‘କେଭିଆଇସି’ର କାରବାର ରେକର୍ଡ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ଖଦୀ ଏବଂ ଗ୍ରାମୀଣ ଉଦ୍ୟୋଗ ଗୁଡ଼ିକର ଉତ୍ପାଦନ ଓ ବିକ୍ରି ଭଲ ରହିଛି। ଏ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ରେକର୍ଡ କରିଛି। ବାର୍ଷିକ କାରବାର ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ୧ ଲକ୍ଷ ୧୫ ହଜାର କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ଦେଶର ଯେକୌଣସି ଏଫ୍‌ଏମ୍‌ସିଜି କମ୍ପାନିର କାରବାର ଠାରୁ ଢେର୍‌ ଅଧିକ। ୨୦୨୧-୨୨ ଆର୍ଥିକ ବର୍ଷରେ ଖଦୀ ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର କାରବାର ୨୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କେଭିଆଇସିର କାରବାର ୯୪,୭୪୧.୭୪ କୋଟି ଟଙ୍କା ରହିଥିଲା। ୨୦୧୪-୧୫ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ କେଭିଆଇସିର ଉତ୍ପାଦନ ୧୭୨ ପ୍ରତିଶତ ଅଧିକ ଏବଂ ମୋଟ ବିକ୍ରି ୨୪୮ ପ୍ରତିଶତ ଅଧିକ ରହିଛି।

୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଦେଶରେ ଖଦୀ କ୍ଷେତ୍ରର ଅଭିବୃଦ୍ଧି ୪୩.୨୦ ପ୍ରତିଶତ ରହିଛି। ୨୦୨୦-୨୧ରେ ଖଦୀ ସାମଗ୍ରୀର ବିକ୍ରି ୩୫୨୮ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୫୦୫୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ୮ ବର୍ଷ ମଧ୍ୟରେ ଖଦି କ୍ଷେତ୍ରର ଉତ୍ପାଦନ ୧୯୧ ପ୍ରତିଶତ ଏବଂ ବିକ୍ରି ୩୩୨ ପ୍ରତିଶତ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଗ୍ରାମୀଣ ଶିଳ୍ପର କାରବାର ୨୦୨୧-୨୨ରେ ୧,୧୦,୩୬୪ କୋଟି ଟଙ୍କାରେ ପହଞ୍ଚିଛି। ଗତ ୮ ବର୍ଷ ମଧ୍ୟରେ ଗ୍ରାମୀଣ ଶିଳ୍ପର ଉତ୍ପାଦନ ୧୭୨ ପ୍ରତିଶତ ଏବଂ ବିକ୍ରି ୨୪୫ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ ଖଦୀର ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରବଚ୍ଛିନ୍ନ ସହାୟତା ଯୋଗାଇ ଆସୁଥିବାରୁ ଖଦୀ ଶିଳ୍ପର ଉଲ୍ଲେଖନୀୟ ବୃଦ୍ଧି ଘଟିଛି ବୋଲି କେଭିଆଇସି ଅଧ୍ୟକ୍ଷ ଭିକେ ସକ୍ସସେନା କହିଛନ୍ତି।

ସମ୍ବନ୍ଧିତ ଖବର