଥିଲା ଏବଂ ଶେଷରେ ମହିଳାଙ୍କ ଦ୍ବାରା ପରିଚାଳିତ କାବେରୀ କଫି ୱାର୍କସ୍‌ ଜରିଆରେ ରୋଷ୍ଟ୍‌ କରାଯାଇଥିଲା। କଫିର ମାନ ଆଶାନୁରୂପ ହୋଇନଥିଲେ ଏହା ସମ୍ଭବପର ହୋଇନଥାନ୍ତା ବୋଲି ପ୍ରୀତି କହିଛନ୍ତି।

ସମ୍ବନ୍ଧିତ ଖବର