ନୂଆଦିଲ୍ଲୀ: ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) କାରବାରରେ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଏହାର କାରବାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ୨୦୨୪-୨୫ର ତଥ୍ୟ ଜାରି କରି କହିଛନ୍ତି ଯେ ଉତ୍ପାଦନ, ବିକ୍ରି ଓ ନୂଆ ନିଯୁକ୍ତିରେ କେଭିଆଇସି ନୂଆ ରେକର୍ଡ ସ୍ଥାପନ କରିଛି। ଗତ ୧୧ ବର୍ଷ ମଧ୍ୟରେ ଏହାର ବିକ୍ରି ୪୪୭ ପ୍ରତିଶତ, ଉତ୍ପାଦନ ୩୪୭ ପ୍ରତିଶତ ଓ ନିଯୁକ୍ତି ସୃଷ୍ଟି ୪୯.୨୩ ପ୍ରତିଶତ ବଢ଼ିଛି। ୨୦୧୩-୧୪ ତୁଳନାରେ ୨୦୨୩-୨୪ରେ ବିକ୍ରି ୩୯୯.୬୯ ପ୍ରତିଶତ ଓ ଉତ୍ପାଦନ ୩୧୪.୭୯ ପ୍ରତିଶତ ବଢ଼ିଛି। ଶ୍ରୀ କୁମାର କହିଛନ୍ତି ଯେ କେଭିଆଇସିର ଉତ୍ପାଦନ ୨୦୧୩-୧୪ରୁ ୨୦୨୪-୨୫ ମଧ୍ୟରେ ୨୬,୧୦୯.୦୭ କୋଟି ଟଙ୍କାରୁ ପ୍ରାୟ ଚାରି ଗୁଣା ବୃଦ୍ଧି ପାଇ ୧,୧୬,୫୯୯.୭୫ କୋଟି ଟଙ୍କା ହୋଇଛି।
ସେହି ସମୟରେ ବିକ୍ରି ୪୪୭ ପ୍ରତିଶତ ବୃଦ୍ଧି ପାଇ ୧,୭୦,୫୫୧.୩୭ କୋଟି ଟଙ୍କା ହୋଇଛି। ଖଦି ପୋଷାକ ଉତ୍ପାଦନ ସାଢ଼େ ଚାରି ଗୁଣା ବୃଦ୍ଧି ପାଇ ୩୭୮୩.୩୬ କୋଟି ଟଙ୍କା ହୋଇଛି। ଏହି ପୋଷାକର ବିକ୍ରି ମଧ୍ୟ ସାଢ଼େ ଛଅ ଗୁଣା ବୃଦ୍ଧି ପାଇ ୭୧୪୫.୬୧ କୋଟି ଟଙ୍କା ହୋଇଛି। ନିଯୁକ୍ତି ପରିମାଣ ମଧ୍ୟ ୧.୯୪ କୋଟିକୁ ବୃଦ୍ଧି ପାଇଛି। କେଭିଆଇସି ୧୮ଟି ବିଭାଗୀୟ ଓ ୧୭ଟି ଅଣ ବିଭାଗୀୟ ତାଲିମ କେନ୍ଦ୍ର ମାଧ୍ୟମରେ ୭,୪୩,୯୦୪ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଛି। ସେଥିରୁ ୪,୨୭,୩୯୪ ହେଉଛନ୍ତି ମହିଳା। ଏହା ବ୍ୟତୀତ ୫ ଲକ୍ଷ ଖଦି କାରିଗରଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ମହିଳା। ଖଦି କାରିଗରଙ୍କ ମଜୁରୀ ୨୭୫ ପ୍ରତିଶତ ବୃଦ୍ଧି ପାଇଥିବା ଶ୍ରୀ କୁମାର ସୂଚନା ଦେଇଛନ୍ତି।