କେନ୍ଦ୍ରୀୟ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ିଲା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକମାନଙ୍କ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ଏହାଫଳରେ ସେମାନଙ୍କ ସର୍ବନିମ୍ନ ମଜୁରି ଏପ୍ରିଲ ପହିଲାରୁ ଅଧିକ ହୋଇଛି। ଖଣି, ନିର୍ମାଣ, କୃଷି, ଗୋଦାମ ଆଦିରେ ବୋଝେଇ ଓ ଖଲାସ, ରେଳବାଇର ପାର୍ସଲ କାର୍ଯ୍ୟାଳୟ ଓ ସଫେଇ ଆଦି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ଏହାଦ୍ବାରା ବୃଦ୍ଧି ପାଇଛି। ବିଭିନ୍ନ ପ୍ରକାର ଖଣିର ଉପରିଭାଗରେ କାର୍ଯ୍ୟ କରୁଥିବା‌ ଅଣକୁଶଳୀ, ଅର୍ଦ୍ଧକୁଶଳୀ/ଅଣକୁଶଳୀ ଦେଖାଶୁଣା, କୁଶଳୀ/କିରାଣି ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ବେତନ ଯଥାକ୍ରମେ ୩୯୦ ଟଙ୍କା, ୪୮୭ ଟଙ୍କା, ୫୮୪ ଟଙ୍କା ଏବଂ ୬୮୧ ଟଙ୍କା ହୋଇଛି। ସେହିଭଳି ଖଣି ଭିତରେ କାର୍ଯ୍ୟ କରୁଥିବା ଉପରୋକ୍ତ ପ୍ରକାରର ଶ୍ରମିକଙ୍କ ମଜୁରି ଯଥାକ୍ରମେ ୪୮୭ ଟଙ୍କା, ୫୮୪ ଟଙ୍କା, ୬୮୧ ଟଙ୍କା ଏବଂ ୭୬୧ ଟଙ୍କା ହୋଇଛି। ରାସ୍ତା, ରନୱେ, ମାଟିତଳେ ଇଲେକଟ୍ରିକ୍ ଓ ଅନ୍ୟାନ୍ୟ କେବୁଲ ବିଛାଇବା, ପାଣି ପାଇପ ଓ ସ୍ବେରେଜ ପାଇପ ଲାଇନ୍ ଆଦିରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ/ଅଣକୁଶଳୀ ଦେଖାଶୁଣା, କୁଶଳୀ/କିରାଣି ଏବଂ ଉଚ୍ଚ କୁଶଳୀ ଶ୍ରମିକମାନଙ୍କ ପାଇଁ ଭୁବନେଶ୍ବର, କଟକ ଏବଂ ରାଉରକେଲା ସହରରେ ମଜୁରି ଯଥାକ୍ରମେ ୪୮୭ ଟଙ୍କା, ୫୫୧ ଟଙ୍କ, ୬୪୫ ଟଙ୍କା, ୭୧୦ ଟଙ୍କା ହୋଇଛି। ଉପରୋକ୍ତ ସହରକୁ ବାଦ ଦେଲେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ ଏହି ବର୍ଗର ଶ୍ରମିକଙ୍କ ମଜୁରି ଯଥାକ୍ରମେ ୩୯୦ ଟଙ୍କା, ୪୫୭ ଟଙ୍କା, ୫୫୧ ଟଙ୍କା ଏବଂ ୬୪୫ ଟଙ୍କା କରାଯାଇଛି।

ଭୁବନେଶ୍ବର, କଟକ ଏବଂ ରାଉରକେଲାରେ କୃଷି କ୍ଷେତ୍ରରେ ନିଯୁକ୍ତ ଉପରୋକ୍ତ ବର୍ଗର ଶ୍ରମିକଙ୍କ ମଜୁରି ଯଥାକ୍ରମେ ୩୩୯, ୩୭୩, ୪୦୭ ଏବଂ ୪୫୪ ଟଙ୍କା କରାଯାଇଛି। ‌ଅନ୍ୟ ସ୍ଥାନ ଗୁଡ଼ିକରେ ଏହି ମଜୁରି ଯଥାକ୍ରମେ ୩୩୬, ୩୪୩, ୩୭୨ ଏବଂ ୪୦୭ ଟଙ୍କା ରଖାଯାଇଛି। ଭୁବନେଶ୍ବର, କଟକ ଓ ରାଉରକେଲାରେ ମାଲ ବୋଝେଇ ଓ ଖଲାସ କରୁଥିବା, ଝାଡ଼ୁ ଓ ସଫେଇ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ୪୮୭ ଟଙ୍କା କରାଯାଇଥିବାବେଳେ ଅନ୍ୟ ସ୍ଥାନରେ ଏହା ୩୯୦ ଟଙ୍କା କରାଯାଇଛି। ବିନା ବନ୍ଧୁକରେ ଭୁବନେଶ୍ବର, କଟକ ଏବଂ ରାଉରକେଲାରେ ଜଗିବା କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଜୁରି ୬୪୫ ଟଙ୍କା କରାଯାଇଥିବାବେଳେ ଅନ୍ୟ ସହରରେ ଏହା ୫୫୧ ଟଙ୍କା କରାଯାଇଛି। ତେବେ ବନ୍ଧୁକ ଧରି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ଯଥାକ୍ରମେ ୭୧୦ ଟଙ୍କା ଏବଂ ୬୪୫ ଟଙ୍କା କରାଯାଇଛି। ଏଥିସହିତ ପଥର ଭାଙ୍ଗିବା ଏବଂ ଚୂର୍ଣ୍ଣ କରିବା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ମଧ୍ୟ ୩୧୬ ଟଙ୍କାରୁ ୨୪୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ରୀୟ ମୁଖ୍ୟ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର