କୋରାପୁଟର ଯୁବକ ତିଆରି କରିବେ ‌ଇଲେକ୍‌ଟ୍ରିକ୍ ବସ୍

ଇଡ୍‌କୋକୁ ମାଗିଛନ୍ତି ୧୦୦ ଏକର ଜମି, ଭୁବନେଶ୍ବରରୁ ବ୍ରହ୍ମପୁର ଭିତରେ ଯେକୌଣସି ସ୍ଥାନରେ ବସାଇବେ

ଭୁବନେଶ୍ବର : କୋରାପୁଟର ଜୟପୁର ସହରରେ ଜନ୍ମ ଗ୍ରହଣ କରି ଫାମ୍ପୁଣି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ଏବଂ ଆଇଇଏମ୍‌ରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ଓ ପରେ ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରି ହାସଲ କରିଥିବା ଯୁବ ଉଦ୍ୟୋଗୀ ପ୍ରଭାତ କୁମାର ନାହାକ ରାଜ୍ୟରେ ଏକ ଇଲେକ୍ଟ୍ରିକ୍ ବସ୍ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। ଭୁବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ଯେକୌଣସି ସ୍ଥାନରେ ଜମି ମିଳିଲେ ସେ ଏହି କାରଖାନା ବସାଇବେ। ଏଥିପାଇଁ ଇଡ୍‌କୋକୁ ସେ ୧୦୦ ଏକର ଜମି ମାଗିଛନ୍ତି। ଜମି ମିଳିବା ପରେ ୩୫-୪୦ କୋଟି ଟଙ୍କା ବ୍ୟୟରେ କାରଖାନା ସ୍ଥାପନ କରାଯିବ ଓ କିଛି ମାସ ପରେ ସେଠାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଜୁମ୍‌ ମାଧ୍ୟମରେ ନିଜ ବ୍ୟାବସାୟିକ ଯୋଜନା ସମ୍ପର୍କରେ ଶ୍ରୀ ନାହାକ ଆଲୋଚନା କରି କହିଛନ୍ତି, ଏକ ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାରେ କାରଖାନା ସ୍ଥାପନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ବର୍ଷକୁ ୧୫୦୦-୨୦୦୦ ବସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ। ୟୁରୋପୀୟ ପ୍ରଯୁକ୍ତିକୁ ବ୍ୟବହାର କରି ବସ୍‌ଗୁଡ଼ିକୁ ନିର୍ମାଣ କରାଯିବ। ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ଆଗକୁ ବଢ଼ାଇବା ଲାଗି କଂପାନି ଯୋଜନା ରଖିିଛି।

ପ୍ରଭାତଙ୍କ କଂପାନି ହାନାକ ମୋଟର୍ସ ଇଲେକ୍ଟ୍ରିକ୍ ଯାନ ନିର୍ମାଣ ‌କ୍ଷେତ୍ରରେ ଦୀର୍ଘ ଦିନରୁ ସକ୍ରିୟ ରହିଛି। ତାଙ୍କ ପରିବାର କୋଲକାତାରେ କାରଖାନା ସ୍ଥାପନ କରି ବିଭିନ୍ନ କଂପାନି ଲାଗି ଫ୍ୟାନ୍ ନିର୍ମାଣ କରୁଥିଲେ। ସେଠାରେ କିଛି ବର୍ଷ କାର୍ଯ୍ୟ କରିବା ପରେ ୨୦୧୪ରେ ସେ ନାହାକ ଗ୍ରୁପ୍ ସ୍ଥାପନ କରି ଗ୍ରେଟର ନୋଏଡା ଓ ଫରିଦାବାଦରେ ଇଲେକ୍‌ଟ୍ରିକ୍ ଯାନ ନିର୍ମାଣ ପାଇଁ କାରଖାନା ସ୍ଥାପନ କରିଥିଲେ। ୬-୭ଟି ସଂସ୍ଥା ପାଇଁ ସେ ଯାନ ନିର୍ମାଣ କରୁଥିଲେ। ଏହା ପରେ ନିଜସ୍ବ କଂପାନି ଜରିଆରେ ତିନି ଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରି ଦୁଇ ବର୍ଷ ହେଲାଣି ବିକ୍ରି କରୁଛନ୍ତି। ତାଙ୍କ ସଂସ୍ଥା ୫୦ କୋଟି ଟଙ୍କାର କାରବାର ସ୍ତର ଅତିକ୍ରମ କରିସାରିଛି। ଦେଶର ପ୍ରଥମ କଂପାନି ଭାବେ ଫାଇବର ରିକନ୍‌ଷ୍ଟ୍ରକ୍ସନ ପ୍ଲାଷ୍ଟିକ୍ (ଏଫ୍‌ଆର୍‌ପି) ବଡିର ତିନି ଚକିଆ ଇଲେକ୍ଟ୍ରିକ୍ ଯାନ ତାଙ୍କ କଂପାନି ଆଣିଛି। ଏହାକୁ ବିକଶିତ କରିବା ଲାଗି ୩-୪ ବର୍ଷ ସମୟ ଲାଗିଥିଲା ବୋଲି ସେ କହିଛନ୍ତି। ନାହାକ ମୋଟର୍ସ ଇଲେକ୍‌ଟ୍ରିକ୍ ସ୍କୁଟି ବିକ୍ରି କରୁଥିବା ବେଳେ ଖୁବ୍‌ଶୀଘ୍ର ଏହା ଏକ ସ୍ପୋର୍ଟସ୍‌ ବାଇକ୍‌ ଉନ୍ମୋଚନ କରିବାକୁ ଯୋଜନା ରଖିଛି। ଏହା ୩୦୦୦ ୱାଟ୍ ଓ ୫୦୦୦ ୱାଟ୍ କ୍ଷମତାରେ ଉପଲବ୍ଧ ହେବ। ଘଣ୍ଟା ପ୍ରତି ୧୨୦ କିମି ବେଗରେ ଏହା ଯାତ୍ରା କରିପାରିବ। ଚଳିତ ବର୍ଷ ଦଶହରା ସମୟରେ ଏହା ବିକଶିତ କରିଥିବା ଇଲେକ୍‌ଟ୍ରିକ୍ ସାଇକଲ୍ ବଜାରକୁ ୍ରଆଣିବ। ଏହାର ମୂଲ୍ୟ ୨୦-୨୫ ହଜାର ଟଙ୍କା ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର