ଭାରତୀୟ ରେଳଠାରୁ ୩୫ ଟଙ୍କା ପାଇବାକୁ ୫ ବର୍ଷ ହେଲା ଲଢୁଥିବା କେସ୍‌ ଜିତିଲେ ଇଞ୍ଜିନିୟର, ଏବେ ୩ ଲକ୍ଷ ଯାତ୍ରୀଙ୍କୁ ଫେରସ୍ତ ମିଳିବ

କୋଟା: ଭାରତୀୟ ରେଳଠାରୁ ୩୫ ଟଙ୍କା ଫେରସ୍ତ ପାଇବାକୁ ଦୀର୍ଘ ୫ ବର୍ଷ ହେଲା କରି ଆସୁଥିବା ଲଢ଼େଇକୁ ଜିତିଛନ୍ତି କୋଟାର ଜଣେ ବ୍ୟକ୍ତି। ଭାରତୀୟ ରେଳବାଇ ଉକ୍ତ ବ୍ୟକ୍ତିଙ୍କ ସମେତ ପ୍ରାୟ ୩ ଲକ୍ଷ ଯାତ୍ରୀଙ୍କୁ ଏବେ ୩୫ ଟଙ୍କା ଲେଖାଏ ଫେରସ୍ତ କରିବାର ନିଷ୍ପତ୍ତି ନେଇଛି। କୋଟାର ଇଞ୍ଜିନିୟର୍‌ ସୁଜିତ ସ୍ବାମୀଙ୍କ ଏହି ଲଢ଼େଇ ପାଇଁ ଭାରତୀୟ ରେଳ ଏବେ ୨.୯୮ ଲକ୍ଷ ଯାତ୍ରୀଙ୍କୁ ମୁଣ୍ଡପିଛା ୩୫ ଟଙ୍କା ଲେଖାଏଁ ଦେଇ ସମୁଦାୟ ୨.୪୩ କୋଟି ଟଙ୍କା ଫେରସ୍ତ କରିବ।

ପିଟିଆଇ ରିପୋର୍ଟ ମୁତାବକ, ସୁଜିତ୍ ସ୍ବାମୀ କହିଛନ୍ତି ଯେ ସେ ଏହି ୩୫ ଟଙ୍କା ଫେରି ପାଇବାକୁ ପ୍ରାୟ ୫୦ଟି ଆର୍‌ଟିଆଇ ଆବେଦନ କରିଛନ୍ତି। ସ୍ବାମୀ ତାଙ୍କ ବୟାନ ଦେଇ କହିଛନ୍ତି, ‘୫୦ଟି ଆର୍‌ଟିଆଇ, ରେଳବାଇ, ଆଇଆରସିଟିସି, ଅର୍ଥ ମନ୍ତ୍ରାଳୟ, ସେବାକର ବିଭାଗ ଆଦିଙ୍କୁ ଚିଠି ଲେଖିବା ପରେ ଜିତିଥିବା ଏହି ଲଢ଼େଇଟି ଖୁବ୍‌ ଲମ୍ବା ହୋଇଥିଲେ ବି ମୁଁ ସନ୍ତୁଷ୍ଟ। ରେଳବାଇକୁ ମୋର ଟଙ୍କା ଦାବି କରି ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଜିଏସ୍‌ଟି କାଉନ୍‌ସିଲ୍‌ ଏବଂ ଅର୍ଥମନ୍ତ୍ରୀଙ୍କୁ ବାରମ୍ବାର ମୁଁ କରୁଥିବା ଟ୍ବିଟ୍‌ ଫଳପ୍ରଦ ସାବ୍ୟସ୍ତ ହେଲା। ମୋ ପରି ଆହୁରି ୨.୯୮ ଲକ୍ଷ ଯାତ୍ରୀଙ୍କୁ ରେଳବାଇର ଟଙ୍କା ଫେରାଇବା ପଦକ୍ଷେପ ସ୍ବାଗତଯୋଗ୍ୟ।’

Image Courtesy of India Rail Info

ସ୍ବାମୀଙ୍କ ଅଭିଯୋଗ ଥିଲା କି, ୨୦୧୭ ମସିହାରେ ସେ ଜୁଲାଇ ୨ ତାରିଖ ପାଇଁ ତାଙ୍କ ସହରରୁ ନୂଆଦିଲ୍ଲୀ ଯିବା ପାଇଁ ଏକ ଟିକେଟ୍‌ ବୁକ୍‌ କଲେ। ସେ ଟିକେଟ୍‌ଟି କ୍ୟାନ୍‌ସଲ୍‌ କରିବାରୁ ୭୬୫ ଟଙ୍କାର ଟିକେଟ୍‌ ଉପରେ ୧୦୦ ଟଙ୍କା କଟି ତାଙ୍କ ନିକଟକୁ ୬୬୫ ଟଙ୍କା ଫେରିଲା। ମାତ୍ର ନିୟମ ମୁତାବକ, ତାଙ୍କର ୬୫ ଟଙ୍କା କଟିବାର ଥିଲା। ୩୫ ଟଙ୍କା ସେବା କର ନାମରେ କଟାଯାଇଥିଲା, ଯଦିଓ ସ୍ବାମୀ ଟିକେଟ୍‌ ବୁକିଂ ସାମଗ୍ରୀ ଓ ସେବା କର(ଜିଏସ୍‌ଟି) ଲାଗୁ ହେବା ପୂର୍ବରୁ କରିଥିଲେ।

ତାଙ୍କର ଏକ ଆର୍‌ଟିଆଇର ଉତ୍ତରରେ ଆଇଆରସିଟିସି ପକ୍ଷରୁ କୁହାଯାଇଥିଲା କି ଟିକେଟ୍‌ଟି ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ବୁକ୍‌ ହୋଇଥିଲା ତେଣୁ ତାହା କ୍ୟାନସେଲ୍ ହେଲେ ଟଙ୍କାଫେରସ୍ତ ଉପରେ ସେବାକର ଲାଗୁ ହେବନାହିଁ। ତେଣୁ ୩୫ଟଙ୍କା ସେ ଫେରସ୍ତ ପାଇବେ ବୋଲି ଆଇଆରସିଟିସି ପକ୍ଷରୁ କୁହାଗଲା। କିନ୍ତୁ ୨୦୧୯ ମସିହା ମେ ୧ ତାରିଖରେ ଆଇଆରସିଟିସି ପକ୍ଷରୁ ସ୍ବାମୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୩୩ ଟଙ୍କା ଫେରସ୍ତ ଆସିଥିଲା। ତଥାପି ବି ସେ ତାଙ୍କ ଲଢ଼େଇ ଜାରି ରଖଥିଲେ। ଶେଷରେ ସେ ଗତ ଶୁକ୍ରବାର ତାଙ୍କ ଲଢ଼େଇ ଜିତିବା ସହ ବାକି ୨ ଟଙ୍କା ବି ଫେରସ୍ତ ପାଇଛନ୍ତି।

ସମ୍ବନ୍ଧିତ ଖବର