ରାଜ୍ୟର କାରଖାନା ପାଇଁ ଲୁହାପଥର ଅଭାବ

ବାହାର ରାଜ୍ୟକୁ ଅଧିକ ପଠାଯାଉଛି, ‌ସଙ୍କଟରେ ପେଲେଟ୍‌ ଓ ସ୍ପଞ୍ଜ୍‌ ଆଇରନ୍ ଶିଳ୍ପ

ବନ୍ଦ ଦ୍ବାରଦେଶରେ ଅଧିକାଂଶ କାରଖାନା
ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ଶିଳ୍ପ ସଂଘ

ଭୁବନେଶ୍ବର : ଲୁହାପଥର ଉପରେ ନିର୍ଭରଶୀଳ ଥିବା ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍ଇ) ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଇସ୍ପାତ, ପେଲେଟ୍‌ ଓ ସ୍ପଞ୍ଜ ଆଇରନ୍‌ ୟୁନିଟ୍‌ଗୁଡ଼ିକ ଘୋର ସଙ୍କଟ ଦେଇ ଗତି କରୁଛନ୍ତି। ସେମାନଙ୍କ କଞ୍ଚାମାଲ ସମସ୍ୟାର ଶୀଘ୍ର ସମାଧାନ କରିବା ଲାଗି ଶିଳ୍ପ ବିଶେଷଜ୍ଞ ଓ ଶିଳ୍ପ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ରାଜ୍ୟରେ ଲୁହା ପଥର ଯୋଗାଣ ସ୍ବାଭାବିକ କରିବାକୁ ସେମାନେ ସରକାରଙ୍କୁ କହିଛନ୍ତି। ରାଜ୍ୟରେ ଥିବା ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ଗୁଡ଼ିକ ଲୁହାପଥର ପାଇଁ ମର୍ଚାଣ୍ଟ୍ ମାଇନ୍ସ ଉପରେ ନିର୍ଭର କରୁଛନ୍ତି। ରାଜ୍ୟ ଭିତରେ ଉତ୍ପାଦନ ହେଉଥିବା ଅଧିକାଂଶ ଲୁହାପଥରକୁ କଂପାନିଗୁଡ଼ିକ ବାହାର ରାଜ୍ୟକୁ ପଠାଇ ଦେଉଥିବାରୁ ରାଜ୍ୟରେ କାରଖାନା ସ୍ଥାପନ କରିଥିବା ସଂସ୍ଥାଗୁଡ଼ିକ ଆବଶ୍ୟକତା ଅନୁଯାୟୀ ଲୁହାପଥର ପାଉନାହାନ୍ତି। ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ବାହାର ରାଜ୍ୟକୁ ଲୁହାପଥର ପଠାଇବା ହାର ଯଥାକ୍ରମେ ୫୮% ଓ ୬୦% ଭଳି ଉଚ୍ଚ ସ୍ତରରେ ରହିଛି। ଫଳରେ ରାଜ୍ୟ ଭିତରେ ଥିବା କାରଖାନାଗୁଡ଼ିକ ପାଇଁ ଲୁହାପଥରର ଘୋର ଅଭାବ ଦେଖାଦେଇଛି। ନିକଟରେ ୧୫ରୁ ଅଧିକ ସ୍ପଞ୍ଜ ଆଇରନ୍ ଓ ପେଲେଟ୍‌ ନିର୍ମାତା ଲୁହାପଥର ପାଇଁ ରାଜ୍ୟ ସରକାରଙ୍କ ପ୍ରି-ଏମ୍ପ୍‌ସନ୍ ନୀତି ଅଧିନରେ ଇସ୍ପାତ ଓ ଖଣି ବିଭାଗ‌ରେ ଆବେଦନ କରିଛନ୍ତି।

ଏହି ପ୍ରସଙ୍ଗରେ ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ)ର ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି ଯେ ଗତ ୧୨ ମାସରେ ଓଡ଼ିଶାରେ ଲୁହାପଥର ଦାମ୍ ଯେତେ ବଢ଼ିଛି ଅନ୍ୟ କୌଣସି ରାଜ୍ୟ‌ରେ ସେଭଳି ବୃଦ୍ଧି ଘଟିନାହିଁ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଲୁହାପଥର ଦାମ୍ ଅଧିକ ରହିଛି। ଏହାର ପ୍ରଭାବ ଲୁହା ଓ ଇସ୍ପାତ କ୍ଷେତ୍ରର ଏମ୍ଏସ୍‌ଏମ୍ଇଗୁଡ଼ିକରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଗତବର୍ଷ ଏହି ସଂସ୍ଥାଗୁଡ଼ିକ କଞ୍ଚାମାଲ୍ ଅଭାବରୁ ସେମାନଙ୍କ ସ୍ଥାପିତ କ୍ଷମତାର ଅଧା ବି ଉପଯୋଗ କରିପାରିନଥିଲେ। ଖୋଲା ବଜାରରେ ଲୁହା ପଥରର ଅଭାବ ଓ ଚଢ଼ା ଦର ଯୋଗୁଁ ଏହି ସଂସ୍ଥାଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଏହି ଧାରା ଲାଗି ରହିଲେ ଅନେକ ସଂସ୍ଥା ସେମାନଙ୍କ କାରଖାନା ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।

ଇଣ୍ଡିଆନ୍ ବ୍ୟୁରୋ ଅଫ୍‌ ମାଇନ୍ସ (ଆଇବିଏମ୍) ଅନୁଯାୟୀ, ଓଡ଼ିଶାରେ ୬୨-୬୫ ପ୍ରତିଶତ ଲୁହାପଥର ଲମ୍ପ୍‌ସର ଦାମ୍ ୨୦୨୦ ମେ’ରୁ ୨୦୨୧ ମେ’ ଭିତରେ ୧୭୬% ବଢ଼ିଛି। ଫାଇନ୍ସ ମୂଲ୍ୟରେ ୩୫୨% ବୃଦ୍ଧି ଘଟିଛି। ଲୁହାପଥରର ଚଢ଼ା ଦର ଓ ଅଭାବ ଯୋଗୁଁ ରାଜ୍ୟର ‌ଅନେକ ଏମ୍ଏସ୍‌ଏମ୍ଇ ବନ୍ଦ ଦ୍ବାରଦେଶରେ ପହଞ୍ଚିଯାଇଛନ୍ତି। ରାଜ୍ୟର ୧୦୯ଟି ସ୍ପଞ୍ଜ ଆଇରନ କାରଖାନା ମଧ୍ୟରୁ ୪୪ଟି ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର