ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ନେଇ ଦୀର୍ଘଦିନରୁ ଉଦ୍ୟମ କରାଯାଉଥିବା ବେଳେ ଏହା ସଫଳତା ଆଡ଼କୁ ଅଗ୍ରସର ହେଉଛି। ଏହାକୁ ହାସଲ କରିବା ଲାଗି ଯେଉଁ ବ୍ୟାଙ୍କ ଓ ସଂସ୍ଥାଗୁଡ଼ିକ ବିଡ୍‌ ଦାଖଲ କରିଛନ୍ତି ସେଥିରେ ଉଦୟ କୋଟକ୍‌ଙ୍କ ବ୍ୟାଙ୍କ କୋଟକ୍ ମହିନ୍ଦ୍ରାର ନାମ ରହିଛି। ବିଡ୍‌ ଦାଖଲ କରିଥିବା କିଛି ସଂସ୍ଥାର ନାମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମୋଦନ ପ୍ରଦାନ କରିଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛି କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ, ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ୍ ହୋଲ୍‌ଡିଂସ୍‌ ଓ ଏମିରେଟ୍‌ସ ଏନ୍‌ବିଡି। କାନାଡାର କୋଟିପତି ପ୍ରେମ୍ ୱଟ୍‌ସାଙ୍କ ସଂସ୍ଥା ଫେୟାରଫ୍ୟାକ୍ସ ଇଣ୍ଡିଆ ହୋଲ୍‌ଡିଂସ୍‌ ଭାରତରେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ନିବେଶ କରୁଛି। ଏମିରେଟ୍‌ସ ଏନବିଡି ହେଉଛି ଏକ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଯାହାର କାରବାର ୟୁଏଇ, ଭାରତ ଓ ସାଉଦି ଆରବରେ ରହିଛି।

Advertisment

ଆଇଡିବିଆଇ ବ୍ୟାଙ୍କରେ ଭାରତ ସରକାରଙ୍କ ୪୫.୪୮ ପ୍ରତିଶତ ଓ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ୪୯.୨୪ ପ୍ରତିଶତ ଅଂଶଧନ ରହିଛି। ଉଭୟ ସଂସ୍ଥା ମିଳିତ ଭାବେ ବ୍ୟାଙ୍କର ୬୦.୭ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚାହୁଛନ୍ତି। ୨୦୨୨ରେ ପ୍ରଥମେ ଏହି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଥିଲା। ଆଇଡିବିଆଇ ବ୍ୟାଙ୍କ ବିକ୍ରି ସଂକ୍ରାନ୍ତରେ ପୁଞ୍ଜି ପ୍ରତ୍ୟାହାରର ଦେଖାଶୁଣା କରୁଥିବା ଦିପମ୍ ବିଭାଗର ସଚିବ ତୁହିନ୍‌କାନ୍ତ ପାଣ୍ଡେ କହିଥିଲେ ଯେ ଆଇଡିବିଆଇ ବ୍ୟାଙ୍କ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ଆର୍ଥିକ ବିଡ୍ ଆସିଯିବ ବୋଲି ଆଶା କରାଯାଉଛି।