କ୍ରିସିଲ୍‌ ରିପୋର୍ଟ: ଓଡ଼ିଶାର ବିକାଶ ଜାତୀୟ ହାରଠାରୁ କମ୍‌

ଭୁବନେଶ୍ୱର: ବିଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାର ହାରାହାରି ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ କମ୍‌ ରହିଛି। କ୍ରେଡିଟ୍‌ ରେଟିଂ ଏଜେନ୍‌ସି ‘କ୍ରିସିଲ୍‌’ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଏହା ଜଣାପଡ଼ିଛି। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତର ତଥ୍ୟ ଆଧାରରେ କ୍ରିସିଲ୍‌ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ପାଞ୍ଚ ବର୍ଷ ଭିତରେ ଦେଶର ଅଭିବୃଦ୍ଧି ହାର ୬.୯% ରହିଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ୬.୭% ରହିଛି। ଅଭିବୃଦ୍ଧି ତାଲିକାରେ ଓଡ଼ିଶା ଦଶମ ସ୍ଥାନରେ ରହିଛି।

ଓଡ଼ିଶାଠାରୁ ଭଲ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ହେଉଛନ୍ତି ଗୁଜରାଟ, ମଧ୍ୟ ପ୍ରଦେଶ, ହରିଆନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନା।  ଅଭିବୃଦ୍ଧିର ବେଗ ଏବଂ ଗୁଣାତ୍ମକ ମାନ ବିଚାରକୁ ନେଇ ବିଭିନ୍ନ ରାଜ୍ୟକୁ ର‍୍ୟାଙ୍କିଙ୍ଗ ପ୍ରଦାନ କରାଯାଇଛି। ଏ କ୍ଷେତ୍ରରେ ଗୁଜରାଟ, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶ ଶ୍ରେଷ୍ଠ ତିନିଟି ରାଜ୍ୟ ଭାବେ ଉଭା ହୋଇଛନ୍ତି। ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଏବଂ ଆର୍ଥିକ ସ୍ଥିତି ଦୃଷ୍ଟିରୁ ଏହି ତିନି ରାଜ୍ୟ ବହୁତ ଭଲ ସ୍ଥିତିରେ ରହିଛନ୍ତି। ବିହାର, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ଏହି ପାଞ୍ଚ ବର୍ଷ ଭିତରେ ଗୁଜରାଟର ଅଭିବୃଦ୍ଧି ସର୍ବାଧିକ ୧୦.୫% ରହିଛି ଯାହା ପଞ୍ଜାବର ୫.୫% ଅଭିବୃଦ୍ଧିର ପାଖାପାଖି ଦୁଇ ଗୁଣ। ଦ୍ୱିତୀୟ ସ୍ଥାନରେ ରହିଛି ମଧ୍ୟ ପ୍ରଦେଶ (୮.୧%), ତୃତୀୟରେ ହରିଆନା (୭.୯%), ଚତୁର୍ଥରେ ଆନ୍ଧ୍ର (୭.୭%) ଓ ପଞ୍ଚମ ସ୍ଥାନରେ କର୍ଣ୍ଣାଟକ (୭.୬%) ରହିଛି।

ମୁଦ୍ରାସ୍ପୀତି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସ୍ଥିତି ଭଲ ନାର୍ହି। ୨୦୧୨ରୁ ୨୦୧୭ ଭିତରେ କର୍ଣ୍ଣାଟକରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୭.୭% ରହିଛି। ଏହି ତାଲିକାରେ ୭.୫%ର ମୁଦ୍ରାସ୍ଫୀତି ସହିତ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଏହି ସମୟରେ ଜାତୀୟ ମୁଦ୍ରାସ୍ଫୀତି ହାର ଓଡ଼ିଶାର ହାରଠାରୁ ଯଥେଷ୍ଟ କମ୍‌ ୬.୮% ରହିିଥିଲା।  ୨୦୧୩-୧୭ ମଧ୍ୟରେ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ୨.୧% ରହିଛି। ଏ କ୍ଷେତ୍ରରେ ଓଡ଼ିଶା ନବମ ସ୍ଥାନରେ ରହିଛି। ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ୭.୯% ସହିତ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ସାଧାରଣ ପ୍ରଶାସନ ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ୬.୨% ଅଭିବୃଦ୍ଧି ସହ ଏଥିରେ ଓଡ଼ିଶା ୧୪ତମ ସ୍ଥାନରେ ରହିଛି।

ଓଡ଼ିଶାର ବାଣିଜ୍ୟ, ହୋଟେଲ୍‌, ପରିବହନ ଏବଂ ଯୋଗାଯୋଗ ଅଭିବୃଦ୍ଧି ହାର ଏହି ପାଞ୍ଚ ବର୍ଷ ଭିତରେ ୧୦.୪%, ଆର୍ଥିକ ସେବା, ରିଅଲ ଇଷ୍ଟେଟ୍‌ ଏବଂ ପ୍ରଫେସନାଲ୍‌ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୭.୩% ଓ ବିଦ୍ୟୁତ କ୍ଷେତ୍ରର ଅଭିବୃଦ୍ଧି ହାର ୬% ରହିଛି। କ୍ରିସିଲ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରିବା ବେଳେ ଗୋଆ ଏବଂ ପଶ୍ଚିମ ବଙ୍ଗର ତଥ୍ୟ ବିଚାରକୁ ନିଆଯାଇନାହିଁ।

ସମ୍ବନ୍ଧିତ ଖବର