ବିଶ୍ବରେ ତେଲ ଦର ଖସୁଛି: ସୁଯୋଗ ହାତଛଡ଼ା କଲା ଭାରତ

ଭାରତରେ ତେଲ ଭଣ୍ଡାର ଅଭାବ

ମହମ୍ମଦ ହିଫ୍‌ଜୁର ର‌େହମାନ୍‌
ଭୁବନେଶ୍ବର: ବିଶ୍ବ ବଜାରରେ ଅ‌େଶାଧିତ ତେଲ ଦର ହ୍ରାସ ପାଇବ‌ା ଘଟଣା ଏବେ ଚର୍ଚାର ବିଷୟ ‌େହାଇଛି। ନ୍ୟୁୟର୍କ ବଜାରରେଏହି ଦର ‌ଏତେ ତଳକୁ ଖସିଲା ଯେ ବିକ୍ରେତା ତେଲ ସହିତ ଡଲାର ବି ଯାଚିଲା। ତେଲ ନିଅ, ଡଲାର ବି ନିଅ। ତଥାପି କ୍ରେତା ନେବାକୂୁ ନାରାଜ। ଏହାର ମୁଖ୍ୟ କାରଣ ହେଲା କରୋନା ଲକ୍‌ଡାଉନ୍ ଯୋଗୁଁ ବିଶ୍ବରେ ତେଲ ଚାହିଦା ୬୦ରୁ ୭୦ ଭାଗ ହ୍ରାସ ପାଇଛି। ଚାହିଦା ନଥିବାରୁ ଉଭୟ କ୍ରେତା ଏବଂ ବିକ୍ରେତା ରାଷ୍ଟ୍ରମାନଙ୍କରେ ତେଲ ଭଣ୍ଡାର ମଧ୍ୟ ଭର୍ତି ‌େହାଇ ଉଛୁଳିବା ଅବସ୍ଥାରେ ରହିଛି।

ବିଶ୍ବରେ ଆମେରିକା, ସାଉଦୀ ଆରବ ଏବଂ ରୁଷିଆ ସର୍ବାଧିକ ତେଲ ଉତ୍ପାଦନ କରୁଥିବା ବେଳେ ସର୍ବାଧିକ ବ୍ୟବହାର ତାଲିକାରେ ଆମେରିକା, ଚୀନ ଏବଂ ଭାରତ ରହିଛି। ଆମେରିକା ଦିନକୁ ୧୯.୫୨ ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରୁଥିବା ବେଳେ ସାଉଦୀ ଆରବ ୧୧.୮୧ ଏବଂ ରୁଷିଆ ୧୧.୪୯ ନିୟୁତ ବ୍ୟାରେଲ ଉତ୍ପାଦନ କରୁଛନ୍ତି। ସେହିଭଳି ଆମେରିକା ଦିନକୁ ୧୯.୯୪ ନିୟୁତ ବ୍ୟାରେଲ ତେଲ ବ୍ୟବହାର କରୁଛି। ଏହା ପଛକୁ ରହିଛି ଚୀନ (୧୩.୫୭ ନିୟୁତ ବ୍ୟାରେଲ) ଏବଂ ଭାରତ (୪.୩୪ ନିୟୁତ ବ୍ୟାରେଲ)। ଉତ୍ପ‌‌ାଦନକାରୀ ରାଷ୍ଟ୍ର ପୂର୍ବଭଳି ଉତ୍ପାଦନ ଜାରି ରଖିଥିବା ବେଳେ ଏହାର ଚାହିଦା ଯଥେଷ୍ଟ କମିଯାଇଛି। କରୋନା ଲକ୍‌ଡାଉନ୍‌ ପରେ ବିମାନ ଉଡ଼ାଣ ୮୦ ଭାଗ କମିଯାଇଥିବା ବେଳେ ରାସ୍ତା ଉପରେ ମୋଟର ଯାନ ମଧ୍ୟ ପ୍ରାୟ ଠପ୍ ହୋଇଯାଇଛି। ତେଣୁ ଚାହିଦା କମିଯିବା ସ୍ବାଭାବିକ। ବିଶ୍ବରେ ଅଶୋଧିତ ତେଲ ଦାମ କମିଥିବାରୁ ଭାରତରେ କାହିଁକି କମୁନି ବୋଲି ପ୍ରଶ୍ନ ଉଠିଲାଣି। କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଏହାର ପ୍ରଭାବ ବିଶେଷ ଭାବେ ଭାରତ ଉପରେ ପଡ଼ିବ ନାହିଁ। କାରଣ ଭାରତ ତେଲ ନ୍ୟୁୟର୍କ ବଜାରରୁ କିଣେ ନାହିଁ। ସାଧାରଣତଃ ବିଶ୍ବରେ ଦୁଇଟି ତେଲ ବଜାର ରହିଛି; ନ୍ୟୁୟର୍କ ଏବଂ ଲଣ୍ଡନ। ଭାରତ ଲଣ୍ଡନ ବଜାରରେ କାରବାର କରେ। ଏହି ବଜାର ଦର ସହିତ ଯୋଡ଼ି ହୋଇ ରହିଛନ୍ତି ସାଉଦୀ ଆରବ ସମେତ ମଧ୍ୟପ୍ରାଚ୍ୟ ରାଷ୍ଟ୍ର। ଏହି ବଜାର ଜରିଆରେ ଭାରତ ଦୁବାଇ ଏବଂ ଓମାନ ଅଞ୍ଚଳରୁ ଖରିଦ କରେ। ନ୍ୟୁୟର୍କ ବଜାରରେ ତେଲ ଦର ବ୍ୟାରେଲ ପିଛା ବିଯୁକ୍ତ ୩୭ ଡଲାର ହୋଇଯାଇଥିବା ବେଳେ ଲଣ୍ଡନ ବଜାର ଅବସ୍ଥା ଏତେ ଖରାପ ନୁହେଁ। ଲଣ୍ଡନ ବଜାରରେ ଏବେ ତେଲ ଦର ବ୍ୟାରେଲ ପିଛା ରହିଛି ୨୨ ଡଲାର। ଏହା ମଧ୍ୟ ୨୦ ବର୍ଷରେ ସବୁଠାରୁ କମ୍।

ବିଶ୍ବ ବଜାରରେ ତେଲ ଏତେ ଶସ୍ତା ଥିଲେ ମଧ୍ୟ ଭାରତ ଏଥିରୁ ଫାଇଦା ଉଠାଇବା ସ୍ଥିତିରେ ନାହିଁ। ଏହାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମଟି ହେଲା ଭାରତ ପାଖରେ ଏତେ ଭଣ୍ଡାର ନାହିଁ। ଦ୍ବିତୀୟଟି ହେଲା ଡଲାର ତୁଳନାରେ ଭାରତୀୟ ଟଙ୍କା ବହୁତ ଦୁର୍ବଳ। ଏବେ ଗୋଟିଏ ଡଲାରର ମୂଲ୍ୟ ହେଉଛି ପାଖାପାଖି ୭୬ ଟଙ୍କା। ଏହି ଦରରେ ଭାରତ ତେଲ କିଣିଲେ ଏହାକୁ ମହଙ୍ଗା ପଡ଼ିଯିବ। ତେବେ ସବୁଠାରୁ ବଡ଼ ସମସ୍ୟାଟି ହେଉଛି ତେଲ ଭଣ୍ଡାର। ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଭାରତର ଜରୁରିକାଳୀନ ଭଣ୍ଡାର ଅବସ୍ଥା ସବୁଠାରୁ ଖରାପ। ଆମେରିକାର ତେଲ ଭଣ୍ଡାରରେ ଗଚ୍ଛିତ କ୍ଷମତା ୭୩୦ ନିୟୁତ ବ୍ୟା‌େରଲ ଥିବା ବେଳେ ଭାରତର କ୍ଷମତା ରହିଛି ମାତ୍ର ୩୯ ନିୟୁତ ବ୍ୟାରେଲ (୫.୩୩ ନିୟୁତ ଟନ)। ଅନ୍ୟପକ୍ଷରେ ଚୀନର ଜରୁରିକାଳୀନ କ୍ଷମତା ୫୫୦ ନିୟୁତ ବ୍ୟାରେଲ ଥିବା ବେଳେ ଜାପାନର ୫୨୮ ଏବଂ ଦକ୍ଷିଣ କୋରିଆର କ୍ଷମତା ରହିଛି ୨୧୪ ନିୟୁତ ବ୍ୟାରେଲ। ତେଲ ଯୋଗାଣରେ କୌଣସି ଅସୁବିଧା ହେଲେ ଜାପାନର ତେଲ ଭଣ୍ଡାର ଯୋଗୁଁ ୧୯୮ ଦିନ ଲାଗି କିଛି ଅସବୁିଧା ହେବ ନାହିଁ। ଅନ୍ୟପକ୍ଷରେ ଭାରତରେ ମାତ୍ର ୯ ଦିନ ଯାଏଁ ଚାଲିବ। ଭାରତ ଏବେ ଦିନକୁ ୪.୫ ନିୟୁତ ବ୍ୟାରଲେ ତେଲ ଆମଦାନି କରୁଥିବା ବେଳେ ତିନିଟି ସ୍ଥାନରେ ଏହାର ଜରୁରିକାଳୀନ ଭଣ୍ଡାର ରହିଛି ଯେଉଁଠିକି ୫.୩୩ ନିୟୁତ ଟନ୍ ତେଲ ଗଚ୍ଛିତ ହୋଇ ରହିପାରିବ। ଭାରତରେ ଏବେ ବିଶାଖାପାଟଣା, ମାଙ୍ଗାଲୁରୁ ଏବଂ ପାଡୁରରେ ଭଣ୍ଡାର ରହିଛି। ଏହି ତିନିଟିର କ୍ଷମତା ହେଉଛି ମାତ୍ର ୫.୩୩ ନିୟୁତ ଟନ୍। ଆଉ ଦୁଇଟି ଭଣ୍ଡାର ଲାଗି ୨୦୧୮ରୁ କାମ ‌ଆରମ୍ଭ ହେଇଛି। ଗୋଟିଏ ପ୍ରକଳ୍ପ ଓଡ଼ିଶାର ଚଣ୍ଡିଖୋଲରେ କରିବାକୁ ଯୋଜନା ଥିବା ବେଳେ ଅନ୍ୟଟି ହେଉଛି ପଡୁର ପ୍ରକଳ୍ପର ସଂପ୍ରସାରଣ। ଚଣ୍ଡିଖୋଲରେ ୪ ନିୟୁତ ଟନ୍ ଏବଂ ସଂପ୍ରସାରିତ ପାଡୁର ପ୍ରକଳ୍ପର ଗଚ୍ଛିତ କ୍ଷମତା ରହିବ ୨.୫ ନିୟୁତ ଟନ୍। ତେବେ ଏହି ଦୁଇଟି ପ୍ରକଳ୍ପ କାମ ସରିବାକୁ ଆହୁରି ୫ରୁ ୭ ବର୍ଷ ଲାଗିଯିବ ବୋଲି କୁହାଯାଉଛି। ଏବେ ବିଶ୍ବ ବଜାରରେ ତେଲ ଦର ସର୍ବନିମ୍ନ ସ୍ତରରେ ଖସିଥିବା ବେଳେ ଗଛିତ ପାଇଁ ଜରୁରିକାଳୀନ ତେଲ ଭଣ୍ଡାରର ଅଭାବ ଯୋଗୁଁ ଭାରତ ଏଥିରୁ ଫାଇଦା ଉଠାଇ ପାରୁନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର