ନୂଆଦିଲ୍ଲୀ: ଦେଶର ନୂଆ ଅର୍ଥନୈତିକ ପରାମର୍ଶଦାତା ଭାବେ ପ୍ରଫେସର କ୍ରିଷ୍ଟମୂର୍ତି ସୁବ୍ରମଣିଅନ୍ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ଆଇଏସ୍ବି ହାଇଦ୍ରାବାଦରେ ଆସୋସିଏଟ୍ ପ୍ରଫେସର ଭାବେ କାମ କରୁଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ତିନି ବର୍ଷ କାମ କରିବା ପରେ ଛଅ ମାସ ପୂର୍ବେ ଅରବିନ୍ଦ ସୁବ୍ରମଣିଅନ୍ ଇସ୍ତଫା ପ୍ରଦାନ କରିଥିଲେ। ସେହି ଦିନଠାରୁ ଏହି ପଦ ଖାଲି ପଡ଼ିଥିଲା। ଅରବିନ୍ଦଙ୍କ ଉତ୍ତରାଧିକାରୀ ଭାବେ କ୍ରିଷ୍ଣମୂର୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ତେବେ ସେ ନିଜ ପଦଭାର କେବେ ଗ୍ରହଣ କରିବେ ତାହା ଜଣାପଡ଼ିନାହିଁ। କ୍ରିଷ୍ଣମୂର୍ତିଙ୍କ ବିଷୟରେ ସବୁଠୁ ରୋଚକ ତଥ୍ୟ ହେଉଛି ସେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଅଧୀନରେ ପିଏଚ୍ଡି କରିଛନ୍ତି। ଆଇଆଇଟି ଓ ଆଇଆଇଏମ୍ ଭଳି ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଥିବା କ୍ରିଷ୍ଣମୂର୍ତି ଆମେରିକାର ସିକାଗୋ ବିଶ୍ବବିଦ୍ୟାଳୟର ବୁଥ୍ ସ୍କୁଲ୍ ଅଫ୍ ବିଜନେସ୍ରୁ ଏମ୍ବିଏ ଡିଗ୍ରି ଓ ପିଏଚ୍ଡି ହାସଲ କରିଛନ୍ତି। ବ୍ୟାଙ୍କିଙ୍ଗ, କର୍ପୋରେଟ୍ ଗଭର୍ଣ୍ଣାସ ଓ ଆର୍ଥିକ ନୀତି ନିର୍ଧାରଣ ଆଦି କ୍ଷେତ୍ରରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ଷ୍ଟାଣ୍ଡିଂ କମିଟିର ସେ ସଦସ୍ୟ ଅଛନ୍ତି। ବନ୍ଧନ ବ୍ୟାଙ୍କ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କ ମ୍ୟାନେଜମେଣ୍ଟ୍ ଓ ଆର୍ବିଆଇ ଏକାଡେମି ବୋର୍ଡର ସେ ସଦସ୍ୟ ଅଛନ୍ତି। ହାଇଦ୍ରାବାଦର ଆଇବିଏସ୍ରେ ପାଠ ପଢ଼ାଇବା ପୂର୍ବରୁ ସେ ଆମେରିକାରେ ଥିବା ଇମୋରି ବିଶ୍ବବିଦ୍ୟାଳୟର ଗୋଇଜୁଏଟା ବିଜ୍ନେସ୍ ସ୍କୁଲ୍ରେ ପାଠ ପଢ଼ାଉଥିଲେ। ସେ ନ୍ୟୁୟର୍କରେ ଥିବା ବେଳେ ଜେପି ମୋର୍ଗାନ ପାଇଁ ମଧ୍ୟ କାମ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୪ରେ ଅରବିନ୍ଦ ସୁବ୍ରମଣିଅନ୍ଙ୍କୁ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା। ସାଧାରଣତଃ ଏହି ପଦରେ ତିନି ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥାଏ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଅନୁରୋଧକ୍ରମେ ଆଉ କିଛି ଦିନ କାମ କରିବାକୁ ଅରବିନ୍ଦ ରାଜି ହୋଇଥିଲେ। କିନ୍ତୁ ପାରିବାରିକ କାରଣ ଦର୍ଶାଇ ସେ ନିଜ ପଦରୁ ଚଳିତ ବର୍ଷ ଜୁଲାଇରେ ଇସ୍ତଫା ପ୍ରଦାନ କରିଥିଲେ। ରଘୁରାମ ରାଜନ ମଧ୍ୟ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ କରିଥିଲେ। ଏହା ପରେ ରାଜନଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା।